ଦେଶର ସର୍ବ ପୁରାତନ ଜାତୀୟ ରାଜନୈତୀକ ଦଳର ସ୍ଥିତି ଧିରେଧିରେ ବିଗିଡ଼ିବାରେ ଲାଗିଛି। ରାଜ୍ୟ ରାଜନୀତିଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ମଧ୍ୟ ଏହାର ଲୋକପ୍ରିୟତା ହ୍ରାସ ହେବାରେ ଲାଗିଛି। ବିଜେପି ନେତା ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରଠାରୁ ଶାସନ ଗାଦିରୁ ଖୁବ୍ ଦୁରରେ ରହିଛି କଂଗ୍ରେସ। ବର୍ତ୍ତମାନ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଏଥିସହ କଂଗ୍ରେସ ହାତରୁ ପଞ୍ଜାବର ଶାସନ ଡୋରି ମଧ୍ୟ ଛିଡ଼ିବାକୁ ଯାଉଛି। ଏଠାରେ ଆପ୍ ବିଶାଳ ବିଜୟ ହାସଲ କରିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ୨୦୧୭ ଭଳି ୨୦୨୨ରେ ବି କଂଗ୍ରେସ ଉତ୍ତର ପ୍ରଦେଶ ଡବଲ ଡିଜିଟ ଆସନ ଜିତି ନ ପାରିବା ସ୍ଥିତିରେ ରହିଛି। ଏଠାରେ ବିଜେପି ଜିତିବାକୁ ଯାଉଛି। ଉତ୍ତରାଖଣ୍ଡ ଓ ଗୋଆରେ ବି କଂଗ୍ରେସର ସ୍ଥିତି ବି ଭଲ ନାହିଁ।
ବାରମ୍ବାର ପରାଜୟ ପରେ ବି ଚେତୁନି କଂଗ୍ରେସ
ମୋଦି କ୍ରେଜ୍ ଆଗରେ ଫେଲ୍ ମାରୁଛି କଂଗ୍ରେସର ରଣନୀତି। ଅସ୍ପଷ୍ଟ ଆଭିମୁଖ୍ୟ ସାଙ୍ଗକୁ ଉପଯୁକ୍ତ ନେତୃତ୍ତ୍ୱର ଅଭାବ ଓ ଗୋଷ୍ଠୀ କନ୍ଦଳ ହେତୁ ବିଶ୍ୱାସଭାଜନ ହୋଇପାରିନି କଂଗ୍ରେସ। ବାରମ୍ବାର ନିର୍ବାଚନରେ କଂଗ୍ରେସ ପରାସ୍ତ ହେଉଥିଲେ ମଧ୍ୟ ଏଥିରୁ ଦଳ କିଛି ଶିଖିବା ଭଳି ଲାଗୁନି। କାରଣ ଦଳର ବରିଷ୍ଠ ନେତା ଆମୁଳଚୂଳ ପରିବର୍ତ୍ତନ କରିବାକୁ ଦାବି କରୁଥିଲେ ହେଁ ହାଇକମାଣ୍ଡ ବିଶେଷ କରି ଗାନ୍ଧି ପରିବାର କେବଳ ନୀରବତା ହିଁ ଅବଲମ୍ବନ କରୁଛନ୍ତି। ଆଜି ଭୋଟ ଗଣତି ଚାଲିଥିବା ବେଳେ ଦଳର ବରିଷ୍ଠ ନେତା ପୁଣିଥରେ ଅଦଳବଦଳ ଓ କଂଗ୍ରେସକୁ ନୂଆ କରି ତିଆରି କରିବାର ସମୟ ଆସି ଯାଇଥିବା କହିଛନ୍ତି। ବରିଷ୍ଠ ନେତା ଅଭିଷେକ ମନୁସିଙ୍ଘଭୀ କହିଛନ୍ତି, “ଯଦି ଆମେ ସମସ୍ତ ୫ ରାଜ୍ୟରେ ହାରିବୁ, ତା’ହେଲେ ଆମକୁ ଦଳ ଭିତରେ ତୁରନ୍ତ ପରିବର୍ତ୍ତନ କରିବାକୁ ପଡ଼ିବ। ଦଳକୁ ଆଉ ଥରେ ନୂଆ କରି ତିଆରି କରିବାକୁ ପଡ଼ିବ। ନହେଲେ କଂଗ୍ରେସ କେବେ ହେଲେ ବିଜୟ ସ୍ୱାଦ ଚାଖି ପାରିବ ନାହିଁ।”
