ଅଦଲାତ ଅବମାନନା ମାମଲାର ଶୁଣାଣି କରିବା ଲାଗି ଓଡ଼ିଶା ହାଇକୋର୍ଟ ବସିଲା ଫୁଲ୍ ବେଞ୍ଚ।ମୁଖ୍ୟ ବିଚାରପତି କଳ୍ପେଶ ସତେନ୍ଦ୍ର ଜାଭରୀଙ୍କ ସମେତ ୧୪ ବିଚାରପତିଙ୍କୁ ନେଇ ହାଇକୋର୍ଟର ସମସ୍ତ ଜଜ୍ ମାମଲାର ଶୁଣାଣି କରିଛନ୍ତି।ହାଇକୋର୍ଟର ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର ହୋଇଥିବା ଅଦଲାତ ମାମଲାର ଶୁଣାଣି କରିବାକୁ ଆଜି(ଅକ୍ଟୋବର ୧୫) ସମସ୍ତ ଜଜ୍ ଏକାଠି ବସିଥିଲେ।ତେବେ ଓକିଲଙ୍କ ବିରୋଧରେ ଆସିଛି ଅଦଲାତ ଅବମାନନାର ଅଭିଯୋଗ।ଓକିଲଙ୍କ ଆନ୍ଦୋଳନ ଯୋଗୁ କୋର୍ଟ ବନ୍ଦ ରହିବା ଯୋଗୁ ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି।ସେଥିପାଇଁ ଆନ୍ଦୋଳନରତ 136 ବାର ଆସୋସିଏସନକୁ କୋର୍ଟ ନୋଟିସ୍ ଦେଇଛନ୍ତି।ଏଥିରେ ହାଇକୋର୍ଟ ଓକିଲ ସଂଘ ସଭାପତି ଓ ସମ୍ପାଦକଙ୍କୁ ନୋଟିସ ଦିଆଯାଇଛି। ସେହିଭଳି ରାଜ୍ୟ  ଏବଂ ଜାତୀୟ ବାର କାଉନସିଲର ଅଧ୍ୟକ୍ଷଙ୍କୁ ନୋଟିସ୍ ଦେବା ସହ ମୁଖ୍ୟ ଶାସନ ସଚିବ,ଆଇନ ସଚିବ ଏବଂ ଗୃହ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ହାଇକୋର୍ଟ। ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ୨୧ ତାରିଖରେ ହୋଇପାରେ।

ଓଡ଼ିଶା ହାଇକୋର୍ଟଙ୍କ ଅର୍ଡର

ଓକିଲଙ୍କ ଦାବି NJAC
ଅନ୍ୟପଟେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ଓକିଲମାନେ କୋର୍ଟ ବର୍ଜନ କରୁଛନ୍ତି।ସେହିଭଳି ହାଇକୋର୍ଟର ବିଚାରପତି ନିଜୁକ୍ତିକୁ ବିରୋଧ କରି ଓଡ଼ିଶା ହାଇକୋର୍ଟ ଓକିଲ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚଳାଇଛନ୍ତି।ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସୁଧାର ଆଣିବାକୁ ନ୍ୟାସନାଲ୍ ଜୁଡିସିଆଲ ଆପଣ୍ଟେମେଣ୍ଟ କମିଶନ(NJAC) ବ୍ୟବସ୍ଥା ଲାଗୁ କରିବାକୁ ଓକିଲ ସଂଘ ଦାବି କରୁଛି।ସଞ୍ଜୀବ ପାଣିଗ୍ରାହୀ ଏବଂ ବିଭୁପ୍ରସାଦ ରାଉତରାୟଙ୍କ ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି।ଓକିଲ ସଞ୍ଜୀବ ପାଣିଗ୍ରାହୀ ଏବଂ ଜୁଡିସିଆଲ ଅଫିସର ବିଭୁପ୍ରସାଦ ରାଉତରାୟଙ୍କୁ ସୁପ୍ରିମକୋର୍ଟର କଲେଜିୟମ,ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି।ତେବେ ଉଭୟଙ୍କ ନିଯୁକ୍ତିକୁ ଓଡ଼ିଶା ହାଇକୋର୍ଟ ଓକିଲ ସଂଘ ବିରୋଧ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି।

Cuttack Advocates Protest

NJACକୁ ସୁପ୍ରିମକୋର୍ଟଙ୍କ ବିରୋଧ
ଆଜିକୁ ଠିକ୍ ୪ବର୍ଷ ତଳେ ଅର୍ଥାତ NJAC ବ୍ୟବସ୍ଥାକୁ  ସୁପ୍ରିମକୋର୍ଟ ପ୍ରତ୍ୟାଖାନ କରିଛନ୍ତି।୧୬ ଅକ୍ଟୋବର ୨୦୧୫ରେ  NJAC ବ୍ୟବସ୍ଥାକୁ ଅସାମ୍ବିଧାନିକ କହିଥିଲେ ସୁପ୍ରିମକୋର୍ଟ।NJAC  ଆଇନର ବୈଧତାର ବିଚାର କରି ସୁପ୍ରିମକୋର୍ଟ ୫ ଜଣିଆ ଖଣ୍ଡପୀଠ ମଧ୍ୟରୁ ୪ଜଣ ବିଚାରପତି କଲେଜିୟମ୍ ବ୍ୟବସ୍ଥା ସପକ୍ଷରେ ରାୟ ଦେଇଥିଲେ।କିନ୍ତୁ କେବଳ ଜଷ୍ଟିସ ଚେଲମେଶ୍ୱର NJAC ସପକ୍ଷରେ ମତ ଦେଇଥିଲେ।ଫଳରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତିରେ NJAC ବ୍ୟବସ୍ଥା ଲାଗୁ ହୋଇପାରିଲା ନାହିଁ।ତେବେ୧୯୯୮ରେ କଲେଜିୟମ୍ ବ୍ୟବସ୍ଥା ଆରମ୍ଭ ହେଲା।ଅର୍ଥାତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ବରିଷ୍ଠ ବିଚାରପତି ସମୂହ,ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଜଜ୍ ନିଯୁକ୍ତି କଲେ।ଏହା ପୂର୍ବରୁ ଅର୍ଥାତ ୧୯୯୩ରୁ ସୁପ୍ରିମକୋର୍ଟର କେବଳ ପ୍ରଧାନ ବିଚାରପତି ଜଜ୍ ନିଜୁକ୍ତି କରାଉଥିଲେ।

Supreme-Court

ରାଷ୍ଟ୍ରପତି ନିଯୁକ୍ତି କରାଉଥିଲେ
ଅନ୍ୟପକ୍ଷରେ ସମ୍ବିଧାନ ପ୍ରଣୟନ ସମୟରେ ଭାରତର ରାଷ୍ଟ୍ରପତି,ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତିଙ୍କୁ ନିଜୁକ୍ତି କରାଇବାର ବ୍ୟବସ୍ଥା ଥିଲା। ସମ୍ବିଧାନର ଅନୁଚ୍ଛେଦ ୧୨୪ ଏବଂ ଅନୁଚ୍ଛେଦ ୨୧୭ ଅନୁସାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏବଂ ଉପଦେଷ୍ଟା ମଣ୍ଡଳୀର ପରାମର୍ଶରେ ରାଷ୍ଟ୍ରପତି ଜଜ୍ ନିଯୁକ୍ତି କରୁଥିଲେ। ସେହି ବ୍ୟବସ୍ଥାରେ ୧୯୯୩ରେ ରୋକ ଲାଗିଥିଲା।ସେବେଠାରୁ ପ୍ରଧାନ ବିଚାରପତି,ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ଜଜ୍ ନିଯୁକ୍ତି କଲେ।ପରେ ୧୯୯୮ରୁ କଲେଜିୟମ୍ ବ୍ୟବସ୍ଥା ଆରମ୍ଭ ହୋଇଗଲା।
NJAC ଲାଗୁ ହେଲା,ଖାରଜ ବି ହୋଇଗଲା
କଲେଜିୟମ୍ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ବିଚାର ପ୍ରକ୍ରିୟାର ବିଶ୍ୱସନୀୟତାକୁ ବଢ଼ାଇବା ଲାଗି,ମୋଦି ସରକାର ୨୦୧୪ରେ ପ୍ରୟାସ କରିଥିଲେ।ସମ୍ବିଧାନ ସଂଶୋଧନ କରି ନ୍ୟାସନାଲ୍ ଜୁଡିସିଆଲ ଆପଣ୍ଟେମେଣ୍ଟ କମିଶନ ବିଲ ସଂସଦରେ ପାରିତ ହୋଇଥିଲା।ଏହାକୁ ୩୧ଡିସେମ୍ବର ୨୦୧୪ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅନୁମୋଦ ମିଳିଥିଲା। ଆଉ ୧୩ଏପ୍ରିଲ ୨୦୧୫ରୁ NJAC କାର୍ଯ୍ୟକାରୀ କରାଗଲା।କିନ୍ତୁ ସୁପ୍ରିମକୋର୍ଟ କଲେଜିୟମ୍ ବ୍ୟବସ୍ଥାକୁ କାୟମ ରଖି ନ୍ୟାସନାଲ ଜୁଡିସିଆଲ ଆପଣ୍ଟେମେଣ୍ଟ କମିଶନ(NJAC)କୁ ୧୬ ଅକ୍ଟୋବର ୨୦୧୫ରେ ଖାରଜ କରିଦେଲେ। ଠିକ୍ ୪ବର୍ଷ ପରେ ଓଡ଼ିଶା ହାଇକୋର୍ଟ ଓକିଲ ସଂଘ ଦାବି କଲାଣି ବିଚାରପତି ନିଜୁକ୍ତିରେ NJAC କାର୍ଯ୍ୟକାରୀ କରାଯାଉ।