ଧାମନଗର ଉପନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ସରଗରମ। ରାଜକିଶୋର ପ୍ରାର୍ଥି ହେବା ପରେ ରାଜନୀତି ଏକ ଭିନ୍ନ ମୋଡ଼ ନେଇଛି। ତ୍ରିମୁଖି ଲଢ଼େଇରୁ ଆଉ ଦି ପାଦ ଆଗକୁ ଯାଇ ଧାମନଗରରେ ଚତୁର୍ମୁଖି ଲଢ଼େଇ ହେବାକୁ ଯାଉଛି। ବିଭିନ୍ନ ଦଳ ପକ୍ଷରୁ ଷ୍ଟାର୍ ପ୍ରଚାରକ ତାଲିକା ମଧ୍ୟ ପ୍ରକାଶ ପାଇଲାଣି। କଂଗ୍ରେସ ଦଳ ମଧ୍ୟ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ରାଜ୍ୟର ବରିଷ୍ଠ ନେତାଗଣ ଏଥିରେ ସ୍ଥାନ ପାଇଛନ୍ତି। ଏହି ଲିଷ୍ଟରେ ପ୍ରଭାରୀ,ବିଧାୟକ,ସାଂସଦଙ୍କ ନାଁ ରହିଛି ।କଂଗ୍ରେସର ଆସ୍ଥାଭାଜନ ଥିବା ନେତାଙ୍କୁ ମଧ୍ୟ ଏଥିରେ ସାମିଲ୍ କରାଯାଇଛି। ମାତ୍ର ଏହି ତାଲିକାରୁ କଂଗ୍ରେସର ଟାଣୁଆ ନେତା ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ବାଦ୍ ପଡିଛି। ପୁର୍ବରୁ ଷ୍ଟାର୍ ପ୍ରଚାର ତାଲିକାରେ ତାଙ୍କୁ ସ୍ଥାନ ଦିଆଯାଉଥିଳା ବେଳେ ଏବେ ଏମିତି ପଦକ୍ଷେପ ନେବା ସମସ୍ତଙ୍କୁ ଚକିତ କରିଛି। କଂଗ୍ରେସ ରାଷ୍ଟ୍ରପତି ଭୋଟର ରାଗ ଶୁଝୋଉଛି ବୋଲି ଚର୍ଚ୍ଚା ହେଉଛି।
ମୁର୍ମୁଙ୍କୁ ମୋହର ଦେଇ ଫସିଗଲେ କି ମୋକିମ
କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ସାମ୍ନାକୁ ଆସିଛି। ଏଥିରେ ୩୦ ଜଣ ସାମିଲ୍ ହୋଇଛନ୍ତି। ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଭକ୍ତ ଦାସ, ଚିରଞ୍ଜୀବ ବିଶ୍ୱାଳ, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅନନ୍ତ ସେଠୀ, ଗଣେଶ୍ୱର ବେହେରା, ପଞ୍ଚାନନ କାନୁନଗୋ ଆଦି ସାମିଲ ଅଛନ୍ତି। ଚେଲ୍ଲା କୁମାର ମଧ୍ୟ ପ୍ରଚାରରେ ସାମିଲ ହେବେ।ମାତ୍ର ଏଥିରୁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ବାଦ ପଡିଛି। ୟାକୁ ନେଇ ଏବେ ବିଭିନ୍ନ ରାଜନୈତୀକ ମହଲରେ ଚର୍ଚ୍ଚା ହେଉଛି। ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷିରେ ସାଇତା ରାଗର ପ୍ରତିଶୋଧ ନେବାକୁ କଂଗ୍ରେସ ଏପରି କରୁଥିବା ରାଜନୈତୀକ ବିଶେଷଜ୍ଞ ମତ ରଖୁଛନ୍ତି।
ମାଟି ପ୍ରିତି ପାର୍ଟିକୁ ଅଡ଼ୁଆ
