ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିବା ୨୦୧୮ ଜୁଲାଇ ୧୪ରେ ଓଡ଼ିଶା ଭାଗ୍ୟରେ ଜୁଟିଲା।ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ଓ ନୃତ୍ୟାଙ୍ଗନା ସୋନାଲ ମାନସିଂଙ୍କୁ ନରେନ୍ଦ୍ର ମୋଦି ସରକାର ରାଜ୍ୟସଭାକୁ ନେଲେ।ରଘୁନାଥ ମହାପାତ୍ରଙ୍କ କୌଣସି ରାଜନୈତିକ ପୃଷ୍ଠଭୂମି ନଥିଲା,କିନ୍ତୁ ସୋନାଲ ମାନସିଂ ଆସିଥିଲେ ସ୍ୱାଧିନତା ସଂଗ୍ରାମୀ ପରିବାରରୁ।ସୋନାଲଙ୍କ ଜେଜେବାପା ମଙ୍ଗଳଦାସ ପକଭାସ ଥିଲେ ରାଜ୍ୟପାଳ।ଗୁଜୁରାଟ ସୁରଟ ସହରର ମୂଳନିବାସୀ ମଙ୍ଗଳଦାସଙ୍କର ନେହରୁଙ୍କ ସହ ମତଭେଦ ହେବାରୁ୧୯୪୪ରେ କଂଗ୍ରେସ ଛାଡିଥିଲେ।କିନ୍ତୁ ସ୍ୱାଧିନତା ପରେ ମହତ୍ମା ଗାନ୍ଧୀଙ୍କ ହସ୍ତକ୍ଷେପ ଯୋଗୁ,ପ୍ରଥମ ରାଜ୍ୟପାଳ ନିଯୁକ୍ତିରେ ମଙ୍ଗଳଦାସ ହୋଇଥିଲେ ଗଭର୍ଣ୍ଣର।ତେଣୁ ପଲିଟିକାଲ୍ ବ୍ୟାକଗ୍ରାଉଣ୍ଡ ଏବଂ ଗୁଜୁରାଟ ସମ୍ପର୍କ,ସୋନାଲଙ୍କୁ ମୋଦି ସରକାରଙ୍କ ନିକଟତର କରାଇଲା। 

ନାଚଭାଷଣକୁ ନେଇ ଝଗଡା
ଅନ୍ୟପକ୍ଷରେ ହିନ୍ଦୁସ୍ଥାନ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ଏବଂ ଭାରତନାଟ୍ୟମକୁ ବିଶ୍ୱଦରବାରରେ ପହଞ୍ଚାଇବାରେ ସୋନାଲଙ୍କ ଅବଦାନ ଅତୁଳନୀୟ।ସେଥିପାଇଁ ୨୦୦୩ରେ ଭାରତ ସରକାର ସୋନାଲଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କଲେ।ପିଲାବେଳୁ ନୃତ୍ୟ ପ୍ରତି ଆଗ୍ରହୀ ଥିବା ସୋନାଲ,ଓଡ଼ିଶାର ଲଳିତ ମାନସିଂଙ୍କୁ ବିବାହ କରିଥିଲେ।ଶଶୁର ମାୟାଧର ମାନସିଂ ସୋନାଲଙ୍କୁ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ସହ ପରିଚିତ କରାଇଥିଲେ।ଗୁରୁ କେଳୁଚରଣଙ୍କ ଠାରୁ ସୋନାଲ ମାନସିଂ ଓଡ଼ିଶୀ ନୃତ୍ୟ ଶିଖିଥିଲେ।
ତେବେ ସୋନାଲଙ୍କ ନୃତ୍ୟକୁ ନେଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଖୁସି ନଥିଲେ।ଗୁଜୁରାଟର ମୋରାରଜୀ ଭାଇଙ୍କ ସହ ସୋନାଲଙ୍କର ଥିଲା ପାରିବାରିକ ସମ୍ପର୍କ।ମୋରାରଜୀ ଦେଶାଇଙ୍କୁ କାକା ଭାବରେ ସମ୍ବୋଧନ କରୁଥିଲେ ସୋନାଲ।୧୯୬୪ରେ ମୋରାରଜୀ ଭାଇ,କେନ୍ଦ୍ରରେ ଅର୍ଥମନ୍ତ୍ରୀ ଥିବାବେଳେ ତାଙ୍କ ଦିଲ୍ଲୀ ବାସଭବନରେ ସାକ୍ଷାତ କରିଥିଲେ ସୋନାଲ।ସେ ନୃତ୍ୟ କରୁଥିବା ଜାଣି ଭୀଷଣ ରାଗିଥିଲେ ମୋରାରଜୀ ଭାଇ।ସର୍ବସାଧାରଣରେ କାହିଁକି ନାଚ କରୁଛ କହି ସୋନାଲଙ୍କୁ ଗାଳି ଦେଇଥିଲେ ମୋରାରଜୀ ଭାଇ।ସୋନାଲ ମଧ୍ୟ ମୋରାରଜୀଙ୍କୁ ପ୍ରଶ୍ନ କରିଥିଲେ ଆପଣ କାହିଁକି ସର୍ବସାଧାରଣରେ ଭାଷଣ ଦେଉଛନ୍ତି? ସୋନାଲଙ୍କ ଉତ୍ତର ଶୁଣି ଭୀଷଣ ରାଗି ଯାଇଥିଲେ ଏବଂ ସୋନାଲଙ୍କ ଅସୁସ୍ଥ ଜେଜେବାପା ମଙ୍ଗଳଦାସଙ୍କୁ ଟେଲିଫୋନ କରି ଜଣାଇଥିଲେ ମୋରାରଜୀ ଦେଶାଇ।

