ରାଜଧାନୀ ଭୁବନେଶ୍ୱରରେ ଏବେ ୩ ରଣଜୀ ପଡ଼ିଆ। ବିଭିନ୍ନ ସମୟରେ ରାଜ୍ୟରେ ପ୍ରଦର୍ଶିତ ହେଉଛି ରଣଜୀ ମ୍ୟାଚ୍। ବାହାର ରାଜ୍ୟର ଖେଳାଳୀଙ୍କ ପାଇଁ ଫିଲ୍ଡ ପ୍ରସ୍ତୁତ କରୁଛି ଓଡ଼ିଶା।କେବଳ କ୍ରିକେଟ କାହିଁକି ହକି ବିଶ୍ୱକପ୍ ଆୟୋଜନକୁ ନେଇ ମଧ୍ୟ ରାଜ୍ୟ ଏବେ ଖୁବ୍ ଚର୍ଚ୍ଚାରେ। ହକି ପାଇଁ ଏବେ ଆନ୍ତର୍ଜାତୀୟ ସ୍ତରରେ ବି ଓଡ଼ିଶାର ନାଁ କୁ ନେଇ ନାହିଁ ନଥିବା ଚର୍ଚ୍ଚା। ମାତ୍ର କ୍ରିକେଟ କ୍ଷେତ୍ରରେ ଓଡ଼ିଶାର ନୈରାଶ୍ୟଜନକ ସ୍ଥିତି ରାଜ୍ୟବାସୀଙ୍କୁ କଷ୍ଟ ଦେଉଛି। ୧୪ ବର୍ଷ ଭିତରେ ଏଠି ୩୦ଟି ମ୍ୟାଚ୍ ଖେଳାଯାଇଥିଲେ ସୁଦ୍ଧା ଓଡ଼ିଶାରୁ ଆନ୍ତର୍ଜାତୀୟ ସ୍ତରରେ ଖେଳୁଥିବା ଖେଳାଳୀଙ୍କ ସଂଖ୍ୟାରେ ସୁଧାର ଆସୁନି। ସମୟ ଏମିତି ମୋଡ଼ରେ ପହଞ୍ଚିଛି ଯେ ରଣଜୀ ପାଇଁ ଥିବା ଫିଲ୍ଡ ସଂଖ୍ୟା ସହିତ ଖେଳାଳୀଙ୍କ ସଂଖ୍ୟାର ଅନୁପାତ ମିଶିବାକୁ ଯାଉଛି।
ମ୍ୟାଚ୍ ୩୦ ଖେଳାଳୀ ୩
ଭୁବନେଶ୍ୱରରେ ରଣଜୀ ପାଇଁ ୨୦୦୮ ରେ ପ୍ରୟାସ ଆରମ୍ଭ ହୋଇଥିଲା। ୧୪ ବର୍ଷର ବ୍ୟବଧାନ ଭିତରେ ଏଠି ୩୦ ଟି ରଣଜୀ ମ୍ୟାଚ୍ ଖେଳାଯାଇଛି। ଇକୋର୍ସୋ ଷ୍ଟାଡ଼ିୟମ୍,କିଟ୍ ଷ୍ଟାଡିୟମ୍ ଏବଂ ବିକାଶ ଷ୍ଟାଡିୟମରେ ଗୋଆ,ହାଇଦ୍ରାବାଦ୍,ସିକିମ୍,ମଣିପୁର,ଗୁଜୁରାଟ ,ପଞ୍ଜାବ, କର୍ଣ୍ଣାଟକ,ମଧ୍ୟପ୍ରଦେଶ ଆଦି ରାଜ୍ୟ ଖେଳ ପ୍ରଦର୍ଶନ କରୁଛନ୍ତି। କେବଳ ନୂଆ ପିଢ଼ୀ ନୁହେଁ ବରଂ ଗୌତମ ଗମ୍ଭୀର,କେଦାର ଯାଦବ,ନବଦୀପଙ୍କ ଭଳି ଖେଳାଳୀ ବି ଏଠି ତାଙ୍କର ପ୍ରତିଭା ଦେଖାଇଛନ୍ତି।
