Narendra-Modi-Election

ଭୁବନେଶ୍ୱର : ଏବିପି ନ୍ୟୁଜ୍ ଏବଂ ସି ଭୋଟର୍ସର ସର୍ଭେ ରିପୋର୍ଟ ଓଡ଼ିଶା ବିଜେପିକୁ ଉତ୍ସାହିତ କରୁଛି। ୩୦୦ଟି ଲୋକସଭା ଆସନରେ ଜିଣି ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ବୋଲି ଏବିପି ନ୍ୟୁଜର ଦେଶ କା ମୁଡ୍ ସର୍ଭେ କହୁଛି। ମୋଦି ହାୱାରେ ଓଡ଼ିଶାରେ ୧୨ଟି ଲୋକସଭା ଆସନରେ ବିଜେପି ଜିତିବ ବୋଲି ସି-ଭୋଟର୍ସ ରିପୋର୍ଟ କହୁଛି। ଯାହାକି ଓଡ଼ିଶା ବିଜେପି ଇତିହାସରେ ସବୁଠୁ ବଡ଼ ବିଜୟ ହୋଇପାରେ। କିନ୍ତୁ ଉତ୍ତର ଭାରତରେ ବିଜେପିର ପ୍ରଦର୍ଶନ, ୨୦୧୪ ତୁଳନାରେ ଖରାପ ରହିବ ବୋଲି ସର୍ଭେ କହୁଛି। ଉତ୍ସାହୀ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହୁଛନ୍ତି, ଆସନ୍ତା ନିର୍ବାଚନରେ ମୋଦି ପୁରୀରୁ ଲଢ଼ନ୍ତୁ ବୋଲି ଓଡ଼ିଶା ବିଜେପି ପକ୍ଷରୁ ପ୍ରସ୍ତାବ ଯାଇଛି। ସେପେଟେ ମୋଦିଙ୍କପୁରୀରୁ ଲଢ଼ିବା ବାବଦରେ ନିଷ୍ପତ୍ତି ବିଜେପି ସଂସଦୀୟ ବୋର୍ଡ ନେବ ବୋଲି ଓଡ଼ିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି।ଏବେ ପଶ୍ଚିମବଙ୍ଗ(ବେଙ୍ଗଲ)ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ, ମୋଦିଙ୍କ ପୁରୀରେ ଲଢ଼ିପାରନ୍ତି ବୋଲି କହିଲେଣି। ଏହାସହ ଅମିତ ଶାହ ପଶ୍ଚିମବଙ୍ଗରୁ ଲଢ଼ିପାରନ୍ତି ବୋଲି ଦିଲ୍ଲୀପ କହିଛନ୍ତିMODI@-PURIପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶାରୁ ଲଢ଼ିଛନ୍ତି
