ରାଜନୀତିରେ ବଂଶବାଦ କିଛି ନୂଆ କଥା ନୁହେଁ। ଅନେକ ନେତା ତାଙ୍କ ଦାୟାଦମାନଙ୍କୁ ଦେଇଛନ୍ତି ପଲିଟିକ୍ସ ପାସ୍। କିନ୍ତୁ ରାଜ୍ୟ ରାଜନୀତିରେ ଘଟିଛି ବିରଳ ଘଟଣା। ପୁଅକୁ ନିଲମ୍ବିତ କରିବାକୁ ଖୋଦ୍ ବାପା ଦେଇଛନ୍ତି ପ୍ରସ୍ତାବ। କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ। କଂଗ୍ରେସର ଶୃଙ୍ଖଳା କମିଟି ପକ୍ଷରୁ ମନ୍ମଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଂଗ୍ରେସର ସଦସ୍ୟ ଥାଇ ସୁଦ୍ଧା ଦଳରେ ନଥିବା ନେଇ ବୟାନ ରଖିଥିଲେ ମନ୍ମଥ। ଯାହାକୁ ନେଇ ମନ୍ମଥଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ଏହାର ଉତ୍ତର ନରଖିବାରୁ ତାଙ୍କୁ ନିଲମ୍ବନ କରାଯାଇଛି।
ସୁରଙ୍କ ପୁଅ ମନ୍ମଥ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ,୨୦୨୪ରେ ସେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ ନାହିଁ। ଏପରିକି କଂଗ୍ରେସରୁ ତାଙ୍କୁ ଲୋକେ ଦେଖିବାକୁ ପସନ୍ଦ କରୁନଥିବା ନେଇ ସର୍ଭେ ରିପୋର୍ଟ ଆସିଥିବା କହିଥିଲେ ମନ୍ମଥ। ତେଣୁ ଅଞ୍ଚଳବାସୀଙ୍କ ପାଇଁ ଯେଉଁ ଦଳ ଭଲ ହେବ ସେହି ଦଳରେ ସାମିଲ ହେବି ଏବଂ ଅକ୍ଟୋବରରେ ଚୂଡାନ୍ତ ନିଷ୍ପତ୍ତି ବୋଲି କହିଥିଲେ । ମନ୍ମଥଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବିଧାୟକ ସୁର ରାଉତରାୟ ତାଙ୍କୁ ସସ୍ପେଣ୍ଡ କରିବାକୁ କହିଥିଲେ।
ଦଳରେ ଯିଏ ଶୃଙ୍ଖଳା ଭଙ୍ଗ କରିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ନିୟମ ପାଇଁ ତାଙ୍କ ପୁଅ ଶୃଙ୍ଖଳା ଭଙ୍ଗ କରିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ କୌଣସି ଆପତ୍ତି ନଥିବା କହିଥିଲେ ସୁର। ଯାହାଦ୍ୱାରା କଂଗ୍ରେସ କର୍ମୀ ଓ ନେତାଙ୍କୁ ଦଳର ଶୃଙ୍ଖଳା ନେଇ ଭଲ ବାର୍ତ୍ତା ଯିବ। ଦଳରେ ଶୃଙ୍ଖଳା ନିହାତି ଜରୁରୀ ବୋଲି ସେ ମତ ରଖିଥିଲେ।ମନ୍ମଥଙ୍କ ନିଲମ୍ବନ ପରେ ତାଙ୍କ ପଲିଟିକାଲ କ୍ୟାରୀୟରକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।