ନରହନ୍ତା BJD ବିଧାୟକ, ଲୋକଙ୍କ ଉପରେ ଗାଡି ଚଢାଇ ଦେଲେ MLA ଜଗଦ୍ଦେବ

ସୀମା ଟପୁଛି ରାଜ୍ୟରେ ଅରାଜକତା। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ବେଳେ ଚିଲିକାରୁ ଏକ ଦୁଃଖଦ ଖବର ଆସିଛି। ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଜନସାଧାରଣଙ୍କ ଉପରେ ଗାଡି ଚଢ଼ାଇ ଦେଇଛନ୍ତି। ଏହି ଘଟଣାରେ ୩ ବିଜେପି କର୍ମୀ, ୨୨ ଜଣ ସାଧାରଣ ଜନତା ଗୁରୁତର ଆଘାତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଣପୁର ମେଡିକାଲରେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଅନ୍ୟ ଗୁରୁତରଙ୍କୁ ଭୁବେନଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ୭ ଜଣ ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ କରିଥିବା ବେଳେ ତାଙ୍କ ଗାଡିକୁ ଭାଙ୍ଗି ଚୁରମାର କରିଛନ୍ତି।

ଲୁଚିଛି ନା ଗୋଡ ଦୁଇଟି ଦିଶୁଛି
ପ୍ରଶାନ୍ତ ଜଗଦେବଙ୍କ ଭଳି ଜଣେ ବିବାଦୀୟ ବ୍ୟକ୍ତିଙ୍କୁ ବିଜେଡିରେ କିଏ ସୁରକ୍ଷା ଦେଉଛି ତାହା ବର୍ତ୍ତମାନ ବଡ ପ୍ରଶ୍ନ ସାଜିଛି। ଅହିଂସାକୁ ମୁଖବନ୍ଧରେ ସ୍ଥାନ ଦେବାକୁ ଦାବୀ କରୁଥିବା ଦଳ କିଭଳି ଏ ପ୍ରକାରର ହିଂସାକୁ ପ୍ରୋତ୍ସାହନ ଦେଉଛି ତାହା ଅମର ପଟ୍ଟନାୟକଙ୍କ ବୟାନ ସ୍ପଷ୍ଟ କରୁଛି। ଛାତ୍ର ଜୀବନରୁ କ୍ଷେତ୍ରବାସୀ ମହାବିଦ୍ୟାଳରେ ପାଠ ପଢ଼ୁଥିବା ସମୟରେ ଅରାଜକତା ସୃଷ୍ଟି କରିବାଠୁ ଆରମ୍ଭ କରି ନିରଞ୍ଜନ ସେଠିଙ୍କୁ ଆକ୍ରମଣ କରିବା,ଜଣେ ବିଧବା ମହିଳାଙ୍କୁ ଧମକ ଦେବା ଆଦି ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ସତ୍ତ୍ୱେ ବିଜୁ ଜନତା ଦଳ ସୁରକ୍ଷା ଦେଉଥିବା ବିରୋଧି ସମାଲୋଚନା କରୁଛନ୍ତି। ଯଦିଓ ବିଜେଡିରୁ ତାଙ୍କୁ ବହିଷ୍କୃତ କରାଯାଉଥିବା କଥା କୁହାଯାଉଛି ତଥାପି ବିଭିନ୍ନ ରାଜନୈତୀକ ସଭାରେ ତାଙ୍କର ଉପସ୍ଥିତି ହିଁ ସବୁକିଛି ବୟାନ କରୁଛି। ଯଦି ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ତେବେ ସେ ପଞ୍ଚାୟତ ନିର୍ବାଚନରେ କିପରି ଦାୟିତ୍ତ୍ୱ ନେଲେ?କିଭଳି ଜିଲ୍ଲାପରିଷଦ ଟିକେଟ ବାଣ୍ଟିଲେ ଓ ସର୍ବଶେଷରେ ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ସମୟରେ ଜଣେ ବହିଷ୍କୃତ ନେତା ସେଠି କଣ କରୁଥିଲେ ତାକୁ ନେଇ ଏବେ ଅନେକ ଅସନ୍ତୋଷ ସୃଷ୍ଟି ହୋଇଛି ।

