ଚର୍ଚ୍ଚାରେ ଧାମନଗର:କିଏ ହେବ ବାଜିଗର !

ରାଜ୍ୟ ରାଜନୀତିରେ ଏବେ ଧାମନଗର ମୁଖ୍ୟ ପ୍ରସଙ୍ଗ ସାଜିଛି। ଧାମନଗର ଉପନିର୍ବାଚନକୁ ନେଇ ଏବେ କସରତ ଜୋର୍ ଧରିଛି। ଏହି ଉପନିର୍ବାଚନରେ କିଏ ବାଜି ମାରିବ ତାକୁ ନେଇ ଝାଳବୁହା ପରିଶ୍ରମ କରୁଛନ୍ତି ଉଭୟ ନେତା ଓ କର୍ମୀ। ୨୪ ଫାଇଟ ପୂର୍ବରୁ ତିନି ରାଜନୈତିକ ଦଳ ପାଇଁ ଏହା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବରୁ ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି। ଧାମନଗରରେ ତ୍ରିମୁଖୀ ଲଢେଇର ଅନୁମାନ କରାଯାଉଥିଲେ ସୁଦ୍ଧା ଧାମନଗର ଅଙ୍କ ବଦଳି ଯାଇଛି। ବର୍ତ୍ତମାନ ଧାମନଗରରେ ତ୍ରିମୁଖି ନୁହଁ ବରଂ ଚତୁର୍ମୁଖି ଲଢ଼େଇ ହଉଛି। ରାଜୁ ଦାସ ସ୍ୱାଧିନ ପ୍ରାର୍ଥି ହେବା ପରେ ରାଜନୀତିର ଅଙ୍କ ବଦଳି ଯାଇଛି।

ଚତୁର୍ମୁଖି ଲଢ଼େଇରେ କିଏ ନେବ ଫାଇଦା
ଧାମନଗର ଆସନ ପୂର୍ବ ନିର୍ବାଚନରେ ବିଜେପି ହାତରେ ଥିଲା। ଏହି ଆସନକୁ ବଜାୟ ରଖିବା ବିଜେପି ଲାଗି ବଡ଼ ସମ୍ମାନର ପ୍ରଶ୍ନ ସାଜିଛି। ଅନ୍ୟ ପାର୍ଶ୍ୱରେ ଗତ ନିର୍ବାଚନରେ ବିଜେଡ଼ିରୁ ପ୍ରାର୍ଥୀ ସାଜି ରାଜେନ୍ଦ୍ର କିଶୋର ଦାସ ପାଖାପାଖି ୫୦୦୦ ଭୋଟରେ ପଛରେ ରହିଥିଲେ। ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ଅବନ୍ତୀଙ୍କୁ ପ୍ରାର୍ଥି କରିଥିଲା ବେଳେ ରାଜେନ୍ଦ୍ର ସ୍ୱାଧିନପ୍ରାର୍ଥି ଭାବେ ନିର୍ବାଚନ ଲଢୁଛନ୍ତି। ବ୍ୟକ୍ତିଗତ ସମର୍ଥକଙ୍କୁ ଧରି ସେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ଅବନ୍ତୀଙ୍କ ପାଇଁ ବିଜୁ ଜନତା ଦଳ ପ୍ରଚାର ମୈଦାନକୁ ଓହ୍ଲାଇଥିଲା ବେଳେ ସୁରଜ ସୂର୍ଯ୍ୟବଂଶୀଙ୍କ ପାଇଁ ଭାରତୀୟ ଜନତା ପାର୍ଟୀ ଓ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ କଂଗ୍ରେସ ଦଳ ପ୍ରଚାର ମୈଦାନକୁ ଓହ୍ଲାଇଛି।
ବିଜେଡିର ଜନସମ୍ପର୍କ ପଦଯାତ୍ରା ବେଶ୍ ସହାୟକ ସାଜିଛି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଲାଗି। ଅବନ୍ତୀଙ୍କ ସହ ବହୁ ତୁଙ୍ଗ ନେତା ପ୍ରଚାର ମୈଦାନରେ ସାମିଲ୍ ହୋଇଛନ୍ତି। ବିଜେଡିରେ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିବା ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଦଳ ବହିଷ୍କାର କରିଛି। କିନ୍ତୁ ରାଜୁ ତାଙ୍କ ସମର୍ଥକଙ୍କୁ ଧରି ଲଢିବାକୁ ପ୍ରସ୍ତୁତ ହୋଇଛନ୍ତି। କଂଗ୍ରେସ ମଧ୍ୟ ପରିବର୍ତ୍ତନ ଆଶାରେ ପ୍ରଚାର ଶୈଳୀକୁ ଜୋରଦାର କରିଛି। ତେବେ ଏ ଲଢେଇରେ କିଏ ବାଜିମାତ କରୁଛି ଓ ଜନସମର୍ଥନ କାହା ସପକ୍ଷରେ ଜାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।
ଏ ଷ୍ଟୋରୀ ଲେଖିଚନ୍ତି-ରଶ୍ମିତା ବେହେରା
Connect With Us