ପୁର୍ବରୁ କଂଗ୍ରେସ ଓ ମୋକିମଙ୍କୁ ନେଇ ସବୁକିଛି ଠିକ୍ ଚାଲିଥିଲା।ଗୋଟାଏ ଥରର ବିଧାୟକ ହୋଇ ମଧ୍ୟ ନିଜର ଦବଦବା ଜାହୀର କରି ପାରିଥିଲେ ମୋକିମ୍। କଟକ ବାରବାଟୀ ଆସନରୁ ଦେବାଶୀଶ ସାମନ୍ତରାୟଙ୍କୁ ହରାଇ କଂଗ୍ରେସ ଆଉ ଗୋଟାଏ ସିଟ୍ କନଫର୍ମ କରିଥିଲେ ମୋକିମ୍।ସେବେଠାରୁ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ସୁଚିନ୍ତିତ ମତ ରଖି ସେ କଂଗ୍ରେସର ଆସ୍ତା ଜିତିଛନ୍ତି ।ମାତ୍ର ପିସିସି ସଭାପତି ନିର୍ବାଚନ ବେଳକୁ କିଛି ମାତ୍ରାରେ ଫାଟ ଦେଖା ଦେଇଥିଲା। ସର୍ବୋପରି ରାଷ୍ଟ୍ରପତି ନିର୍ବାଚନକୁ ନେଇ ମୋକିମଙ୍କ ନିଷ୍ପତ୍ତି କଂଗ୍ରେସ ସହ ଫାଟ ସୃଷ୍ଟି କରିଛି। ପାର୍ଟୀ ତରଫରୁ ଜଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥି କରାଯାଇଥିଲା ବେଳେ ମୋକିମ୍ ମାଟିର କନ୍ୟା ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ ।ତାଙ୍କର ଏହି ନିଷ୍ପତ୍ତିକୁ ଅନେକ ନେତା ବିରୋଧ କରିବା ସହ ପାର୍ଟି ତରପରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଥିଲା।ପାର୍ଟି ବିରୁଦ୍ଧରେ ଯାଇ ରାଷ୍ଟ୍ରପତି ଭୋଟରେ ମତଦାନ କରି୍ଥିବାରୁ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆ ଯାଇଛି ବୋଲି ଚର୍ଚ୍ଚା ହେଉଛି।
କଂଗ୍ରେସର ହାତ ଛାଡିବେ କି ମୋକିମ୍?
ମୋକିମଙ୍କର ମଧ୍ୟ ଏକ ସ୍ୱତନ୍ତ୍ର ଲୋକପ୍ରିୟତା ରହିଛି। ରାଷ୍ଟ୍ରପତି ଭୋଟ କ୍ଷେତ୍ରରେ ଦଳ ତାଙ୍କ ଉପରେ ଅସମନ୍ତୁଷ୍ଟ ହୋଇଥିଲେ ସୁଦ୍ଧା ଜନତାଙ୍କ ଆଖିରେ ତାଙ୍କ ପ୍ରୋଫାଇଲ ଆହୁରି ହାଇ ହୋଇଛି। ଏପରିକି କଂଗ୍ରେସ ପ୍ରାୟ ଲଢ଼େଇରେ ତୃତୀୟ ସ୍ଥାନରେ ରହୁଥିଲା ବେଳେ କଟକ ମ୍ୟୁନିସିପାଲିଟି ନିର୍ବାଚନରେ କିନ୍ତୁ ମୋକିମଙ୍କ ନେତୃତ୍ୱରେ ମେୟର ପ୍ରାର୍ଥି ବିଜେପି ପ୍ରାର୍ଥିଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଯଦିଓ ବିଜେଡି ପ୍ରାର୍ଥି ସୁବାସ ସିଂ ବିଜେତା ହୋଇଥିଲେ କଂଗ୍ରେସ ମଧ୍ୟ ସେଠି କଡ଼ା ଟକ୍କର ଦେଇଥିଲେ। ଏତେ ସବୁ ପରେ ଯଦି ଏପରି ହୁଏ ଓ ମୋକିମ୍ କଂଗ୍ରେସରେ ରହି ଏଭଳି ଉପେକ୍ଷିତ ହୁଅନ୍ତି ତେବେ ସେ ହୁଏତ ଭିନ୍ନ ନିଷ୍ପତ୍ତି ନେଇପାରନ୍ତି।କଂଗ୍ରେସର ଏଭଳି ମନୋଭାବ ପରେ ସେ କଂଗ୍ରେସରେ ରହିବେ କି ହାତ ଛାଡି ଅନ୍ୟ କେଉଁ ଦଳରେ ସାମିଲ ହେବେ ଏବେ ତା ଉପରେ ସମସ୍ତଙ୍କ ନଜର।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା