ସିଡନୀରେ ଭାରତ ପରାଜୟର ୫ଟି କାରଣ ବିଶ୍ୱକପ ପୂର୍ବରୁ ଶୁଭ ସଙ୍କେତ ନୁହେଁ

ଟେଷ୍ଟ ସିରିଜ ବିଜୟ ପରେ କ୍ରିକେଟ ପ୍ରେମୀ ଆଶା ରଖିଥିଲେ ବିଜୟରୁ ଦିନିକିଆ ଅଭିଯାନ ଆରମ୍ଭ କରିବ ଭାରତ। କିନ୍ତୁ ଆଶା ପୂରଣ ହେଲାନି। ସିଡନୀ ଓ୍ଵାନ ଡେରେ ଅଷ୍ଟ୍ରେଲିଆ ଦେଇଥିବା ୨୮୯ରନର ଟାଗେର୍ଟଠାରୁ ୩୪ ରନ ପଛରେ ରହିଗଲା ବିରାଟ ବାହିନୀ। ରୋହିତ ଶର୍ମା ଏକାକୀ ୧୩୩ ରନର ଶତକୀୟ ଇନିଂସ ଖେଳିଥିଲେ ବି ମ୍ୟାଚକୁ ବଞ୍ଚାଇ ପାରିଲେ ନାହିଁ। ପରାଜୟର ୫ଟି ପ୍ରମୁଖ କାରଣ ରହିଛି, ଯାହା ବିଶ୍ୱକପ୍ ପୂର୍ବରୁ ଜମାରୁ ଶୁଭ ସଙ୍କେତ ଦେଉନି।
୧. ରୋହିତଙ୍କୁ ସାଥ ଦେଲେନି ସାଥି ଖେଳାଳି

ରୋହିତ ଶର୍ମା ୧୨୯ ବଲରେ ୧୩୩ ରନ୍ କରିଥିଲେ। ୧୦ଟି ଚୌକା ଓ ୬ଟି ବିଶାଳ ଛକା ମାରିଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କୁ ଏକାକୀ ସାମନା କରିଥିଲେ ରୋହିତ। ଯେତେ ପର୍ଯ୍ୟନ୍ତ ସେ କ୍ରିଜରେ ଥିଲେ ଆଶା ଥିଲା ଟିମ୍ ଇଣ୍ଡିଆ ଜିତିବ। ୪୬ତମ ଓଭରରେ ରୋହିତ ଆଉଟ ହେବା ପରେ ଅଷ୍ଟ୍ରେଲିଆର ବିଜୟ ସୁନିଶ୍ଚିତ ହୋଇଥିଲା। ରୋହିତ ଶର୍ମା ଓ ଧୋନିଙ୍କ ଛାଡ଼ିଥିଲେ, ଆଉ କେହି କ୍ଲିକ କରି ନଥିଲେ। ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ ୬ ଜଣ ଖେଳାଳି। ସମସ୍ତେ ୧୦ ରନ୍ ଲେଖାଏଁ କରିଥିଲେ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇ ଥାଆନ୍ତା ଟିମ୍ ଇଣ୍ଡିଆ।
୨. ଧୋନି ଭଲ ଖେଳିଲେ, କିନ୍ତୁ ଧିମା ଇନିଂସ ଥିଲା

ଆବଶ୍ୟକ ବେଳେ ରୋହିତ ଶର୍ମାଙ୍କ ସହ ମିଶି ଇନିଂସ ସମ୍ଭାଳିଥିଲେ ଧୋନି। ଉପଯୋଗୀ ରନ୍ କରିଥିଲେ ବି ଚାପ ଯୋଗୁ ବଡ଼ ସର୍ଟ ଖେଳି ପାରି ନଥିଲେ। ୫୧ ରନ୍ କରିଥିଲେ। କିନ୍ତୁ ଖେଳିଥିଲେ ୯୬ଟି ବଲ୍। ଏହା ହେଉଛି ଧୋନିଙ୍କ କ୍ୟାରିଅରର ସବୁଠୁ ଦ୍ୱିତୀୟ ମନ୍ଥର ଇନିଂସ। ନିୟମିତ ଖସି ଚାଲିଥିଲା ଆବଶ୍ୟକ ରନ୍ ରେଟ୍। ଶେଷରେ ଦ୍ରୁତ ରନ୍ ଚକ୍କରରେ ଆଉଟ୍ ହୋଇଥିଲେ ରୋହିତ। ଧୋନି-ରୋହିତ ଯୋଡ଼ି ୧୩୯ ରନ୍ କରିଥିଲେ। ଧୋନି ଦ୍ରୁତ ରନ୍ ବାହାର କରିଥିଲେ, ଭାରତ ଟାଗେର୍ଟରେ ପହଞ୍ଚି ପାରି ଥାଆନ୍ତା। ରନ୍ ଆବଶ୍ୟକ ବେଳେ ଆଉଟ୍ ହୋଇଗଲେ ଧୋନି।
୩. ଆରମ୍ଭରୁ ଖସିଗଲା ୩ଟି ଓ୍ଵିକେଟ

୨୮୯ ରନ୍ ଟାଗେର୍ଟକୁ ଭାରତ ସହଜରେ ହାସଲ କରି ନେବ ବୋଲି ଫ୍ୟାନ ଭାବିଥିଲେ। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଆରମ୍ଭରୁ ନିରାଶ କରିଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍। ଦଳୀୟ ସ୍କୋର ୪ ରନରେ ପାଭିଲନ୍ ଫେରିଥିଲେ ଶିଧର ଓଧ୍ୱନ, ବିରାଟ କୋହଲି ଓ ଅମ୍ବାତି ରାୟଡୁ। ଧଓ୍ଵନ ଓ ରାୟଡୁ ଖାତା ଖୋଲିବା ଆଗରୁ ଆଉଟ୍ ହୋଇଥିବା ବେଳେ ବିରାଟଙ୍କ ବ୍ୟାଟରୁ ବାହାରିଥିଲା ମାତ୍ର ୩ରନ୍। ଏଥିପାଇଁ ଅନ୍ୟ ଖେଳାଳିଙ୍କ ଉପରେ ଚାପ ବଢ଼ିଥିଲା ଓ ଇନିଂସ ସମ୍ଭାଳିବ ଥିଲା କଷ୍ଟକର। ଦେଖିରଖି ଖେଳିବାରୁ ଶେଷ ଆଡକୁ ଟାଗେର୍ଟରେ ପହଞ୍ଚି ପାରିଲା ନାହିଁ ଟିମ୍ ଇଣ୍ଡିଆ।
୪. ଡେଥ୍ ଓଭରରେ ଖରାପ ବୋଲିଂ

୪୦ ଓଭର ପର୍ଯ୍ୟନ୍ତ ଭାରତ ଭଲ ବୋଲିଂ କରିଥିଲା। ଅଷ୍ଟ୍ରେଲିଆ ଉପରେ ଚାପ ପକାଇଥିଲେ ବୋଲର। ଉସମାନ ଖଓ୍ଵାଜା, ସନ୍ ମାର୍ଶ ଆଉଟ୍ ହେବା ପରେ ପିଟର ହ୍ୟାଣ୍ଡସକମ୍ବ, ମାର୍କସ ଷ୍ଟୋଇନିସ୍, ଗ୍ଲେନ୍ ମ୍ୟାକ୍ସଓ୍ଵେଲ୍ ଶେଷ ଆଡକୁ ରନ୍ ବାହାର କରିଥିଲେ। ହ୍ୟାଣ୍ଡସକମ୍ବ ୬୧ ବଲରେ ୬ଟି ଚୌକା ଓ ୨ଟି ଛକା ବଳରେ ୭୩ ରନ୍ କରିଥିଲେ। ୪୦ ଓଭର ପରେ ଅଷ୍ଟ୍ରେଲିଆର ସ୍କୋର ୪ ଓ୍ଵିକେଟରେ ୧୯୫ ଥିଲା। ଶେଷ ୧୦ ଓଭରରେ ୯୩ ରନ୍ ଯୋଡ଼ିଥିଲା। ଭୁବନେଶ୍ୱର କୁମାର ନିଜ କୋଟାରେ ୬୬ ରନ୍ ଓ କୁଳଦୀପ ଯାଦବ ୫୪ ରନ୍ ବ୍ୟୟ କରିଥିଲେ। ଏହି କାରଣ ପାଇଁ ବଡ଼ ସ୍କୋର କଲା ଅଷ୍ଟ୍ରେଲିଆ।
୫. ଖଲିଲ ଅହମ୍ମଦଙ୍କ ଖରାପ ବୋଲିଂ

ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ ଖଲିଲ ଅହମ୍ମଦ ଫାଷ୍ଟ ବୋଲିଂ ଭାର ସମ୍ଭାଳିଥିଲେ। ଆରମ୍ଭରେ ଭୁବନେଶ୍ୱର କୁମାର ଓ ସାମି ରନ୍ ଚାପିବା ବେଳେ ରନ୍ ଖର୍ଚ୍ଚ କରିଥିଲେ ଖଲିଲ ଅହମ୍ମଦ। ୧୦ ଓଭର କୋଟା ପୂରଣ କରି ପାରିନଥିଲେ। ୮ ଓଭର ବୋଲିଂ କରି ୫୫ ରନ୍ ଦେଇଥିବା ବେଳେ ଗୋଟିଏ ବି ଓ୍ଵିକେଟ ଖସାଇ ପାରି ନଥିଲେ। ତାଙ୍କର ବାକି ଦୁଇ ଓଭଲ ବଲ୍ ଫିଙ୍ଗିଥିଲେ ଅମ୍ବାଦି ରାୟଡୁ। ଖଲିଲ ଭଲ ବୋଲିଂ କରିଥିଲେ ବଡ଼ ସ୍କୋର କରିବାରେ ବ୍ରେକ୍ ଲାଗି ଥାଆନ୍ତା।
ଫିଲ୍ମ ଖବର ପଢ଼ନ୍ତୁ: ପୈସା କ୍ୟା ନକରେ କାମ୍:କୋଟିପତିଙ୍କ ଲାଇଫ ପାର୍ଟନର ବି-ଟାଉନ ସେଲିବ୍ରିଟି
ସିରିଜର ପ୍ରଥମ ମ୍ୟାଚ୍ ହାରିଗଲା ଟିମ୍ ଇଣ୍ଡିଆ। ୧୫ ତାରିଖରେ ଏଡିଲେଟରେ ଲଢ଼େଇ ଓ ତୃତୀୟ ଦିନିକିଆ ୧୮ ଜାନୁଆରୀରେ ମେଲବର୍ଣ୍ଣରେ ଖେଳାଯିବ। ଆଶା କରିବା ସିଡନୀ ତ୍ରୁଟି ଆଗକୁ ଦୋହରାଇବା ନାହିଁ କୋହଲି ଏଣ୍ଡ କୋ। ଅଷ୍ଟ୍ରେଲିଆ ମାଟିରେ ସିରିଜ ଜିତି ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଟିମ୍ ଇିଣ୍ଡିଆ।
ପଢ଼ନ୍ତୁ: VP ସିଂହ ଶୁଣି ନଥିଲେ:କିନ୍ତୁ ମୋଦି,ବିଜୁଙ୍କ ଇଚ୍ଛାକୁ ପୂରଣ କଲେ!
Connect With Us