ମୋଦିଙ୍କ ପୁରୀରେ ଲଢ଼ିବା ଲାଗି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସର୍ଭେ କରିଛି ବୋଲି ଚର୍ଚ୍ଚା ହେଉଛି।ଅବଶ୍ୟ ଜଣେ ପ୍ରଧାନମନ୍ତ୍ରୀ ଓଡ଼ିଶାରୁ ଲଢିବା ନୂଆ କଥା ନୁହେଁ।୧୯୯୬ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ବ୍ରହ୍ମପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହାସହ ନିଜ ରାଜ୍ୟ ଆନ୍ଧ୍ରର ନନ୍ଦ୍ୟାଲ ଆସନରୁ ମଧ୍ୟ ଲଢିଥିଲେ। ତେବେ ବ୍ରହ୍ମପୁରରେ ଜନତା ଦଳର ପ୍ରାର୍ଥୀ ଭି.ସୁଜ୍ଞାନୀ କୁମାରୀ ଦେଓଙ୍କୁ ଅଧିକ ଭୋଟରେ ପରାଜିତ କରିଥିବାରୁ ନନ୍ଦ୍ୟାଲ ଆସନକୁ ଛାଡିଥିଲେ ନରସିଂହ ରାଓ। ସେଥିପାଇଁ ମୋଦି ଯଦି ପୁରୀରୁ ଲଢ଼ୁଛନ୍ତି, ଜଣେ ସିଟିଂ ପ୍ରାଇମ୍ ମିନିଷ୍ଟର ଓଡ଼ିଶାରୁ  ଲଢିବା ହେବ ଦ୍ୱିତୀୟ ଘଟଣା।କଥା ଉଠୁଛି ୧୯୯୬ରେ ପ୍ରଧାନମନ୍ତ୍ରୀ ନରସିଂହ ରାଓ ପ୍ରତିଦ୍ୱନ୍ଦ୍ୱିତା କରିବା ସତ୍ତ୍ୱେ ଓଡ଼ିଶାରେ କ୍ଲିନସ୍ୱିପ୍ କରିପାରି ନଥିଲା କଂଗ୍ରେସ। ରାଜ୍ୟରେ କଂଗ୍ରେସ ସରକାର ଥାଇ ମଧ୍ୟ ଜନତା ଦଳ ୪ଟି ଆସନ ଏବଂ ସମତା ପାର୍ଟିର ପ୍ରାର୍ଥୀ ଭକ୍ତ ଚରଣ ଦାସ ଜିତିଥିଲେ। ଏବେ ତ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଅଛି। ତେଣୁ ପୁରୀରେ ଲଢ଼ି, ମୋଦି କାହିଁକି ରିସ୍କ ନେବେ? PVNarasimha-Raoସେପେଟେ ମୋଦି ପୁରୀରୁ ଲଢିଲେ ଯେ ବିଜେପି କ୍ଲିନସ୍ୱିପ୍ କରିବ ସେ ଗ୍ୟାରେଣ୍ଟି କେହି ଦେଇ ପାରିବେ ନାହିଁ। ଏହାସହ ନେହେରୁ ପରିବାରର ଗଡ଼ ଆମେଥି ଏବଂ ରାୟବରେଲିକୁ ବାଦ୍ ଦେଇ ଯେପରି ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ାଯାଏ, ଠିକ୍ ସେହିପରି କେନ୍ଦ୍ରାପଡାକୁ ବାଦ୍ ଦେଇ ଓଡ଼ିଶାରେ ନିର୍ବାଚନ ଲଢ଼ାଯାଏ। କେନ୍ଦ୍ରାପଡା ହେଉଛି ପାରମ୍ପରିକ ଅଣକଂଗ୍ରେସର ଗଡ଼ ବା ବିଜୁ ପଟ୍ଟନାୟକଙ୍କ ଅଭେଦ୍ୟ ଦୁର୍ଗ। ଏଣୁ ବାକି ୨୦ଟି ଆସନ ପାଇଁ ମୋଦି ଓଡ଼ିଶାରେ ଲଢିବାକୁ କାହିଁକି ନିଷ୍ପତ୍ତି ନେବେ?