ନାଁକୁ ମାତ୍ର ନିଲମ୍ବନ,ବାରମ୍ବାର ଅଶାନ୍ତ ହେଉଛନ୍ତି ପ୍ରଶାନ୍ତ,ତଥାପି କିଏ ଦେଉଛି ସୁରକ୍ଷା
ଚିଲିକା ବିଧାୟକଙ୍କ ଅପରାଧର ଲମ୍ବା ଚିଠା ସତ୍ତ୍ୱେ ବାରମ୍ବାର କୋଳେଇ ନେଇଛି ବିଜେଡି। ମହାନଦୀ ଆନ୍ଦୋଳନ ସମୟରେ ୨୦୧୭ରେ ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ମାଡ଼ ମାରିଥିଲେ ବୋଲଗଡ଼-ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । କେବଳ ଏତିକି ନୁହେଁ ବେଗୁନିଆ ତହସିଲଦାର ନିବେଦିତା ନାୟକଙ୍କ ଉପରକୁ ପ୍ରଶାନ୍ତ ଜଗଦ୍ଦେବ ଲଣ୍ଠନ ପିଙ୍ଗିଥିଲେ। ସେ ଘଟଣା ସତ୍ତ୍ୱେ ମଧ୍ୟ ବିଜୁ ଜନତା ଦଳ ତାଙ୍କୁ ଚିଲିକାରୁ ପ୍ରାର୍ଥି କରିଥିଲା। ଏପରିକି ଗତ ନବକଳେବର ବର୍ଷ ରଥଯାତ୍ରା ଦିନ ପୁରୀର ତତ୍କାଳୀନ SP ଆଶିଷ ସିଂ ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କ ମଧ୍ୟରେ ଶ୍ରୀମନ୍ଦିର ମଧ୍ୟରେ ମାରପିଟ ହୋଇଥିବା ସତ୍ତ୍ୱେ ତତ୍କାଳୀନ ବୋଲଗଡ଼-ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇ ନଥିଲା। ଯଦିଓ କିଛିଦିନ ପୁର୍ବରୁ ତାଙ୍କୁ ନାଁକୁ ମାତ୍ର ନିଲମ୍ବନ କରାଯାଇଛି ତଥାପି ସେ ଦଳ ସହିତ ସଂଯୁକ୍ତ ଅଛନ୍ତି। ଯଦି ପ୍ରକୃତରେ ବିଜେଡି ତାଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଥାଆନ୍ତା ତେବେ ସେ ପଞ୍ଚାୟତ ନିର୍ବାଚନରେ ମଙ୍ଗ ଧରିବା ସହ ଜିଲ୍ଲାପରିଷଦ ଟିକେଟ୍ ବାଣ୍ଟି ପାରି ନଥାନ୍ତେ। ଜଣେ ନିଲମ୍ବିତ କର୍ମୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ଦବଙ୍ଗଗିରି ଦେଖାଇବା ଘଟଣାକୁ ସହଜେ ଗ୍ରହଣ କରିପାରୁନାହାନ୍ତି ଜନ ସାଧାରଣ ।ଏ ଘଟଣାକୁ ରାଜ୍ୟବ୍ୟାପୀ ନିନ୍ଦା କରାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି। ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ କହିବା ଅନୁଯାୟୀ, ଜଣେ ଜନପ୍ରତିନିଧି ଏଭଳି ନୃଂଶସ କାମ କରିବ ତାହା କଳ୍ପନାର ବାହାରେ। ଯେଉଁ ଅଘଟଣ ଘଟିଛି ତାହାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ମତ ରଖିଛନ୍ତି।
Connect With Us