VP ସିଂହ ଶୁଣି ନଥିଲେ:କିନ୍ତୁ ମୋଦି,ବିଜୁଙ୍କ ଇଚ୍ଛାକୁ ପୂରଣ କଲେ!

ଭୁବନେଶ୍ୱର:୧୯ ସେପ୍ଟମ୍ବର ୧୯୯୦ରେ ଆସିଲା ଛାତ୍ର ଆତ୍ମାହୂତିର ଖବର। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦେଶବନ୍ଧୁ କଲେଜର ଛାତ୍ର ରାଜୀବ ଗୋସ୍ୱାମୀ ଓ ସୁରେନ୍ଦ୍ର ସିଂ ଚୌହାନଙ୍କ ଆତ୍ମଦାହ ଖବର, ପୂରା ଦେଶକୁ ଦୋହଲାଇ ଦେଲା। ମଣ୍ଡଳ କମିଶନଙ୍କ ରିପୋର୍ଟକୁ ବିରୋଧ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିବା ଛାତ୍ର ଅଶାନ୍ତି, ଦେଶର ୨୨ଟି ବିଶ୍ୱବିଦ୍ୟାଳୟକୁ ଡେଇଁଲା। ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ପଛୁଆବର୍ଗଙ୍କ ଲାଗି ମଣ୍ଡଳ କମିଶନଙ୍କ ସଂରକ୍ଷଣ ନୀତିକୁ ବିରୋଧ ହେଲା। ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କ ଲାଗି ୨୭% ସଂରକ୍ଷଣ ନିଷ୍ପତ୍ତିକୁ ନେଇ ସାରା ରାଜ୍ୟରେ ବିଦ୍ରୋହ ଦେଖାଗଲା। ହେଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହ ଦେଶର ଅଶାନ୍ତିକୁ ଅଣଦେଖା କରିଦେଲେ। ବରଂ ଅଧ୍ୟାଦେଶ ବଳରେ ୧୩ଅଗଷ୍ଟ ୧୯୯୦ରେ ମଣ୍ଡଳ କମିଶନ ସୁପାରିଶକୁ ଲାଗୁ କଲେ। ସେପଟେ ଭି.ପି.ସିଂହଙ୍କ ଦୃଢ଼ ସମର୍ଥକ ତଥା ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରଖୁଥିଲେ ଭିନ୍ନ ମତ।

ବିଜୁଙ୍କ ପ୍ରେସମିଟ୍
ରାଜ୍ୟରେ ଛାତ୍ର ଅଶାନ୍ତିକୁ ଦେଖି ବିଜୁ ପଟ୍ଟନାୟକ ୨୭ଅଗଷ୍ଟ ୧୯୯୦ରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ପ୍ରଧାନମନ୍ତ୍ରୀ ଭି.ପି.ସିଂହ, ଆମ ସହ ଆଲୋଚନା ନକରି ମଣ୍ଡଳ କମିଶନଙ୍କ ସୁପାରିଶ ଲାଗୁ କରିଛନ୍ତି। ଜାତି ଭିତ୍ତିରେ ନୁହେଁ, ଆର୍ଥିକ ସ୍ଥିତି ଆଧାରରେ ସରକାରୀ ଚାକିରିରେ ସଂରକ୍ଷଣ ରହିବା ଉଚିତ। ମଣ୍ଡଳ କମିଶନ ରିପୋର୍ଟ ଲାଗୁ କରି ଅଯଥାରେ ଦେଶରେ ଜାତିଆଣ ହିଂସା ସୁଷ୍ଟି କରିଛନ୍ତି ବୋଲି ବିଜୁ ପଟ୍ଟନାୟକ କହିଥିଲେ। ତେବେ ଭି.ପି.