ଶ୍ରୀକ୍ଷେତ୍ର ନୁହେଁ କାଶୀ
ବାରଣାସୀରେ ଲଢ଼ିବା ଦ୍ୱାରା ଉତ୍ତର ପ୍ରଦେଶର ୮୦ଟି ଆସନ ଏବଂ ଉତ୍ତର ବିହାରର ପ୍ରାୟ ୨୦ଟି ଆସନ ଉପରେ ପ୍ରଭାବ ପକାଉଛନ୍ତି ମୋଦି। କିନ୍ତୁ ପୁରୀରେ ଲଢ଼ିଲେ ଏତେ ଲୋକସଭା ଆସନକୁ ପ୍ରଭାବିତ କରିବାକୁ ସୁଯୋଗ ପାଇବେ ନାହିଁ। ଗୋଟେପଟେ ବଙ୍ଗୋପସାଗର ତ ଦକ୍ଷିଣରେ ତେଲୁଗୁ ଦେଶମ୍ ପାର୍ଟିର ଷ୍ଟ୍ରଙ୍ଗ ବେଲ୍ଟ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରରେ ରହିଛି ମମତା ବାନାର୍ଜୀଙ୍କ ଗଡ଼ ପଶ୍ଚିମବଙ୍ଗ। ଏଣୁ ବିଚକ୍ଷଣ୍ ରାଜନେତା ନରେନ୍ଦ୍ର ମୋଦି ପୁରୀକୁ ପସନ୍ଦ କରି ନପାରନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଜାଣନ୍ତି ଦିଲ୍ଲୀର ଶାସନ ଗାଦି ପାଇଁ ଉତ୍ତର ପ୍ରଦେଶ ଦେଇ ଯିବାକୁ ପଡିବ। ତେଣୁ ବିଶ୍ୱନାଥ କ୍ଷେତ୍ର ବାରଣାସୀ(କାଶୀ)କୁ ଛାଡି ଜଗନ୍ନାଥ ଧାମ(ଶ୍ରୀକ୍ଷେତ୍ର) ପୁରୀକୁ କାହିଁକି ବାଛିବେ ମୋଦି? ଏମିତି ତ ୨୦୧୪ ନିର୍ବାଚନରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଭଦୋଦରା ଏବଂ ବାରଣାସୀରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୟୁପିକୁ ହାତଛଡା କଲେ ଦେଶ ସମ୍ଭାଳିବା ଅସମ୍ଭବ ଜାଣି,ନିଜ ରାଜ୍ୟ ଗୁଜୁରାଟର ଭଦୋଦରା ଆସନରୁ ଇସ୍ତଫା ଦେଇଥିଲେ ନରେନ୍ଦ୍ର ମୋଦି। ଆଉ ଏବେ ବାରଣାସୀକୁ ଛାଡି ପୁରୀରୁ ଲଢିବେ କାହିଁକି ନରେନ୍ଦ୍ର ମୋଦି ?PURI WOMEN SAMABESHଚର୍ଚ୍ଚା ଏମିତି ହୁଏ
ସାଂଗଠନିକ କ୍ଷେତ୍ରରେ ବିଜେଡି ଠାରୁ ପଛରେ ଥିବା ଓଡ଼ିଶା ବିଜେପି ମୋଦିଙ୍କ ନାଁରେ ପାର ହେବାକୁ ଚାହୁଁଛି। ହେଲେ ଦିଲ୍ଲୀର ଶାସନ ପାଇଁ ଏତେ ବଡ଼ ରିସ୍କ ନେବାକୁ ଚାହିଁବେ ନାହିଁ ମୋଦି-ଶାହ। ଅବଶ୍ୟ ନିର୍ବାଚନ ପୂର୍ବରୁ ମୋଦି ପୁରୀରେ ଲଢ଼ିବା ନେଇ ଚର୍ଚ୍ଚା ହେବାରେ କିଛି ନୂତନତ୍ୱ ନାହିଁ।୨୦୧୩ ଜୁଲାଇରେ ବିଜେପିର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନରେନ୍ଦ୍ର ମୋଦି ପୁରୀ ଆସିଥିଲେ। ଆଉ ତାହା ପରେ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ହୁଏତ ଜଗନ୍ନାଥ ଧାମ ମୋଦିଙ୍କ ପାଇଁ ଶୁଭ ଭାବି, ଓଡ଼ିଶା ବିଜେପି ପକ୍ଷରୁ  ପୁରୀର ନାଁକୁ ଜାଣିଶୁଣି ଚର୍ଚ୍ଚାକୁ ଅଣାଯାଇଛି!

ଏଥିସହ ପଢ଼ନ୍ତୁ-ଟାଇମ୍ ମାଗାଜିନରେ ସ୍ଥାନ ପାଇଥିବା ପ୍ରଥମ ବଲିଉଡ ଅଭିନେତ୍ରୀଙ୍କ ମୃତ୍ୟୁ, ଆଜି ବି ରହସ୍ୟ ଘେରରେ