୨୦୦୮ ନଭେମ୍ବର ୨୩ରେ ରେଳବାଇ ଷ୍ଟାଡିୟମ୍ରେ ଓଡ଼ିଶା ଓ ପଞ୍ଜାବ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳା ଯାଇଥିଲା। ସେହିବର୍ଷ ଡିସେମ୍ବରରେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଆଉ ଗୋଟିଏ ମ୍ୟାଚ୍ ହୋଇଛି। ୨୦୦୮ରୁ ୨୦୧୩ ମଧ୍ୟରେ ୧୦ଟି ମ୍ୟାଚ୍ ଖେଳାଯାଇଛି। ସବୁ ମ୍ୟାଚ୍ ର ସଫଳ ପରିଚାଳନା ପାଇଁ ବିସିସିଆଇ ନଜରରେ ରହିଛି ଭୁବନେଶ୍ୱର। ୨୦୧୫ରେ ରଣଜୀ ମ୍ୟାଚ୍ ଆୟୋଜନରେ କିଟ୍ ପଡ଼ିଆ ସାମିଲ ହୋଇଗଲା।। ୨୦୧୫ଠାରୁ ୨୦୨୦ ମସିହା ପର୍ଯ୍ୟନ୍ତ କିଟ୍ ଗ୍ରାଉଣ୍ଡରେ ଲଗାତାର ରଣଜୀ ମ୍ୟାଚ୍ ହୋଇ ଆସିଛି। ସେହିପରି ୨୦୧୭ରେ ଭଗବତୀପୁରସ୍ଥିତ ବିକାଶ ଷ୍ଟାଡିୟମ୍କୁ ‘ରଣଜୀ’ ଅନୁମତି ମିଳିଗଲା। ଏଠାରେ ପ୍ରଥମ ମ୍ୟାଚ୍ ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ହୋଇଥିଲା। ଏ ସବୁକୁ ମିଶାଇ ଓଡ଼ିଶାରେ ୩୦ ଟି ମ୍ୟାଚ୍ ଖେଳାଯାଇଛି।
ମ୍ୟାଚ୍ ସଂଖ୍ୟାରେ ଓଡ଼ିଶା ଆଗରେ ଥିଲେ ସୁଦ୍ଧା ଖେଳାଳୀ ମରୁଡ଼ି ଚିନ୍ତାର କାରଣ ସାଜିଛି। ଏଇ ୧୪ ବର୍ଷର ବ୍ୟବଧାନ ଭିତରେ ଓଡ଼ିଶରେ ଆନ୍ତର୍ଜାତିକ ସ୍ତରରେ ଖେଳୁଥିବା ଖାଳାଳୀଙ୍କ ଆବିଷ୍କାର ହୋଇ ପାରିନାହିଁ। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖେଳାଳୀ ଲିଷ୍ଟରେ ଥିବା ମହାରାଷ୍ଟ୍ରରୁ ୬୭,ଦିଲ୍ଲୀରୁ ୩୧,ଗୁଜୁରାଟ ରୁ ୨୭, ଓ କର୍ଣ୍ଣାଟକରୁ ୨୩ ଜଣ ଖେଳାଳୀ ରହିଥିଲା ବେଳେ ଓଡ଼ିଶାରେ ଏ ସଂଖ୍ୟା ୭ ରେ ସୀମିତ ଅଛି। ସେଥିମଧ୍ୟରୁ ମାଧୁରୀ ମେହେତା,ରସନାରା ପରୱିନ୍,ସଞ୍ଜୟ ରାଉଳ ଓ ସ୍ୱାଗତିକା ରଥଙ୍କ ପ୍ରଦର୍ଶନ ଏତେଟା ଉନ୍ନତ ମଧ୍ୟ ନୁହେଁ। ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସ ହିଁ କିଛି ମାତ୍ରାରେ ରାଜ୍ୟର ନାଁ ଉଜ୍ଜ୍ୱଳ କରିବାକୁ ସୁଯୋଗ ପାଇଛନ୍ତି। ଦେବାଶିଷ ମହାନ୍ତି ୨ ଟି ଟେଷ୍ଟ ମ୍ୟାଚ୍ ଓ ୪୫ ଟି ୱାନ୍ ଡେ ମ୍ୟଚ୍ ,ଏବଂ ୧୭ ଟି ଓଡିଆଇ ମ୍ୟାଚ୍ ଖେଳିବା ସହିତ ଆଇସିସି ଓଡିଆଇ ରାଙ୍କିଙ୍ଗରେ ଟପ୍ ୨୦ ଲିଷ୍ଟରେ ଆସି ପାରିଛନ୍ତି। ସେହିପରି ଶିବସୁନ୍ଦର ଦାସ ମଧ୍ୟ ୨୩ ଟି ଟେଷ୍ଟ ମ୍ୟାଚରେ ସ୍ଥାନ ପାଇଛନ୍ତି।