ଭାରି ପଡୁଛି ହାଇକମାଣ୍ଡଙ୍କ ନୀରବତା
କଂଗ୍ରେସର ଏଭଳି ଶୋଚନୀୟ ସ୍ଥିତି ଓ ଭୟଙ୍କର ପରାଜୟ ପାଇଁ ଅନେକ ହାଇକମାଣ୍ଡଙ୍କ ନୀରବତାକୁ ଦାୟୀ କରିଛନ୍ତି। ଦଳରେ ସଂସ୍କାରୂ ଆଣିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାରେ ଅବହେଳା ହିଁ ଏପରି ସ୍ଥିତି ସୃଷ୍ଟି କରିଛି। ବିଶେଷତଃ ପଞ୍ଜାବରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଓ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବା କଂଗ୍ରେସ ପାଇଁ ବୁମେରାଂ ହେଲା ବୋଲି ମଧ୍ୟ ଶ୍ରୀ ସିଙ୍ଘଭୀ ପରୋକ୍ଷରେ ସୂଚନା ଦେଇଛନ୍ତି। ଅନ୍ୟ ଜଣେ ବରିଷ୍ଠ ନେତା ଶାମ ମହମ୍ମଦ ମଧ୍ୟ ପଞ୍ଜାବରେ ଦଳର ରଣନୀତି ଫେଲ ମାରିଲା ବୋଲି ସ୍ୱୀକାର କରିଛନ୍ତି। ପଞ୍ଜାବରେ ୧୧୭ ସିଟରୁ ମାତ୍ର ୧୮ ଟି ସିଟ୍ ହାସଲ କରିଛି କଂଗ୍ରେସ।ସେହିପରି ମଣିପୁରରେ ବିଜେପି ୨୪ଟି ଆସନ ହାତେଇଥିଲା ବେଳେ କଂଗ୍ରେସ ମାତ୍ର ୫ଟି ଆସନ ହାତେଇଛି ।ଉତ୍ତରପ୍ରଦେଶରେ କଂଗ୍ରେସର ଶୋଚନୀୟ ପରିଚୟ ହୋଇଛି । ବିଜେପିର ବିପୁଳ ବିଜୟ ହୋଇଥିଲା ବେଳେ ମାଟି କାମୁଡିଛି କଂଗ୍ରେସ। ବିଜେପି ୨୫୨ ସିଟ ହାତେଇଥିଲା ବେଳେ କଂଗ୍ରେସ ଭାଗରେ ମାତ୍ର ୨ଟି ଆସନ ଦଖଲରେ ରହିଛି ।ଉତ୍ତରାଖଣ୍ଡରେ ବିଜେପି ୪୮ ସିଟ ହାତେଇଥିଲା ବେଳେ କଂଗ୍ରେସ ମାତ୍ର ୧୮ଟି ଆସନରେ ସୀମିତ ରହିଛି। ଦଳୀୟ ନେତାମାନେ ପରିବର୍ତ୍ତନ କଥା କହୁଥିଲେ ହେଁ ହାଇକମାଣ୍ଡଙ୍କ ପକ୍ଷରୁ ଏଯାଏ କୌଣସି ପ୍ରକାରର ବଡ଼ ପଦକ୍ଷେପ ଗ୍ରହଣ କରାଯାଇନି। ହାଇକମାଣ୍ଡଙ୍କ ନୀରବତା ରାଜନୀତିକ ପଣ୍ଡିତମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଏମିତି ଜାରି ରହିଲେ କଂଗ୍ରେସ ୨୦୨୩ ବିଧାନସଭା ଓ ୨୦୨୪ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ସ୍ୱୀକାର କରିପାରେ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।