୨୦୨୨ ନଭେମ୍ବରରେ ଓଡ଼ିଶା ଆସିଥିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ମୋହନ ରେଡ୍ଡି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୋଟିଆକୁ ନେଇ ଚର୍ଚ୍ଚା ହୋଇଥିବା ଅନୁମାନ କରାଯାଇଥିଲା। କେବଳ ସେତିକି ନୁହେଁ ଅନେକ ଥର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ହେଉଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ। ମାତ୍ର ସବୁ ସତ୍ତ୍ୱେ ବି ଆନ୍ଧ୍ର ସରକାର କୋଟିଆ କେଁ ଛାଡ଼ୁ ନାହାନ୍ତି। ଏବେ କୋଟିଆର ଅନେକ ଗାଁ ଆନ୍ଧ୍ରପ୍ରଦେଶ ମ୍ୟାପରେ ସ୍ଥାନ ପାଇଛି। ତେଣୁ ନବୀନ ଜଗନଙ୍କ ଭେଟଘାଟରୁ କୋଟିଆକୁ ନେଇ ଓଡ଼ିଶା କୌଣସି ଲାଭ ପାଉନଥିବା କୁହାଯାଇପାରେ।
କେତେ ସିରିୟସ ଓଡ଼ିଶା ସରକାର:ଆନ୍ଧ୍ର ମ୍ୟାପରେ କୋଟିଆ
କୋଟିଆକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଧିରେଧିରେ ବଢିବାକୁ ଲାଗିଛି। ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କୋଟିଆ ବିବାଦ ଘେରକୁ ଆସୁଥିଲା ବେଳେ ଓଡ଼ିଶା ସରକାରଙ୍କ ନୀରବତା ଆନ୍ଧ୍ରପ୍ରଦେଶକୁ ଗ୍ରୀନ୍ ସିଗନାଲ ଦେଉଛି। କୋଟିଆକୁ ନେଇ ଉଭୟ ରାଜ୍ୟ ଟଣାଓଟରା ହେଉଥିଲା ବେଳେ ଆନ୍ଧ୍ରସରକାରଙ୍କ ସକ୍ରିୟତା ଏବଂ ଓଡ଼ିଶା ସରକାରଙ୍କ ନିଷ୍କ୍ରିୟତା କୋଟିଆ ହାତରୁ ଖସିଯିବା ନେଇ ସମାଲୋଚକ ମତ ଦେଉଛନ୍ତି। କୋଟିଆର ସାଲୁରମଣ୍ଡଳ ଗାଁ ଆନ୍ଧ୍ର ମ୍ୟାପରେ ସ୍ଥାନ ପାଇବା ନେଇ ଓଡ଼ିଶାର ବୁଦ୍ଧିଜୀବି ମହଲ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଧର୍ମେନ୍ଦ୍ରଙ୍କ ଆନ୍ଧ୍ର Go Backକୁ ଫୁ
କୋଟିଆ ଉପରେ କୋରାପୁଟ ତଥା ଓଡ଼ିଶାର ଅଧିକାର ରହିଥିଲେ ସୁଦ୍ଧା ମନମାନି କରୁଛି ଆନ୍ଧ୍ର ସରକାର। ଏପରିକି କୋଟିଆର ବିଭିନ୍ନ ପିଲାଙ୍କୁ ଶିକ୍ଷା ଯୋଗାଉଛି ଆନ୍ଧ୍ର ସରକାର। ବିଭିନ୍ନ ପରିବାରକୁ ରାସନ ସାମଗ୍ରୀ ସହିତ ସମସ୍ତ ପ୍ରକାରର ସରକାରୀ ସୁବିଧା ଯୋଗାଇ କୋଟିଆକୁ କବଜା କରୁଛି ଆନ୍ଧ୍ରପ୍ରଦେଶ। କୋଟିଆ ଗସ୍ତରେ ଯାଇଥିବା ସମୟରେ ଜଣେ ଆନ୍ଧ୍ର ଅଫିସରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ଗୋ ବ୍ୟାକ ବୋଲି ଚେତାବନୀ ଦେବାର ଭିଡିଓ ଖୁବ୍ ଭାଇରାଲ ହେଇଥିଲା। ମାତ୍ର ତାର କିଛି ଦିନ ପରେ କୋଟିଆକୁ ଆନ୍ଧ୍ର ମ୍ୟାପରେ ରଖିବାର ଦୁଃସାହସ କରିଛି ଆନ୍ଧ୍ର ସରକାର।
ଓଡ଼ିଶାର ଗାଁକୁ ନେଇ ଜିଲ୍ଲା ଗଢିଲାଣି ଆନ୍ଧ୍ରପ୍ରଦେଶ
କୋଟିଆ ସୀମାକୁ ଲାଗି ରହିଥିବା ବିଜୟନଗର ଜିଲ୍ଲାକୁ ଭାଗ କରି ନୂଆ ଜିଲ୍ଲା ମାନ୍ୟତା ଦେଇ ମାନ୍ୟମ ବୋଲି ନାମକରଣ କରିଛନ୍ତି ଆନ୍ଧ୍ର ସରକାର। ପୁରୁଣା ବିଜୟନଗର ଜିଲ୍ଲାର ପାର୍ବତୀପୁରମ ରାଜସ୍ବ ମଣ୍ଡଳ ଓ ଶ୍ରୀକାକୁଲମ୍ ଜିଲ୍ଲାର ପାଲାକୋଣ୍ଡା ରାଜସ୍ବ ମଣ୍ଡଳକୁ ନେଇ ଏହି ନୂଆ ଜିଲ୍ଲା ଗଠିତ ହୋଇଥିଲା। ଶ୍ରୀକାକୁଲମ ରାଜସ୍ବ ମଣ୍ଡଳ ଅଧୀନରେ କୋଟିଆ ଗ୍ରାମପୁଞ୍ଜ ରହିଥିବା ବେଳେ ଏହି ଗ୍ରାମପୁଞ୍ଜକୁ ଆନ୍ଧ୍ର ତିନୋଟି ପଞ୍ଚାୟତରେ ଭାଗ କରିଛି। କୋଟିଆରେ ରହିଥିବା ୨୮ଟି ରାଜସ୍ବ ଗାଁ ଓ ୧୨ ପଡା ଗାଁକୁ ମିଶାଇବାକୁ ଆନ୍ଧ୍ର ପ୍ରୟାସ ଜାରି ରଖିଥିବା ବେଳେ ଏହି ନୂଆ ଜିଲ୍ଲା ଗଠନ ପରେ ମଧ୍ୟ ଓଡ଼ିଶା ସରକାର ଚୁପ୍ ବସିବା ହେତୁ ଆନ୍ଧ୍ର ମନମାନୀ ଧିରେଧିରେ ବଢିବାରେ ଲାଗିଛି।