ଆନ୍ଧ୍ର ଚାଲାକିର ଗୋଟି ରାଜନ ଦୋରା !

କୋଟିଆକୁ ନେଇ ପୁଣି ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ କୋଟିଆକୁ ନେଇ ଅନେକ ଥର ଆଲୋଚନା ହୋଇଥିଲେ ସୁଦ୍ଧା ବିବାଦ ଥମିବା ନାଁ ଧରୁନି। କୋଟିଆ ଉଭୟ ରାଜ୍ୟ ମଧ୍ୟରେ ଏବେ କଳିର ମଞ୍ଜି ଭାବେ ଉଭା ହୋଇଛି। କୋଟିଆରେ ଓଡ଼ିଶାର ପ୍ରଭାବକୁ ହ୍ରାସ କରିବା ପାଇଁ ଆନ୍ଧ୍ରପ୍ରଦେଶ ଉଦ୍ୟମ ଜାରି ରଖିଛି। କୋଟିଆ ଉପରୁ ଆନ୍ଧ୍ରର ଆଖି ହଟୁନି। ଏଥିପାଇଁ ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ ଆନ୍ଧ୍ର ଉଦ୍ୟମ ଜାରୀ ରଖିଛି। ତେବେ ଏହାରି ଭିତରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା କୋଟିଆ ପଞ୍ଚାୟତରେ ପହଞ୍ଚିଛନ୍ତି। ତାଙ୍କର ଏ ଗସ୍ତକୁ ନେଇ କୋରାପୁଟ କୋଟିଆ ରାଜନୈତୀକ ସ୍ୱାର୍ଥର କେନ୍ଦ୍ରବିନ୍ଦୁ ବୋଲି ଅନୁମାନ କରାଯାଉଛି।

ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନା ଚକ୍ରାନ୍ତ
କୋରାପୁଟର କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଭିତରେ ବିବାଦ ଛିଣ୍ଡୁ ନ ଥିବା ବେଳେ ଏପରି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କ ଗସ୍ତ ଘଟଣାକୁ ବହୁରି ରଙ୍ଗୀନ କରିଛି। ରାଜନଙ୍କ ଗସ୍ତକୁ ନେଇ ଏବେ ସୀମା ବିବାଦ ତେଜିବାରେ ଲାଗିଛି। ସେ ନେରେଡିବାଲସାଠାରେ ପହଞ୍ଚି ଆନ୍ଧ୍ର ସରକାରଙ୍କ ଯୋଜନାର ପ୍ରଚାର କରିଛନ୍ତି। ଆନ୍ଧ୍ର ଯୋଜନାରେ ଲାଭ ପାଉଥିବା ହିତାଧିକାରୀଙ୍କୁ ଭେଟି ସମୀକ୍ଷା ମଧ୍ୟ କରିଥିବା ଜଣାପଡ଼ିଛି। ଶାନ୍ତିପୂର୍ଣ୍ଣ ସମାଧାନ ବଦଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରି କଳି ବଢ଼ାଇବାକୁ ଆନ୍ଧ୍ର ଉଦ୍ୟମ କରୁଛି। ଭତ୍ତା, ରାସନ, ପାନୀୟ ଜଳ, ବିଦ୍ୟୁତ, ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ, ଆମ୍ମାବାଡ଼ି, ଜଙ୍ଗଲ ଜମି ପଟ୍ଟା ଭଳି ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆନ୍ଧ୍ର ପ୍ରୟାସ କରୁଛି। ଗତ ୧୭ତାରିଖରେ ମଧ୍ୟ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ନେରେଡିବାଲାସା ଗାଁରେ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନେରେଡିବାଲସା, ଆର୍ଜୁବାଲସା, ଧୂଳିପଦର, ପାନକୁବାଲସା ଆଦି ଗାଁର ଲୋକ ଯୋଗଦେଇଥିଲେ। ଏହିଭଳି ଭାବରେ ଆନ୍ଧ୍ର ଲଗାତର ପ୍ରୟାସ ଜାରୀ ରଖିଥିଲା ବେଳେ ଓଡ଼ିଶା ସରକାରଙ୍କ ଖାମଖିଆଲି ମନୋଭାବ ହେତୁ ଧିରେଧିରେ କୋଟିଆ ଖସୁଥିବାର ଆଶଙ୍କା ବ୍ୟକ୍ତ କରାଯାଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us