IPLର ସେଞ୍ଚୁରୀ ମାଷ୍ଟର ଗେଲ୍-ଡିଭିଲିୟର୍ସ: ସିକ୍ସର ବଏ ବିଜୟ-ପନ୍ଥ

ଆଇପିଏଲ୍ ସିଜିନ୍-୧୨ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ବେଙ୍ଗାଲୁରୁକୁ ହରାଇଛି ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ। ଆଇପିଏଲ କହିଲେ ରୋମାଞ୍ଚକୁ ବୁଝାଏ।ଠିଆ ହୁଏ ରନ୍ ପାହାଡ଼।କାହାର ବ୍ୟାଟ୍ ଚାଲିଲେ ରନ୍ ବର୍ଷା ହୁଏ। କେତେବେଳେ ଫଟାଫଟ ଗଳିପଡ଼େ ଓ୍ୱିକେଟ। ଏଥର ପ୍ରଥମ ମ୍ୟାଚରେ ଯାହା ଅବସ୍ଥା ହେଲା ଷ୍ଟାର ଖଚିତ ବେଙ୍ଗାଳୁରୁ ଟିମର। ୨୦ ଓଭରରେ କେହି କେହି ଏମିତି ଧୂଆଁଧାର ଶତକ ମାରନ୍ତି ଯାହାକୁ ବିଶ୍ୱାସ କରି ହୁଏନା। ନଜର ପକାଇବା ଆଇପିଏଲରେ ଶତକୀୟ ଇନିଂସ ଉପରେ।
କ୍ରିସ୍ ଗେଲ୍- ଅପରାଜିତ ୧୭୫ ରନ୍ (୨୦୧୩)
କ୍ରିକେଟର ୟୁନିଭର୍ସାଲ୍ ବସ୍, କ୍ରିସ୍ ଗେଲ୍। ୩୯ବର୍ଷରେ ବି ତାଙ୍କ ବ୍ୟାଟ୍ କଥା କହୁଛି। ଆଇପିଏଲ୍ ଇତିହାସରେ ସର୍ବାଧିକ ରନ୍ ସ୍କୋର କରିବା ରେକର୍ଡ ରହିଛି କ୍ରିସ୍ ଗେଲଙ୍କ ନାଁରେ।୨୦୧୩ରେ ପୁଣେ ଓ୍ୱାରିୟର୍ସ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିଥିଲେ। ୬୬ବଲରୁ ଅପରାଜିତ ୧୭୫ ରନ ଇନିଂସ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ପାଇଁ ଖେଳୁଥିବା ଗେଲ୍ ୧୭ବଲରେ ୫୦ ଓ ୩୦ବଲରେ ସେଞ୍ଚୁରୀ ମାରିଥିଲେ। ଟି-ଟ୍ୱେଣ୍ଟିରେ ସବୁଠାରୁ ଦ୍ରୁତତମ ଶତକ।
ବ୍ରେଣ୍ଡନ୍ ମ୍ୟାକକୁଲମ୍- ଅପରାଜିତ ୧୫୮ ରନ୍ (୨୦୦୮)
ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡାନ ମ୍ୟାକକୁଲମ୍, ଆଇପିଏଲ୍ ସିଜିନ ଆରମ୍ଭରେ ଦବଦବା ରଖିଥିଲେ। କୋଲକାତା ନାଇଟ୍ ରାଇଡର୍ସ ପାଇଁ ଚୁକ୍ତବଦ୍ଧ ହୋଇଥିଲେ। କିଛି ମ୍ୟାଚରେ ସେ ଖେଳିଥିଲେ ସ୍ମରଣୀୟ ଇନିଂସ। ୨୦୦୮ ମସିହାରେ ଗୋଟିଏ ମ୍ୟାଚରେ ଅପରାଜିତ ୧୫୮ରନ୍ ହାସଲ କରିଥିଲେ।ସାମନା କରିଥିଲେ ୭୩ଟି ବଲ୍। ଶତକୀୟ ଇନିଂସ ବଳରେ କେକେଆର୍ ମ୍ୟାଚ୍ ଜିତିଥିଲା।
ଏ.ବି. ଡିଭିଲିୟର୍ସ- ଅପରାଜିତ ୧୩୩ ରନ୍(୨୦୧୫)
କ୍ରିକେଟର ସୁପରମ୍ୟାନ୍ କୁହାଯାଉଥିବା ଏ.ବି.ଡିଭିଲିୟର୍ସ ରୟାଲଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ପାଇଁ ଖେଳୁଛନ୍ତି।୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ ବିପକ୍ଷରେ ଖେଳୁଥିଲେ।ସେହି ମ୍ୟାଚରେ ନିର୍ଧୁମ ପ୍ରହାର କରିଥିଲେ ଡିଭିଲିର୍ସ।୧୩୩ ରନରେ ନଟ୍ ଆଉଟ୍ ଥିଲେ।କୋହଲି ବି ଏହି ମ୍ୟାଚରେ ୮୨ରନ୍ କରିବାରୁ ଆରସିବି ଗୋଟିଏ ଓ୍ୱିକେଟରେ ୨୩୫ରନର ବିଶାଳ ସ୍କୋର ଠିଆ କରିଥିଲା। ୩୯ ରନରେ ହାରିଥିଲା ମୁମ୍ୱାଇ।
ଡିଭିଲିୟର୍ସ- ଅପରାଜିତ ୧୨୯ ରନ୍(୨୦୧୬)
୨୦୧୬ରେ ପୁଣି ଥରେ ଚମକିଥିଲ ଡିଭିଲିୟର୍ସ-ବିରାଟ କୋହଲି ଯୋଡ଼ି। ପୂର୍ବବର୍ଷ ରେକର୍ଡ ଭାଙ୍ଗିଥିଲେ। ଆଇପିଏଲର ଗୁଜୁରାୟ ଲାୟନ୍ସ ବିପକ୍ଷ ଏକ ମ୍ୟାଚରେ ଦୁହେଁ କରିଥିଲେ ୨୨୯ରନ୍ ପାର୍ଟନରସିପ୍। ଏହି ମ୍ୟାଚରେ ଡିଭିଲିୟର୍ସ ୧୨୯ ରନ୍ କରିଥିଲେ ଓ କୋହଲି ୧୦୯ ରନ୍ ପିଟିଥିଲେ।
କ୍ରିସ୍ ଗେଲ୍- ଅପରାଜିତ ୧୨୮ ରନ୍(୨୦୧୨)
ଆଇପିଏଲରେ ଗେଲ୍ ୬ଟି ସେଞ୍ଚୁରୀ ମାରିଛନ୍ତି। ଦ୍ୱିତୀୟ ସର୍ବାଧିକ ସ୍କୋର ହେଉଛି ଅପରାଜିତ ୧୨୮ ରନ୍। ଏଥିପାଇଁ ସେ ନେଇଥିଲେ୬୨ଟି ବଲ୍। ଏଭଳି ଜବରଦସ୍ତ ଇନିଂସ ସେ ଆଇପିଏଲର ପଞ୍ଚମ ସଂସ୍କରଣରେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନର ଦିଲ୍ଲୀ କ୍ୟାପିଟାଲ୍ସ) ବିପକ୍ଷରେ ଖେଳିଥିଲେ।
ରୁଷଭ ପନ୍ଥ- ଅପରାଜିତ ୧୨୮ ରନ୍(୨୦୧୮)
ଗତ ସିଜିନରେ ଆଇପିଏଲରେ ଚମକିଥିଲେ ଭାରତର ୟଙ୍ଗ୍ ଫେସ୍ ରୁଷଭ ପନ୍ଥ। ଆଇପିଏଲ୍ କ୍ୟାରିୟରରେ ଶତକୀୟ ଇନିଂସ ଖେଳିଥିଲେ। ସନ୍ ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୬୩ ବଲରୁ ହାସଲ କରିଥିଲେ ୧୨୮ରନ୍। ଦିଲ୍ଲୀ ଡେୟାର ଡେଭିଲ୍ସ ୨ ଓ୍ୱିକେଟ ହରାଇ ୨୧ ରନରେ ସଂଘର୍ଶ କରୁଥିଲା।ପନ୍ଥ ନିଜ କାନ୍ଧରେ ବ୍ୟାଟିଂ ଭାର ସମ୍ଭାଳି ଦଳୀୟ ସ୍କୋରକୁ ୧୮୭/୫ରେ ପହଞ୍ଚାଇଥିଲେ।
ମୂରଲୀ ବିଜୟ- ୧୨୭ ରନ୍(୨୦୧୦)
ମୂରଲୀ ବିଜୟ ଓପନର ଭାବରେ ଚେନ୍ନାଇ ସୁପରକିଙ୍ଗସ ପାଇଁ କିଛି ଅଭୁଲା ଓ ଭାଗିଦାରୀ ଇନିଂସ ଖେଳିଥିଲେ। ୨୦୧୦ରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ ମାରିଥିଲେ ଶତକ। ୫୬ ବଲରୁ ୧୨୭ରନ୍। ଛକା ବର୍ଷା କରିଥିଲେ। ଏହା ଭିତରେ ଥିଲା ୧୧ଟି ବିଶାଳ ଛକା ଓ ୮ଟି ଚୌକା। ମୂରଲୀ ବିଜୟଙ୍କ ବିସ୍ଫୋରକ ଇନିଂସ ବଳରେ ଚେନ୍ନାଇ କରିଥିଲା ୨୪୬ ରନ୍।
ଡେଭିଡ୍ଓ୍ୱାର୍ଣ୍ଣର-୧୨୬ରନ୍(୨୦୧୭)୨୦୧୭ ଆଇପିଏଲରେ ସନ୍ ରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ୍ ଥିଲେ। ଦଳକୁ ସେହି ବର୍ଷ ଚାମ୍ପିଅନ୍ କରାଇଥିଲେ ଡେଭିଡ୍ ଓ୍ୱାର୍ଣ୍ଣର। କେଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଗୋଟିଏ ମ୍ୟାଚରେ ସେ ଶତକ ମାରିଥିଲେ। ଖେଳିଥିଲେ ୫୯ ବଲ୍। ପିଟିଥିଲେ ୧୨୬ରନ୍। ଏଥିରେ ଥିଲା ୧୦ଟି ଚୌକା ଓ ୮ଟି ଛକା। ହାଇଦ୍ରାବାଦ ଏହି ମ୍ୟାଚରେ ୩ ଓ୍ୱିକେଟ ବିନିମୟରେ ୨୦୯ରନ୍ ସ୍କୋର ଠିଆ କରିଥିଲା।
ବୀରେନ୍ଦ୍ର ସେହ୍ୱାଗ- ୧୨୨ ରନ୍(୨୦୧୪)
ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ୱାଗ ୨୦୧୧ ଆଇପିଏଲରେ ୧୧୯ରନ କରିଥିଲେ।ଏହାପରେ ୨୦୧୪ରେ ଦ୍ୱିତୀୟ ଶକତ ହାସଲ କରିଥିଲେ ସେହ୍ୱାଗ। କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପାଇଁ ଖେଳୁଥିଲେ।ଚେନ୍ନାଇ ବିପକ୍ଷରେ ୫୮ବଲରେ ୧୨୨ରନ୍ କରିଥିଲେ।ସେହ୍ୱାଗଙ୍କ ଶତକ ବଳରେ ୨୨୬ରନ୍ କରିଥିଲା ପଞ୍ଜାବ। ଚେନ୍ନାଇକୁ ପ୍ଲେ-ଅଫରେ ୨୪ ରନରେ ମାତ୍ ବି ଦେଇଥିଲା ପଞ୍ଜାବ।
Connect With Us