Congress-BJP-@-Naveen-Distance

ପ୍ରତି ନିର୍ବାଚନ ଆଗରୁ ଏଥର ମଧ୍ୟ ବିଜେଡି ତାର ହାଇଜାକ୍ ଫର୍ମୁଲା ଆରମ୍ଭ କରିଦେଲା। କଂଗ୍ରେସ-ବିଜେପିର ଦୃଢ଼ ସଂଗଠକଙ୍କୁ ବିଜେଡିରେ ମିଶାଇବାର କଳାକୁ ପୁଣି ଦୋହରାଲେ ନବୀନ ପଟ୍ଟନାୟକ। ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ ଦଳରେ ମିଶାଇ ନବୀନ ପଟ୍ଟନାୟକ ମିଶନ ପଶ୍ଚିମ ଓଡ଼ିଶାର ନିଅଁ ପକାଇଛନ୍ତି। କଂଗ୍ରେସ-ବିଜେପି ଠାରୁ ସମଦୂରତା ବଜାୟ ରଖୁଥିବା କହୁଥିବା ନବୀନ,କିନ୍ତୁ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ନବଙ୍କୁ ବିଜେଡିରେ ସାମିଲ କରିବାକୁ କୁଣ୍ଠାବୋଧ କରିନାହାଁନ୍ତି। ଜାତୀୟ ଦଳ କଂଗ୍ରେସ-ବିଜେପି ଓଡ଼ିଶାର ସ୍ୱାର୍ଥ ବିରୋଧି ବୋଲି ସବୁବେଳେ କହୁଥିବା ନବୀନ,ଝାରସୁଗୁଡ଼ାକୁ କଂଗ୍ରେସ ମୁକ୍ତ କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଜି(ଗୁରୁବାର) ଝାରସୁଗୁଡ଼ା ଗସ୍ତ ସମୟରେ ଅମଲ୍ଲୀପାଲୀ ସଭାରେ ନବ ଦାସ ନିଜ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ପରିଷଦର ଅଧ୍ୟକ୍ଷଙ୍କ ସମେତ ୮ ଜଣ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ ଏବଂ ୫ଟି ବ୍ଲକର ଚେୟାରମ୍ୟାନ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି।
ମିଶନ ସାଉଥ୍ ପରେ
ନବଙ୍କ ମିଶ୍ରଣ ପରେ ନବୀନ ପଟ୍ଟନାୟକ କହିଛନ୍ତି ଅନ୍ୟମାନେ ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି,କିନ୍ତୁ ଆମେ କାମରେ ବିଶ୍ୱାସ କରୁ। ନବ ଦାସ ଦଳରେ ମିଶିବା ଯୋଗୁ ଝାରସୁଗୁଡ଼ାରେ ବିଜେଡି ଆହୁରି ମଜଭୁତ ହେବ। ପୂର୍ବରୁ ଗତ ଏପ୍ରିଲ ୪ରେ ନବୀନ ତାଙ୍କ ମିଶନ ସାଉଥ୍ ଆରମ୍ଭ କରି ଦେଇଥିଲେ। କଂଗ୍ରେସର ପୂର୍ବତନ କାର‌୍ୟ୍ୟକାରୀ ସଭାପତି ତଥା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡିରେ ମିଶାଇଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ବିକ୍ରମ ପଣ୍ଡାଙ୍କୁ ଦଳରେ ମିଶାଇ ଗଞ୍ଜାମ ଜିଲ୍ଲାକୁ କଂଗ୍ରେସ ମୁକ୍ତ କରି ଦେଇଥିଲେ ବିଜେଡି ସୁପ୍ରିମୋ। ଗଞ୍ଜାମର ୧୩ଟି ବିଧାନସଭା ଆସନରେ ବିଜୟ ସୁନିଶ୍ଚିତ କରିବାକୁ ନିଜ ସମଦୂରତା ଆଦର୍ଶକୁ ଜଳାଜଞ୍ଜଳି ଦେଇ କଂଗ୍ରେସର ଚନ୍ଦ୍ରଶେଖର-ବିକ୍ରମଙ୍କୁ ବିଜେଡିରେ ମିଶାଇ ଥିଲେ।

