ସରକାରୀ ଅଫିସର ବିରୋଧି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜଣାଶୁଣା।ଦୁର୍ନୀତିଗସ୍ତ ଅଫିସରଙ୍କୁ ବାଡେଇବା ପାଇଁ ଲୋକଙ୍କୁ ଆହ୍ୱାନ ଦେଉଥିଲେ ବିଜୁବାବୁ।ମାତ୍ର ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ସରକାରରେ ଅଫିସରମାନେ ସର୍ବାଗେ। ଅଫିସରମାନେ ସରକାର ଚଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ୪ରୁ ୫ଜଣ ଅଫିସର ଓଡ଼ିଶା ଚଳାଉଛନ୍ତି ବୋଲି ରାହୁଲ ଗାନ୍ଧି ଆଜି(ଶୁକ୍ରବାର) ଜୟପୁରର ସଂକଳ୍ପ ସମାବେଶରେ କହିଛନ୍ତି। ଅଫିସର ରାଜରେ ଗରିବ ଆଦିବାସୀଙ୍କ ସ୍ୱର ବିଧାନସଭାରେ କି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ମଧ୍ୟ ପହଞ୍ଚୁ ନାହିଁ।

IAS ଶାସନ ଚାଲିଛି
ସେପଟେ ରାହୁଲଙ୍କ ଅଭିଯୋଗ ସହ ମେଳ ଖାଉଛି ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ କଥା। ଗତ ସେପ୍ଟେମ୍ବର ୨୪ରେ ପୁରୀରେ ବିଜେପିର ମହିଳା ସମାବେଶରେ ଶାହଙ୍କ ଅଭିଯୋଗ ଆଉ ମାର୍ଚ୍ଚ 8ରେ ଜୟପୁରରେ ରାହୁଲଙ୍କ ଭାଷା ଏକ।ସେଦିନ ଓଡ଼ିଶାରେ ବିଧାୟକ,ସାଂସଦ ତଥା ଜନପ୍ରତିନିଧିଙ୍କ କିଛି ମର୍ଯ୍ୟଦା ନାହିଁ। ଏଠାରେ IAS ଅଫିସର ଶାସନ ଚଳାଉଛନ୍ତି। କେନ୍ଦ୍ରରୁ ମୋଦି ଓଡ଼ିଶା ବିକାଶ ଲାଗି ୪ଲକ୍ଷ ୬୫ ହଜାର କୋଟି ଟଙ୍କା ଦେଇଛନ୍ତି। ହେଲେ ଗରିବ ଲୋକଙ୍କ ବିକାଶ ହେଉନାହିଁ। ଭ୍ରଷ୍ଟାଚାରୀ ଅଫିସର ସେହି ଅର୍ଥକୁ ଖାଇ ଯାଉଛନ୍ତି। ଭ୍ରଷ୍ଟାଚାରୀଙ୍କୁ କ୍ଷମା ଦିଆଯିବ ନାହିଁ ବୋଲି ଶାହ କହିଥିଲେ।

ରାହୁଲଙ୍କ ଫୋକସରେ ମହିଳା
ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ କୃଷିଋଣ ଛାଡ଼ ଓ ଧାନର କ୍ୱିଣ୍ଟାଲ ଦର ୨୫୦୦ ଟଙ୍କା ହେବ ବୋଲି ରାହୁଲ କହିଛନ୍ତି ।ତେବେ ବିଜେଡିର ମହିଳା ଭୋଟବ୍ୟାଙ୍କକୁ ଭାଙ୍ଗିବା ପାଇଁ ରାହୁଲ ଖେଳିଛନ୍ତି ମହିଳା କାର୍ଡ। ଓଡ଼ିଶାର ମହିଳାଙ୍କୁ ୫ଟି ତୋଫା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
୧.ମହିଳାଙ୍କୁ ମିଳିବ ମାଗଣା ସରକାରୀ ଉଚ୍ଚଶିକ୍ଷା
୨.ଗରିବ ଯୁବତୀଙ୍କୁ ବିବାହ ଲାଗି ମିଳିବ ଆର୍ଥିକ ପ୍ରୋତ୍ସାହନ
୩.୨୦୦୦ ଟଙ୍କା ହେବ ବିଧବା ଭତ୍ତା
୪.ମହିଳାଙ୍କ ଉପରେ ଅତ୍ୟାଚାର ରୋକିବାକୁ ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ମହିଳା ଅଧିକାରୀ
୫.କ୍ଷୁଦ୍ର ମହିଳା ଶିଳ୍ପେଦ୍ୟାଗୀଙ୍କ ଲାଗି ଗଠନ ହେବ ସ୍ୱତନ୍ତ୍ର ଅର୍ଥନିଗମ
ତେବେ ରାହୁଲଙ୍କ ପୂର୍ବ ଦୁଇଟି ଓଡ଼ିଶା ଗସ୍ତରେ ମଧ୍ୟ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଥିଲେ।
No Comments