କ୍ରିକେଟ ମହାକୁମ୍ଭ ୨୦୧୯ ବିଶ୍ୱକପରେ ଯବନିକା ପଡ଼ିଛି। ଇଂଲଣ୍ଡ ଚାମ୍ପିଅନ୍ ଓ ରନର୍ସ ଅପ୍ ହୋଇଛି ନ୍ୟୁଜିଲାଣ୍ଡ। ନକ୍ ଆଉଟରୁ ଆଉଟ୍ ହେଲା ଟିମ୍ ଇଣ୍ଡିଆ। ତୃତୀୟ ଥର ଭାରତ ବିଶ୍ୱବିଜେତା ସ୍ୱପ୍ନ ଚୁରମାର ହୋଇଯାଇଛି। ୧୯୮୩ରେ ପ୍ରଥମ ଥର କ୍ରିକେଟ ବିଶ୍ୱବିଜେତା ହୋଇଥିଲା ଟିମ୍ ଇଣ୍ଡିଆ। ୨୪ ବର୍ଷୀୟ କପିଲ ଦେବଙ୍କ ନେତୃତ୍ୱରେ ଭାରତ ଓ୍ୱେଷ୍ଟଇଣ୍ଡିଜକୁ ହରାଇ ଲର୍ଡସରେ ଉଠାଇଥିଲା ପ୍ରଥମ ବିଶ୍ୱକପ୍। କପିଲଙ୍କ ପରେ ଧୋନି ଆଣିଦେଲେ ଓ୍ୱାର୍ଲଡ କପ୍। କୋହଲି ସେମିରେ ଝୁଣ୍ଟିଲେ। କିନ୍ତୁ ଜାଣିଛନ୍ତି ୧୯୮୩ ବିଶ୍ୱକପ୍ ହିରୋଙ୍କୁ ସେତେବେଳେ କେତେ ମିଳିଥିଲା ମ୍ୟାଚ୍ ଫି? ଏବେ ବିଶ୍ୱକପ୍ ଖେଳିଥିବା କ୍ରିକେଟରଙ୍କୁ ମ୍ୟାଚ୍ ଫି, ଆଲାଉନ୍ସ ଓ ପୁରସ୍କାର ବାବଦାରେ କୋଟି କୋଟି ଟଙ୍କାର ମିଳୁଛି। ୩୬ବର୍ଷ ତଳେ ଖେଳାଳିଙ୍କୁ କେତେ ଟଙ୍କା ମିଳିଥିଲା ଜାଣିଲେ ଆପଣଙ୍କ ହୋସ୍ ଉଠିଯିବ।

୧୯୮୩ ଓ୍ୱାର୍ଲଡ କପ୍ ମ୍ୟାଚ୍ ଫି ଲିଷ୍ଟ

ଇଏ ହେଉଛି ୧୯୮୩ରେ ଟିମ୍ କପିଲଙ୍କୁ ମିଳିଥିବା ମ୍ୟାଚ୍ ଫି ଓ ଆଲାଉନ୍ସ ତାଲିକା। ବିଶ୍ୱବିଜୟୀ ଟିମ୍ ମେମ୍ବରଙ୍କୁ ମ୍ୟାଚ୍ ଫି ବାବଦରେ ମିଳିଥିଲା ମାତ୍ର ୧୫୦୦ ଟଙ୍କା। ପ୍ରତିଦିନ ମିଳୁଥିଲା ୨ଶହ ଟଙ୍କା ଲେଖାଏଁ ଡେଲି ଆଲାଉନ୍ସ। ତାଲିକାରେ ରହିଛି ୧୯୮୩ ବିଶ୍ୱକପ ଖେଳିଥିବା କପିଲ, ଗାଭାସ୍କର, ଭେଙ୍କସରକାର ସମେତ ୧୪ ଭାରତୀୟ କ୍ରିକେଟର ଓ ମ୍ୟାନେଜର ବିନେଶ ବେଦିଙ୍କ ନାଁ। ସମସ୍ତଙ୍କ ନାଁ ସହିତ ଡେଲି ଆଲାଉନ୍ସ ଓ ମ୍ୟାଚ୍ ଫି ଲେଖାଯାଇଛି। ଖେଳାଳିଙ୍କ ଦସ୍ତଖତ ବି ରହିଛି। ପ୍ରତ୍ୟେକଙ୍କୁ ମୋଟ୍ ୨୧ଶହ ଟଙ୍କା ଲେଖାଏଁ ମିଳିଥିଲା। ୧୫୦୦ ଟଙ୍କା ମ୍ୟାଚ୍ ଫିସ୍ ଓ ତିନି ଦିନ ପାଇଁ ୨ଶହ ଟଙ୍କା ଲେଖାଏଁ ମୋଟ୍ ୬୦୦ ଟଙ୍କା ଡେଲି ଆଲାଉନ୍ସ। ବର୍ତ୍ତମାନ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧଓ୍ୱନ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହଙ୍କ ବଳି A+ ଗ୍ରେଡ କ୍ରିକେଟର ବର୍ଷକୁ ୭ କୋଟି ଦରମା ନେଉଛନ୍ତି। ସେହିପରି A-ଗ୍ରେଡ କ୍ରିକେଟରଙ୍କ ଦରମା ୫ କୋଟି, B-ଗ୍ରେଡଙ୍କୁ ୩ କୋଟି ଓ C-ଗ୍ରେଡ କ୍ରିକେଟରଙ୍କ ଦରମା ରହିଛି ୧ କୋଟି ଟଙ୍କା। ଘରୋଇ କ୍ରିକେଟ ଖେଳୁଥିଲେ (୪ଦିନିଆ ମ୍ୟାଚ୍) ୩୫ ହଜାର ଟଙ୍କା ଲେଖାଏଁ ମ୍ୟାଚ୍ ଫି ମିଳୁଛି। ଏଥିରୁ ୩୬ବର୍ଷ ପୂର୍ବେ କ୍ରିକେଟ ଜମାନା ଓ ବର୍ତ୍ତମାନ କ୍ରିକେଟର କ୍ରେଜ୍ ଭିତରେ ଫରକ ବୁଝା ପଡୁଛି।