ନିର୍ବାଚନ ଆଗରୁ ନବୀନ ଏମିତି କରନ୍ତି
ତେବେ କଂଗ୍ରେସ-ବିଜେପିକୁ ଭାଙ୍ଗି ବିରୋଧିଙ୍କୁ ହତୋତ୍ସାହିତ କରିବାରେ ନବୀନ ଧୁରନ୍ଧର। ୨୦୧୪ ନିର୍ବାଚନ ଆଗରୁ ବିଜେପିର ପୂର୍ବତନ ସଭାପତି ବିମ୍ବାଧର କୁଅଁର, ଜେଏମଏମର ସଭାପତି ସୁଦାମ ମାର୍ଣ୍ଣିଂଙ୍କୁ ବିଜେଡି ହାଇଜାକ୍ କରିଥିଲା। ଏପରିକି ବିରୋଧି ଦଳ ନେତା ଭୂପିନ୍ଦର ସିଂ ଓ କଂଗ୍ରେସ ବିଧାୟକ ଅନୁପ ସାଏଙ୍କୁ ବିଜେଡିରେ ସାମିଲ କରିଥିଲେ ନବୀନ ପଟ୍ଟନାୟକ। ସେହିପରି ୨୦୦୯ ନିର୍ବାଚନ ଆଗରୁ ଯୁବ କଂଗ୍ରେସର ସଭାପତି ରୋହିତ ପୂଜାରୀ ଓ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ରଘୁ ସାହୁଙ୍କୁ ବିଜେଡି ସ୍ୱାଗତ କରିଥିଲା। କଂଗ୍ରେସ-ବିଜେପି ଠାରୁ ବିଜେଡି ସମଦୂରତା ରକ୍ଷା କରୁଛି ସବୁବେଳେ କହୁଥିବା ନବୀନ କିନ୍ତୁ କ୍ଷମତାରେ ରହିବାକୁ ଭିନ୍ନ ପନ୍ଥା ଆପଣାନ୍ତି। ଯେଉଁ ଦଳ ସହ ସମଦୂରତା ରଖିଥିବା କୁହନ୍ତି, ଦୀର୍ଘ ବର୍ଷ ଯାଏଁ ସେହି ଦଳର ଆଦର୍ଶରେ ବିଶ୍ୱାସ କରୁଥିବା ନେତାଙ୍କୁ ସାଦରେ ବିଜେଡିରେ ସାମିଲ କରନ୍ତି ନବୀନ।
ନବ ଦାସ ବିଜେଡିରେ ମିଶିବା ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଫଳରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୩କୁ ଖସି ଆସିଛି। ଲଗାତର ୨ଥର ଜିତୁଥିବା ନବଙ୍କ ନେତୃତ୍ୱରେ ୨୦୧୨ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ଝାରସୁଗୁଡ଼ାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା। ନିର୍ବାଚନର ପ୍ରାୟ ୯୦ଦିନ ପୂର୍ବରୁ ଦଳର କାର୍ଯ୍ୟକାରୀ ସଭାପତି କଂଗ୍ରେସ ଛାଡ଼ିବା ନିଶ୍ଚିତ ଭାବେ କଂଗ୍ରେସକୁ ମହଙ୍ଗା ପଡିପାରେ।
ପଢ଼ନ୍ତୁ
ହେମାଙ୍କୁ ପାଇବାକୁ ଇସଲାମ୍‌ କବୁଲ୍‌ କରିଥିଲେ ଧମେର୍ନ୍ଦ୍ର, ଅବିବାହିତ ରହିଥିଲେ ସଞ୍ଜୀବ କୁମାର