ପ୍ରଜ୍ଞାନ ଓଝା ୨୪ଟି ଟେଷ୍ଟ ମ୍ୟାଚ୍,୧୮ଟି ଓଡିଆଇ ମ୍ୟାଚ୍ ଖେଳିଛନ୍ତି।ତେବେ ଭାରତୀୟ କ୍ରିକେଟ୍ ଟିମ୍ରେ ଓଡ଼ିଶା ଖେଳାଳିଙ୍କ ସଂଖ୍ୟା ଅତି ନଗଣ୍ୟ। ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ସଂଜୟ ରାଉଳ, ପ୍ରଜ୍ଞାନ ଓଝା, ମାଧୁରୀ ମେହେଟା, ରସନାରା ପରୱିନ୍, ସ୍ବାଗତିକା ରଥଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଓଡ଼ିଆ ଖେଳାଳି ଭାରତୀୟ ଦଳରେ ସ୍ଥାନ ନ ପାଇବା ଓଡ଼ିଶା ପାଇଁ ଲଜ୍ଜାଜନକ ବିଷୟ।
ସୁନିଲ୍ ଗାଭାଷ୍କର,ସଚୀନ ତେନ୍ଦୁଲକର୍,ସୂର୍ୟା କୁମାର ୟାଦବ୍ ରୋହିତ ଶର୍ମାଙ୍କ ଭଳି ଟପ୍ ପ୍ଲେୟର୍ ଙ୍କୁ ତିଆରି କରିଛି ମହାରାଷ୍ଟ୍ର।ସେହିପରି କପିଲ ଦେବ,ୟୁବରାଜ ସିଂ,ହରଭଜ୍ଜନ ସିଂ ପଞ୍ଜାବ, ଗୌତମ ଗମ୍ଭୀର,ବୀରେନ୍ଦ୍ର ସେହୱାଗ୍,ବିରାଟ କୋହଲି ଆଦି କ୍ରିକେଟର ଦୀଲ୍ଲି ଫିଲ୍ଡରୁ ନିଜର ପରିଚୟ ଆଙ୍କିଛନ୍ତି। ହାର୍ଦ୍ଧିକ୍ ପାଣ୍ଡ୍ୟା,ରବୀନ୍ଦ୍ର ଜାଡ଼େଜା,ଯଶପ୍ରୀତ ଗୁମରା ଆଦି ଖେଳାଳୀ ଗୁଜୁରାଟର ଓ ଧୋନୀ ବିହାରର ନାଁ ରୋଶନ କରୁଥିଲା ବେଳେ ଓଡ଼ିଶା ପାଇଁ ସେମିତି କେହି ପ୍ରେଜେଣ୍ଟର ନାହାନ୍ତି। କ୍ରିକେଟର ତିଆରିରେ ଓଡ଼ିଶାର ବିଫଳତା ହେତୁ ଜାତୀୟ ଓ ଆନ୍ତର୍ଜାତୀୟ ମ୍ୟାଚରେ ଓଡିଶାର ନାଁ ହଜିବାକୁ ଯାଉଛି। ଏପରି ପରିସସ୍ଥିତିରେ ଓସିଏ ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ହୁଏତ କ୍ରିକେଟ ଫିଲ୍ଡରେ ଓଡ଼ିଶା ଏକ ଡ଼େଡ୍ ହିଷ୍ଟ୍ରୀ ହୋଇଯିବ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା