RAHUL GANDHI

୩ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇ କଂଗ୍ରେସ ଛାଡ଼ି ଚାଲି ଗଲେଣି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଦଳକୁ ବାଏ ବାଏ କରି, BJDର ସଂଗଠନ ମଜଭୁତ କରିବାରେ ଲାଗିଛନ୍ତି। ଝାରସୁଗୁଡ଼ା ଓ ଗଞ୍ଜାମ କଂଗ୍ରେସ ମୁକ୍ତ ହେଲା ପରି ଲାଗୁଛି। ଏଭଳି ସ୍ଥିତିରେ ଭୁବନେଶ୍ୱର ଆସିଲେ ରାହୁଲ ଗାନ୍ଧି। କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ରାହୁଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ଯଦିଓ ନେତାମାନଙ୍କୁ ଏକାଠି ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ଏବଂ ଯେବେ ଡ଼ାକିଲେ ସେ ଦିଲ୍ଲୀରୁ ପଲ୍ଲୀକୁ ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି,କିନ୍ତୁ ରାହୁଲଙ୍କ ବାର୍ତ୍ତା କଂଗ୍ରେସ କର୍ମୀଙ୍କୁ ଉତ୍ସାହୀ କଲା ପରି ଲାଗୁ ନାହିଁ।
ତେବେ ଭୁବନେଶ୍ୱର ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲଙ୍କ ଫୋକସରେ ରହିଲେ ଚାଷୀ। ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କୃଷିଋଣ ଛାଡ଼ ପରି, କଂଗ୍ରେସ ସରକାର ଆସିବାର ୧୦ଦିନ ମଧ୍ୟରେ ଓଡ଼ିଶା ଚାଷୀଙ୍କ ଋଣ ଛାଡ଼ ହେବ ବୋଲି ରାହୁଲ ଗାନ୍ଧି କହିଛନ୍ତି।
ରାହୁଲଙ୍କ ପ୍ରତିଶ୍ରୁତି ଚାଷୀ ଋଣ ଛାଡ଼ ଓ MSP ବୃଦ୍ଧି
1-ସରକାର ଆସିବାର 10ଦିନ ମଧ୍ୟରେ କୃଷିଋଣ ଛାଡ଼
2-ଧାନର କ୍ୱିଣ୍ଟାଲ ଦର 17 ଶହ 50 ଟଙ୍କାରୁ 26ଶହ ଟଙ୍କାକୁ ବୃଦ୍ଧି
3-ପ୍ରତି ଜିଲ୍ଲାରେ ଫୁଡ୍ ପ୍ରୋସେସିଂ ସେଣ୍ଟର ସ୍ଥାପନ ଏବଂ ସେହି ସେଣ୍ଟରକୁ ଭୁବନେଶ୍ୱର ସହ ସଂଯୋଗ
4-ଓଡ଼ିଶାର କୃଷି ଉତ୍ପାଦିତ ସାମଗ୍ରୀ ଆମେରିକାରେ ବିକ୍ରି ହେବ
5- ରାଜ୍ୟ ବାହାର କାମ କରୁଥିବା 60ଲକ୍ଷ ବ୍ୟକ୍ତିଙ୍କ ପାଇଁ ଓଡ଼ିଶାରେ କର୍ମସଂସ୍ଥାନ ସୃଷ୍ଟି
6-ଖାଲି ପଡ଼ିଥିବା 1ଲକ୍ଷ 31 ହଜାର ସରକାରୀ ପଦ ପୂରଣ ହେବ
7-ସ୍କୁଲ-କଲେଜ ଓ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦରେ ନିଯୁକ୍ତି ହେବ
କାଳିଆକୁ ସମାଲୋଚନା,ବୁମେରାଂ ହୋଇପାରେ!
ରାହୁଲଙ୍କ ଟାର୍ଗେଟରେ ଆରଏସଏସ ରହିଲା। କିନ୍ତୁ ରାହୁଲଙ୍କ କୋର ଗ୍ରୁପ୍ ଜାଣିବା ଉଚିତ ଥିଲା ଯେ ଓଡ଼ିଶାରେ ସରକାର ଗଠନ କରିବାରେ ଆରଏସଏସର ସାଂଗଠନିକ ସ୍ଥିତି ନାହିଁ। ସେହିଭଳି ପଡ଼ୋଶୀ ଛତିଶଗଡ଼ ସରକାରଙ୍କ ଗୁଣଗାନ କରୁକରୁ ରାହୁଲ,ଓଡ଼ିଶାରେ ଆଦୃତ ହେଉଥିବା କାଳିଆ ଯୋଜନାକୁ ସମାଲୋଚନା କରିଛନ୍ତି। ଛତିଶଗଡ଼ର କଂଗ୍ରେସ କୃଷିଋଣ ଛାଡ଼ ଏବଂ ଧାନର  MSP ସହ ବୋନସ ଦେବା ପରେ ନବୀନ ପଟ୍ଟନାୟକଙ୍କ ନିଦ ଭାଙ୍ଗିଲା ବୋଲି ରାହୁଲ କହିଛନ୍ତି। ଏତେ ବର୍ଷ ହେଲାଣି ନବୀନ ଚାଷୀଙ୍କ ପାଇଁ କଣ କରୁଥିଲେ। ନା ନବୀନ, ନା ମୋଦି କେହି ଚାଷୀଙ୍କ ପ୍ରତି ସମ୍ବେଦନ ନୁହଁନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ। ଯାହାକି ଆଗକୁ ଓଡ଼ିଶା କଂଗ୍ରେସ ଲାଗି ସମସ୍ୟା ସୃଷ୍ଟି କଲା ଭଳି ଲାଗୁଛି।
BJDBJPର ଅଘୋଷିତ ମେଣ୍ଟ?
