Biju-Yuba-Bahini

ଭୁବନେଶ୍ୱର:ଜରୁରୀ କାଳୀନ ପରିସ୍ଥିତି ସମୟରେ ଓଡ଼ିଶାରେ ଥିଲା ନନ୍ଦିନୀ ଶତପଥୀଙ୍କ ନେତୃତ୍ୱାଧିନ ସରକାର।୧୯୭୫ମସିହା ବେଳେ ପୋଲିସର ବର୍ବରତା ବଢ଼ି ଯାଇଥିଲା। ବିରୋଧିଙ୍କୁ ଦମନ କରିବାକୁ ପୋଲିସ ସହ ମିଶି ଯାଇଥିଲା ଟିସା(TISSA) ତଥାଗତ ଇଣ୍ଟେଲଜେନ୍ସି ସିକ୍ରେଟ୍ ସର୍ଭିସ୍ ଏଜେନ୍ସି-ଟିସା। ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସାନପୁଅ ତଥାଗତ, ସେହି ଟିସା ସଂଗଠନକୁ ଚଳାଉଥିଲେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ନିଜ ଆତ୍ମଜୀବନୀ ସ୍ମୃତି ଓ ଅନୁଭୂତି ପୁସ୍ତକରେ ଲେଖିଛନ୍ତି। ତେବେ ତତ୍କାଳୀନ ସୁପର ପିଏମ୍ ସଞ୍ଜୟ ଗାନ୍ଧିଙ୍କ ଘନିଷ୍ଠ ରାମଚନ୍ଦ୍ର ରଥ, ନନ୍ଦିନୀ ଶତପଥୀଙ୍କୁ ଖାତିର କରୁନଥିଲେ। ସେଥିପାଇଁ ସେ ସମୟରେ ରାମଚନ୍ଦ୍ର ରଥଙ୍କ ନେତୃତ୍ୱାଧିନ ଯୁବକଂଗ୍ରେସକୁ କାଉଣ୍ଟର କରିବାକୁ ଗଠନ ହୋଇଥିଲା ଟିସା। ତେବେ ଟିସାର ଗୁଣ୍ଡା ଗର୍ଦ୍ଦି ଏତେ ବଢ଼ି ଯାଇଥିଲା ଯେ ନନ୍ଦିନୀଙ୍କ ବିରୋଧି ଭାବେ ଜଣାଶୁଣା ବାଙ୍କ ବିହାରୀ ଦାସଙ୍କ ଭଳି ନେତାଏ ଭୟରେ ମର୍ଣିଂ ଓ୍ୱାକ କରିବା ବନ୍ଦ କରି ଦେଇଥିଲେ।NILAMANI-ROUTRAY(ନୀଳମଣିରାଉତରାୟ-ପୂର୍ବତନ ମୁଖ୍ୟମନ୍ତ୍ରୀ)
ପୋଲିସ ଶିଖାଉଥିଲେ ବନ୍ଧୁକ ଚାଳନା
ନୀଳମଣି ରାଉତରାୟ ନିଜ ଆତ୍ମଜୀବନୀ ପୁସ୍ତକରେ ଲେଖିଛନ୍ତି ଯେ ଗୋଇନ୍ଦା ବିଭାଗ ପରି ଟିସା ମଧ୍ୟ ରାଜନେତାଙ୍କ ବାବଦରେ ତଥ୍ୟ ସଂଗ୍ରହ କରୁଥିଲା। ଏପରିକି ପୋଲିସ ଫୋର୍ସ ସହାୟତାରେ ଟିସାର ସଭ୍ୟଙ୍କୁ ବନ୍ଧୁକ ଚାଳନା ଶିଖା ଯାଉଥିଲା। ତତ୍କାଳୀନ ପୋଲିସ ଆଇଜିଙ୍କ ନିର୍ଦ୍ଦେଶରେ ଟିସାର ସଦସ୍ୟମାନେ ପୋଲିସ ମାଲଖାନାରୁ ରିଭଲଭର୍ ଓ ଗୁଳି ନେଇ ବ୍ୟବହାର କରୁଥିଲେ। ଗୁଇନ୍ଦା ଖବର ସଂଗ୍ରହ ପାଇଁ ପୋଲିସ ପ୍ରଶାସନକୁ ମିଳୁଥିବା ଅଡିଟ୍ ବାହାରର ଅର୍ଥ, ଟିସା ଲାଗି ବିନିଯୋଗ ହେଉଥିଲା ବେଲି ତଦନ୍ତରୁ ସ୍ପଷ୍ଟ ହୋଇଥିଲା। କଲିକତାର ସମାଜବିରୋଧି ତତ୍ତ୍ୱଙ୍କ ସହ ମିଶି ପାଇପଗନ୍,ଷ୍ଟେନଗନ୍,ରିଭଲଭର ଓ ବୋମା କିଣାଯାଇ ବିରୋଧିଙ୍କୁ ଖତମ କରିଦେବା ଯୋଜନା ଟିସା କରୁଥିବା ଅଭିଯୋଗ ହେଉଥିଲା। ଭୁବନେଶ୍ୱର,କଟକ,ଢେଙ୍କାନାଳ ଓ ବ୍ରହ୍ମପୁର ସମେତ ଓଡ଼ିଶାର ଅନେକ ସ୍ଥାନରେ ନନ୍ଦିନୀ ଶତପଥୀଙ୍କ ବିରୋଧିଙ୍କ ଉପରେ ଟିସା ପକ୍ଷରୁ ଆକ୍ରମଣ ହେଲା।Nandini-Satpathy     (ନନ୍ଦିନୀ ଶତପଥୀ-ପୂର୍ବତନ ମୁଖ୍ୟମନ୍ତ୍ରୀ)
ଟିସାକୁ କାଉଣ୍ଟର କରିବାକୁ ବିଏସଏଫ୍ ଜବାନ ଆସିଥିଲେ
ଟିସା ବଳରେ ବଳୀୟାନ ନନ୍ଦିନୀ ଶତପଥୀ ନିଜକୁ ଏସିଆର ଉଦିତ ସୂର୍ଯ୍ୟ ଭାବେ ପ୍ରୋଜେକ୍ଟ କରୁଥିଲେ। ସଚିବାଳୟର ପାଚେରୀରେ ମଧ୍ୟ ଏସିଆର ଉଦିତ ସୂର୍ଯ୍ୟ-ନନ୍ଦିନୀ ବୋଲି ଲେଖା ହେଲା। ଶୁଣାଯାଏ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କା ସେହି ଲେଖାର ଏକ ଫଟୋଚିତ୍ର ଇନ୍ଦିରା ଗାନ୍ଧିଙ୍କୁ ଦେଖାଇ ଟିସାର ଉତ୍ପାତ କଥା ବର୍ଣ୍ଣନା କରିଥିଲେ। ଫଳରେ ସଞ୍ଜୟ ଗାନ୍ଧିଙ୍କ ନିର୍ଦ୍ଦେଶରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଓଁ ମେହେଟ୍ଟା ଓଡ଼ିଶା ଆସି ବାସ୍ତବ ଚିତ୍ର ଅନୁଧ୍ୟାନ କରିଥିଲେ। ଆଉ ନନ୍ଦିନୀ ଶତପଥୀଙ୍କୁ ହଟାଇ ବିନାୟକ ଆଚାର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ଗ୍ରହଣ ହୋଇଥିଲା। ଫଳରେ ୧୬ଡିସେମ୍ବର ୧୯୭୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ହେଲେ ଇସ୍ତଫା ଦେବାକୁ ଅମଙ୍ଗ ଥିବା ନନ୍ଦିନୀ ଶତପଥୀଙ୍କ ଟିସାକୁ ଲକ୍ଷ୍ୟରେ ରଖି ସେ ସମୟରେ ବିଏସଏଫ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ଟ୍ରେନ ଓ ବିମାନରେ ଆସି ଭୁବନେଶ୍ୱର ପହଞ୍ଚିଥିଲେ। ସାବାଡ୍ ହୋଇଥିଲା ଗୁଣ୍ଡା ବାହିନୀ ଟିସା। ନନ୍ଦିନୀ ଶତପଥୀଙ୍କ ଘରେ ପୋଲିସ ରେଡରୁ ସ୍ପଷ୍ଟ ହୋଇଥିଲା ଯେ ପୋଲିସ ଗୁଇନ୍ଦା ବିଭାଗର ସାମନ୍ତରାଳୟ ସଂଗଠନ ଥିଲା ଟିସା।
ଟିସାର ନବକଳେବର!
ପ୍ରାୟ ୪ ଦଶନ୍ଧି ପରେ ଟିସା ପୁଣି ଭିନ୍ନ ରୂପରେ ଆସିଛି ବୋଲି ଚର୍ଚ୍ଚା ହେଲାଣି। ଓଡ଼ିଶା ସରକାରଙ୍କ ବିଜୁ ଯୁବ ବାହିନୀ ଟିସାର ଅବିକଳ ବୋଲି ବିରୋଧି ଦଳ ଅଭିଯୋଗ କରୁଛନ୍ତି।ତେବେ ଯୁବଗୋଷ୍ଟୀ ମଧ୍ୟରେ ନେତୃତ୍ୱ ବିକାଶ ସହ ସମାଜସେବା ମନୋବୃତ୍ତି ଲକ୍ଷ୍ୟରେ ଓଡ଼ିଶା ସରକାର ଗଠନ କରିଛନ୍ତି ବିଜୁ ଯୁବ ବାହିନୀ। ୧୫ରୁ ୩୫ବର୍ଷ ପର୍ଯ୍ୟନ୍ତ ଯୁବକଙ୍କୁ ନେଇ ପଞ୍ଚାୟତ ସ୍ତରରୁ ଗଠନ ହୋଇଥିବା ବିଜୁ ଯୁବ ବାହିନୀକୁ ଗତ ମାର୍ଚ୍ଚ ୧୪ରେ କ୍ୟାବିନେଟ୍ ମୋହର ମିଳିଛି। କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅଧିନରେ ଥିବା ବିଜୁ ଯୁବ ବାହିନୀ ପାଇଁ ପଞ୍ଚାୟତ ସ୍ତରରୁ ନିଯୁକ୍ତ ହେଉଛନ୍ତି କର୍ମକର୍ତ୍ତା। ତେବେ ବିଜେପି-କଂଗ୍ରେସର ଅଭିଯୋଗ ଯେ ସରକାରୀ ଅର୍ଥରେ ବିଜୁ ଯୁବ ବାହିନୀ ଗଠନ ହୋଇଥିଲେ ମଧ୍ୟ ଏହା ବିଜେଡି ପାଇଁ କାର୍ଯ୍ୟ କରୁଛି। ଏହା ବିଜୁ ଯୁବ ବାହିନୀ ନୁହେଁ,  ବିଜୁ ଗୁଣ୍ଡା ବାହିନୀ ବୋଲି ବିରୋଧି ଅଭିଯୋଗ କରିଛନ୍ତି।BIJU-YUVA VAHINସିଏଜିଙ୍କୁ ତଥ୍ୟ ଦେଉନାହାଁନ୍ତି
ବିଜୁ ଯୁବ ବାହିନୀ ଲାଗି ୧-କେଉଁ ଠାରୁ ଅର୍ଥ ଆସୁଛି, ୨-ଏହାର ବାର୍ଷିକ ବଜେଟ୍ କେତେ, ୩-କେଉଁ ବିଭାଗ ସେହି ଅର୍ଥକୁ ଖର୍ଚ୍ଚ କରୁଛନ୍ତି, ୪-ହିତାଧିକାରୀ ଚୟନ ପ୍ରକ୍ରିୟା କଣ ଏବଂ ୫-ଅର୍ଥ ଖର୍ଚ୍ଚର ତଦାରଖ ଓ ସ୍ୱଚ୍ଛତା ଲାଗି କି ପଦକ୍ଷେପ ନିଆଯାଇଛି ବୋଲି ବିଜେପି-କଂଗ୍ରେସ ପ୍ରଶ୍ନ କରୁଛନ୍ତି। ଏହାସହ ବିଜୁ ଯୁବ ବାହିନୀର ଅଡିଟ୍ ସିଏଜିଙ୍କ ଦ୍ୱାରା କରିବା ଲାଗି ବିରୋଧି ଦାବି କଲେ। କିନ୍ତୁ ବିଶ୍ୱକପ ହକିରେ ବ୍ୟସ୍ତ ଥିବା କହି ରାଜ୍ୟ ସରକାର ସିଏଜିଙ୍କୁ ବିଜୁ ଯୁବ ବାହିନୀ ବାବଦରେ ତଥ୍ୟ ଦେଇନାହାଁନ୍ତି। ତେବେ ଟିସାର ପରାମର୍ଶଦାତା ଯେପରି ଜଣେ ଆଇଜି ପାହ୍ୟାରେ ପୋଲିସ ଅଫିସର ଥିଲେ, ଏବେ ବିଜୁ ଯୁବ ବାହିନୀର ମୁଖ୍ୟ ଅଛନ୍ତି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକ। ତାହଲେ ରାଜନୈତିକ ହିଂସାକୁ ପ୍ରଶୟ ଦେଉନଥିବା ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଚୌକି ଲାଗି, ବିଜୁ ଯୁବ ବାହିନୀ ଘାତକ ହେବ ନାହିଁ ତ ?
ଏଥିସହ ପଢ଼ନ୍ତୁ-କୋହଲି ଖାଇଥିଲେ ଶକ୍ତ ଚାପୁଡ଼ା, ଆଜି ବି ମନେ ପଡ଼ିଲେ କାନ ମୂଳ ଝାଇଁ ଝାଇଁ କରେ