ସିଂହ,ବିଜୁଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ। ବରଂ ଓଡ଼ିଶାର ୧୨ରୁ ଅଧିକ ସାଂସଦଙ୍କ ସହ ଚର୍ଚ୍ଚା କରି, ବିଜୁଙ୍କ ବିଚାରକୁ ଅଣଦେଖା କରି ଦେଇଥିଲେ ଭି.ପି.। ନିଜ ରାଜ୍ୟର ଜନତା ଦଳ ସାଂସଦଙ୍କ ଆଭିମୁଖ୍ୟ ଦେଖି, ବିଜୁ ପଟ୍ଟନାୟକ ପଛଘୁଞ୍ଚା ଦେଇଥିଲେ। କିନ୍ତୁ ଜାତିଭିତ୍ତିକ ସଂରକ୍ଷଣ ବଦଳରେ ଗରିବଙ୍କୁ ଚାକିରିରେ ସଂରକ୍ଷଣ ମିଳୁ ବୋଲି ବାରମ୍ବାର ବିଜୁ କହୁଥିଲେ।
ଆରଏସଏସ ଚାପ
ଅପରପକ୍ଷରେ ଦଳିତବର୍ଗଙ୍କୁ ସାଙ୍ଗରେ ନେଇ ୨୦୧୯ ନିର୍ବାଚନକୁ ନିଜ ପକ୍ଷକୁ ନେବାକୁ ଚାହୁଁଛି ବିଜେପି ବିରୋଧି ରାଜନୈତିକ ଦଳ। ସେପେଟେ ସଂରକ୍ଷଣ ନୀତିର ସମୀକ୍ଷା ହେବା ଜରୁରୀ ବୋଲି ବାରମ୍ବାର ଆରଏସଏସ ପକ୍ଷରୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡୁଥିଲା। ଆଉ ଏହାରି ଭିତରେ ସାଧାରଣ ନିର୍ବାଚନର ୩ମାସ ଆଗରୁ ମାଷ୍ଟର ଷ୍ଟ୍ରୋକ୍ ଖେଳିଦେଲେ ନରେନ୍ଦ୍ର ମୋଦି। ୯୦ ଦଶକରେ ବିଜୁ ପଟ୍ଟନାୟକ ଯାହା ଚିନ୍ତା କରିଥିଲେ, ତାକୁ ୨୮ବର୍ଷ ପରେ ନରେନ୍ଦ୍ର ମୋଦି କାର୍ଯ୍ୟକାରୀ କରିଛନ୍ତି। ଉଚ୍ଚଜାତିର ଗରିବଙ୍କୁ ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ୧୦% ସଂରକ୍ଷଣ ଦେବାକୁ ନରେନ୍ଦ୍ର ମୋଦି ସରକାର ସମ୍ବିଧାନର ୧୨୪ତମ ସଂଶୋଧନ କରିଛନ୍ତି। ଯଦିଓ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ କହିଥିଲେ ତେବେ ଲୋକସଭା ଓ ରାଜ୍ୟସଭାରେ ସମ୍ବିଧାନର ୧୫ ଓ ୧୬ ଅନୁଚ୍ଛେଦ ସଂଶୋଧିତ ହୋଇଛି। ତେବେ ମୋଦିଙ୍କ ଦୃଷ୍ଟିରେ ଗରିବର ସଂଜ୍ଞା…
ସଂରକ୍ଷଣର ହକଦାର
ପରିବାରର ବାର୍ଷିକ ଆୟ ୮ଲକ୍ଷ ଟଙ୍କାରୁ କମ୍ ହେଉଥିବ
୫ଏକରରୁ କମ୍ ଚାଷ ଜମି ଥିବ
ବାସଗୃହର ଆୟତ୍ତନ ୧ହଜାର ବର୍ଗ ଫୁଟ୍ରୁ କମ୍ ହୋଇଥିବ
ପୌରାଞ୍ଚଳରେ ୯୦୦ ବର୍ଗଫୁଟରୁ ଅଧିକ ଘରବାଡ଼ି ଜମି ନଥିବ
ପୌରାଞ୍ଚଳ ବାହାରେ ୧ହଜାର ୮୦୦ ବର୍ଗଫୁଟରୁ ଅଧିକ ବାସଗୃହ ଜମି ନଥିବ
ପଢ଼ନ୍ତୁ
ବିଶ୍ୱର ମହାନ୍ କ୍ୟାପଟେନ୍, କିନ୍ତୁ ଭାରତରେ ଟେଷ୍ଟ ମ୍ୟାଚ୍ ଜିତିବା ଆଶା ରହିଗଲା ଅଧୁରା
Connect With Us