ସେହିପରି ରାଜ୍ୟର ଶାସନ ବ୍ୟବସ୍ଥାକୁ ଟାର୍ଗେଟ କରିଛନ୍ତି ରାହୁଲ। ଓଡ଼ିଶାରେ ଅମଲାତାନ୍ତ୍ରିକ ଏକ ଛତ୍ରବାଦୀ ଶାସନ ଚାଲିଛି। ନବୀନ-ମୋଦି ଏକାଠି ଅଛନ୍ତି ଏବଂ ଗୋଟିଏ ରାସ୍ତାରେ ଚାଲିଛନ୍ତି। ମୋଦିଙ୍କୁ ପ୍ରତି କଥାରେ ନବୀନ ସହଯୋଗ କରୁଛନ୍ତି। BJD-BJPର ମଡେଲ୍ ସମାନ ବୋଲି ରାହୁଲ କହିଲେ। ତେବେ ଗତ ଲୋକସଭା ନିର୍ବାଚନରେ ଓଡ଼ିଶାରେ ଖାତା ଖୋଲି ପାରିନଥିବା କଂଗ୍ରେସ ଲାଗି ରାହୁଲଙ୍କ ଏହି ବକ୍ତବ୍ୟ ଘାତକ ହେଲା ପରି ଲାଗୁଛି। ଯଦି ରାହୁଲଙ୍କ ହିସାବରେ BJD-BJP ବିଚାରଧାର ସମାନ ତେବେ ସେମାନଙ୍କୁ ହରାଇବା ସମ୍ଭବ ନୁହେଁ। ଅନ୍ୟପଟେ କେନ୍ଦ୍ରରେ ଯେଉଁ ଦଳର ବି ସରକାର ଆସୁ, ଓଡ଼ିଶା ଭୋଟର କିନ୍ତୁ BJDକୁ ଲଗାତର ଜିତାଉଛନ୍ତି। ରାହୁଲଙ୍କ ଭାଷାରେ BJD-BJPର ନୀତି ସମାନ, ତାହେଲେ ବିଧାନସଭା ନିର୍ବାଚନରେ ଭୋଟର BJDକୁ ଭୋଟ ଦେବେ ଏବଂ ଲୋକସଭା ବେଳକୁ BJPକୁ ସମର୍ଥନ କରିବେ!
ନବୀନଙ୍କୁ ଟାର୍ଗେଟ କରୁନାହାଁନ୍ତି ମୋଦି
ସେପେଟେ BJD-BJP ମଧ୍ୟରେ ଏକ ଅଘୋଷିତ ମେଣ୍ଟ ହେଲା ପରି ଲାଗୁଛି। ବିଜେପିର ଖୋର୍ଦ୍ଧା-ବାରିପଦା-ବଲାଙ୍ଗିର ସମାବେଶରେ ନରେନ୍ଦ୍ର ମୋଦିଙ୍କ ବିଜେଡି ଟାର୍ଗେଟ ଥିଲା ପରି ଲାଗିଲା ନାହିଁ। ବରଂ ବିମୁଦ୍ରୀକରଣ,ଜିଏସଟିରେ ନବୀନ ପଟ୍ଟନାୟକଙ୍କ ସମର୍ଥନ ନେଇଥିବା ମୋଦି,BJD ବଦଳରେ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଉତ୍ତର ଭାରତରେ ଅଡୁଆରେ ଥିବା ବିଜେପିର ଲୁକ୍ ଇଷ୍ଟ ଫର୍ମୁଲାରେ BJD ଫିଟ୍ ବସିଛି। ଆବଶ୍ୟକ ପଡ଼ିଲେ BJDର ସମର୍ଥନରେ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଗଠନ କରିବେ। ଏ କଥା ଆଲୋଚନା ହେଉଥିଲା। କିନ୍ତୁ ସେହି ଚର୍ଚ୍ଚାକୁ ସାର୍ବଜନୀନ କରି ଦେଇଛନ୍ତି ରାହୁଲ। BJD-BJPର ନୀତି ସମାନ ବୋଲି କହି ରାହୁଲ, ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସ ଠାରୁ ଭୋଟରଙ୍କୁ ଦୂରେଇ ନେଇଗଲେ ନାହିଁ ତ?
ପଢ଼ନ୍ତୁ
ପୈସା କ୍ୟା ନକରେ କାମ୍:କୋଟିପତିଙ୍କ ଲାଇଫ ପାର୍ଟନର ବି-ଟାଉନ ସେଲିବ୍ରିଟି