ଧର୍ମେନ୍ଦ୍ରଙ୍କ ବଢ଼ିଲା ଗୁରୁତ୍ୱ:ବିଜୁ-ନବୀନଙ୍କ ପରେ ଇସ୍ପାତ ବିଭାଗର ହେଲେ କ୍ୟାବିନେଟ୍ ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତ୍ରିମଣ୍ଡଳର ସଭ୍ୟଙ୍କୁ ବିଭାଗ ଆବଣ୍ଟିତ କରିଛନ୍ତି।ଅମିତ ଶାହଙ୍କୁ ଗୃହ ବିଭାଗର ଦାୟିତ୍ୱ ଦେଇ କ୍ୟାବିନେଟରେ ନମ୍ବର-2ର ମର୍ଯାଦା ଦେଇଛନ୍ତି ମୋଦି।ପୂର୍ବତନ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦ ମିଳିଛି।ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣଙ୍କୁ ଅର୍ଥ ବିଭାଗ ମିଳିଛି।ତେବେ ନିତିନ ଗଡ଼କରୀ ପୂର୍ବପରି ସଡ଼କ ଓ ପରିବହନ ମନ୍ତ୍ରଣାଳୟ ସମ୍ଭାଳିବେ।ପିୟୁଷ ଗୋଏଲଙ୍କ ଦାୟିତ୍ୱ ବଢ଼ିଛି।ସେ ରେଳ ବିଭାଗ ସହ ବାଣିଜ୍ୟ ମନ୍ତ୍ରଣାଳୟର ଦାୟିତ୍ୱରେ ରହିବେ।ଏସ୍.ଜୟଶଙ୍କରଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ବୈଦଶିକ ବ୍ୟାପାର ବିଭାଗ।

ପେଟ୍ରୋଲିୟମ ମନ୍ତ୍ରଣାଳୟରେ 5ବର୍ଷ
ଓଡ଼ିଶା ପାଇଁ ଖୁସିର ଖବର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି।ପୂର୍ବ ପରି ପେଟ୍ରୋଲିୟମ ବିଭାଗ ସହ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିବେ ଧର୍ମେନ୍ଦ୍ର।ପ୍ରଥମତଃ ପେଟ୍ରୋଲିୟମ ମନ୍ତ୍ରୀ ଭାବେ 5ବର୍ଷ କାର୍ଯ୍ୟ କରିବାରେ ରେକର୍ଡ କଲେ ଧର୍ମେନ୍ଦ୍ର ପ୍ରଧାନ।କାରଣ ପେଟ୍ରୋଲିୟମ ବିଭାଗର ମନ୍ତ୍ରୀ ପଦ ସବୁବେଳେ ପରିବର୍ତ୍ତନ ହୋଇଥାଏ। ତେବେ ପ୍ରଧାନମନ୍ତ୍ରୀ ଉଜ୍ୱଲା ଯୋଜନାରେ ଗରିବ ଲୋକଙ୍କୁ ରନ୍ଧନ ଗ୍ୟାସ ଯୋଗାଇ ଖୁବ ଲୋକପ୍ରିୟ ହୋଇଛନ୍ତି ଧର୍ମେନ୍ଦ୍ର।ସେଥିପାଇଁ ପ୍ରଧାନମନ୍ତ୍ରୀ,ଇସ୍ପାତ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଧର୍ମେନ୍ଦ୍ରଙ୍କ କାନ୍ଧରେ ରଖିଛନ୍ତି।
ଇସ୍ପାତ ବିଭାଗରେ ଓଡ଼ିଆଙ୍କ ଦବଦବା
ଅବଶ୍ୟ ଅଣକଂଗ୍ରେସ ସରକାର ସମୟରେ ଇସ୍ପାତ ବିଭାଗ ଓଡ଼ିଶା ଭାଗରେ ପଡ଼ିଥାଏ।1977ରେ ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଦେଶର ପ୍ରଥମ ଅଣକଂଗ୍ରେସ ସରକାରରେ ବିଜୁ ପଟ୍ଟନାୟକ ହୋଇଥିଲେ ଇସ୍ପାତ ମନ୍ତ୍ରୀ। ସେହିଭଳି1998ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ନବୀନ ପଟ୍ଟନାୟକ ମଧ୍ୟ ଇସ୍ପାତ ବିଭାଗର ଦାୟିତ୍ୱରେ ରହିଥିଲେ।ତେବେ ନବୀନ ମୁଖ୍ୟମନ୍ତ୍ରୀ ହେବା ପରେ ବିଜେଡିର ଦିଲ୍ଲୀପ ରାୟ ଏବଂ ବ୍ରଜକିଶୋର ତ୍ରିପାଠୀ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ।ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ପରି ଏବେ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି।

ଅନ୍ୟପଟେ ପ୍ରଥମ ଥର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ସହ MSME ବିଭାଗ ମିଳିଛି। ଗତକାଲି( ମେ 30) ଶପଥ ନେଇଥିବା 24ଜଣ କ୍ୟାବିନେଟ ମନ୍ତ୍ରୀ ଓ 9ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ 24ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ଦାୟିତ୍ୱ ଆବଣ୍ଟିତ କରିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ସନ୍ଧ୍ୟାରେ କ୍ୟାବିନେଟରେ ବୈଠକ ରହିଛି।
Imran Khan
ବିଜୟ ସାରଙ୍କ ବିଶ୍ଳେଷଣ ଅତୁଳନୀୟ