୨୦୧୧ ବିଶ୍ୱକପ୍ ଟ୍ରଫି ସହ ଟିମ୍ ଇଣ୍ଡିଆ

ପ୍ରଥମ ବିଶ୍ୱକପ୍ ଜିତିବାର ୨୮ ବର୍ଷ ପରେ ୨୦୧୧ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ଜିତିଥିଲା ଓ୍ୱାର୍ଲଡ କପ୍। ସେତେବେଳେ ଖେଳାଳି ଓ ଅଫିସିଆଲଙ୍କୁ ପ୍ରଚୁର ଟଙ୍କା ମିଳିଥିଲା। ପ୍ରତି ଖେଳାଳିଙ୍କୁ ବିସିସିଆଇ ଦେଇଥିଲା ୨ କୋଟି ଲେଖାଏଁ ପୁରସ୍କାର ରାଶି। ସେହିପରି କେନ୍ଦ୍ର ସରକାର, ବିଭିନ୍ନ ରାଜ୍ୟ କ୍ରିକେଟ ବୋର୍ଡ ସମେତ ବିଶ୍ୱକପ୍ ଖେଳିଥିବା ନିଜ ରାଜ୍ୟର କ୍ରିକେଟରଙ୍କୁ ପୁରସ୍କୃତ କରିଥିଲେ ବିଭିନ୍ନ ରାଜ୍ୟ ସରକାର। ପୂର୍ବରୁ ୨୦୦୩ ବିଶ୍ୱକପ୍ ରନର୍ସ ଅପ୍ ଟିମ୍ ଇଣ୍ଡିଆର ପ୍ରତି ଖେଳାଳିଙ୍କୁ ୭୦ ଲକ୍ଷ ଟଙ୍କା ଲେଖାଏଁ ଦେଇଥିଲା ବିସିସିଆଇ। ସରକାର ବି ପୁରସ୍କୃତ କରିଥିଲେ।

୨୦୧୯ ବିଶ୍ୱକପ୍ ସେମିରେ ଟିମ୍ ଇଣ୍ଡିଆ

ଚଳିତ ବିଶ୍ୱକପରେ ଭାରତ ସେମି ଫାଇନାଲରୁ ବିଦା ହୋଇଥିଲେ ବି ଆଇସିସି ମ୍ୟାଚ୍ ଫିସ୍ ଦେଇଛି। ପ୍ରତିଯୋଗୀ ଟିମ୍ ଭାବରେ ଭାରତ ଆକାଉଣ୍ଟରେ ପାଖାପାଖି ସାଢ଼େ ୭ କୋଟିରୁ ଅଧିକ ଟଙ୍କା ଦେଇଛି ଆଇସିସି। କ୍ରିକେଟ ଇଂଲିଶ ଖେଳ ହୋଇଥିଲେ ବି ଭାରତରେ ଏହାର ଚାହିଦା ଟିକେ ଅଧିକ ରହିଛି। ଏମିତି ଏକ ଖେଳ ଯେଉଁଥିରେ ମିଳେ ପୁଳା ପୁଳା ଟଙ୍କା। ମ୍ୟାଚ୍ ଫି, ଡେଲି ଆଲାଉନ୍ସ, ଆଇପିଏଲ୍ ଭଳି ଲାଭଜନକ କ୍ରିକେଟ ଖେଳିବା, ବଡ଼ ବିଜ୍ଞାପନରେ କାମ କରିବାର ସୁଯୋଗ ବି ମିଳେ ଖେଳାଳିଙ୍କୁ। କହିବାକୁ କଲେ ବର୍ତ୍ତମାନ ସମୟରେ ଜଣେ ନାଁ କରା କ୍ରିକେଟରଙ୍କ ପାଖରେ ଟଙ୍କାର ଅଭାବ ରହିବ ନାହିଁ।