କାକାଙ୍କ ଘରେ କାନ୍ଦିଲେ ଝିଆରୀ ସୋନାଲ
ତେବେ ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ହେବା ପରେ ୧୯୭୮ମସିହାରେ ସୋନାଲଙ୍କୁ ନିଜ ସରକାରୀ ବାସଭବନକୁ ଡାକିଥିଲେ।ନିଜର ଦୁଇ ସାଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମୟରେ ମୋରାରଜୀ,ସୋନାଲଙ୍କ ନୃତ୍ୟକୁ ନେଇ ପ୍ରଶ୍ନ କରିଥିଲେ।ତୁମେ ଏବେବି ନାଚୁଛ ବୋଲି ମୋରାରଜୀ ଭାଇ ସୋନାଲଙ୍କୁ ପ୍ରଶ୍ନ କରିଥିଲେ।ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଖୁସି ତତକ୍ଷଣାତ ସୋନାଲଙ୍କ ମୁହଁରୁ ଉଭେଇ ଯାଇଥିଲା।ରାଗିକରି ଗୁଜୁରାଟ ଭାଷାରେ ସୋନାଲ ମାନସିଂ,ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କୁ ଜବାବ ଦେଇଥିଲେ ଆପଣ ଏବେବି ଔରଙ୍ଗଜେବଙ୍କ ଭଳି ବ୍ୟବହାର କରୁଛନ୍ତି! ନିକଟରେ ଆଉଟଲୁକ୍ ମାଗାଜିନକୁ ଦେଇଥିବା ଇଣ୍ଟରଭିୟ୍ୟୁରେ ସୋନାଲ  ଏକଥା କହିଛନ୍ତି।

ଏହାପରେ ଜୋରରେ କାନ୍ଦିଥିଲେ ସୋନାଲ।ଫଳରେ କାକା ମୋରାରଜୀଙ୍କ ହୃଦୟ ତରଳି ଥିଲା।ଝିଆରୀ ସୋନାଲଙ୍କୁ ଡ୍ରାଏ ଫ୍ରୁଟସ୍ ଖାଇବାକୁ ଦେଇଥିଲେ।ପରେ ଦିଲ୍ଲୀର ହୋଟେଲ ଅଶୋକାରେ ଚାଲିଥିବା ୩ଦିନିଆ ନୃତ୍ୟ ଉତ୍ସବ ‘କ୍ରିଷ୍ନା’ରେ ଯୋଗ ଦେଇଥିଲେ।ଆଉ ନୃତ୍ୟ ସମାରୋହରେ ଉପସ୍ଥିତ ଦର୍ଶକଙ୍କୁ ମୋରାରରଜୀ ଦେଶାଇ କହିଥିଲେ‘ସେ ଏଠାକୁ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ ସୋନାଲର କାକା ଭାବରେ ଆସିଛନ୍ତି’।