ନ୍ୟୁଜ୍/ ପଲିଟିକ୍ସ

‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ର କିଏ ହେବ ମୁଖ୍ୟ? ରାଜ୍ୟରୁ ଶୁଭିଲାଣି ବିରୋଧର ସ୍ୱର

ପଣ୍ଡିତ ନେହରୁଙ୍କ ଚିନ୍ତାର ସୂରପ ଯୋଜନା କମିଶନକୁ ସମାପ୍ତ କରି ନୀତି ଆୟୋଗ ଗଠନ କଲେ ମୋଦି ସରକାର। 1950 ମାର୍ଚ୍ଚରୁ ଭାରତ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଯୋଜନା କମିଶନ ବଦଳରେ 2014 ଅଗଷ୍ଟରେ ମୋଦି ସରକାର ନୀତି ଆୟୋଗ ଗଠନ କଲେ।ଏବେ ଶିକ୍ଷା କ୍ଷେତ୍ରରେ ଥିବା ସେଣ୍ଟ୍ରାଲ ଆଡଭାଇଜାରି ବୋର୍ଡ ଅଫ ଏଜୁକେସନକୁ ଶେଷ କରି ‘ରାଷ୍ଟ୍ରୀୟ ଶିକ୍ଷା ଆୟୋଗ’ ଗଠନ କରିବାକୁ ଯୋଜନା କରୁଛନ୍ତି।ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ବା ନେସନାଲ ଏଜୁକେସନ କମିଶନ ଗଠନ ଲାଗି ଜାତୀୟ ଶିକ୍ଷାନୀତି କମିଟି ସୁପାରିଶ କରୁଛି।ଏହାର ମୁଖ୍ୟ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ବିଶିଷ୍ଟ ବୈଜ୍ଞାନିକ କସ୍ତୁରୀ ରଙ୍ଗରାଜନଙ୍କ ନେତୃତାଧିନ ଜାତୀୟ ଶିକ୍ଷାନୀତି ଡ୍ରାଫ୍ଟ କମିଟି ପ୍ରସ୍ତାବ ଦେଇଛନ୍ତି।ସେଣ୍ଟ୍ରାଲ ଆଡଭାଇଜାରି ବୋର୍ଡ ଅଫ ଏଜୁକେସନ (CABE) ସ୍ଥାନରେ ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ଅଧିକ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଜାତୀୟ ଶିକ୍ଷାନୀତି କମିଟି ଚିନ୍ତା କରିଛି।
ତେବେ ଇତିହାସକୁ ପୁନଃ ଲିଖନର ଆବଶ୍ୟକତା ରହିଛି ବୋଲି ନରେନ୍ଦ୍ର ମୋଦି ସରକାରଙ୍କ ଅନେକ ମନ୍ତ୍ରୀ କହି ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି।ତେଣୁ ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ଗଠନ କରି ଦେଶର ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ଯୋଜନା କରୁଛନ୍ତି ବୋଲି ଅନେକ ରାଜ୍ୟରୁ ବିରୋଧର ସ୍ୱର ଉଠିଲାଣି।

ରାଷ୍ଟ୍ରୀୟ ଶିକ୍ଷା ଆୟୋଗର ପରିକଳ୍ପନା
ଶିକ୍ଷା ପଦ୍ଧତିର ସୁଧାର ଆଣିବାକୁ ବର୍ତ୍ତମାନର CABE(ସେଣ୍ଟ୍ରାଲ ଆଡଭାଇଜାରି ବୋର୍ଡ ଅଫ ଏଜୁକେସନ) ସଂସ୍ଥା ସକ୍ଷମ ହେଉନାହିଁ।CABE ଏକ ଆଡହକ୍ ସଂସ୍ଥା ଏବଂ ଏହାର ନିୟମିତ ବୈଠକ ବସୁ ନଥିବାରୁ ଶିକ୍ଷା କ୍ଷେତ୍ର ଭାରତ ପଛରେ ପଡି ଯାଉଛି। ଶିକ୍ଷାର ଗୁଣାତ୍ମକ ବିକାଶ ଲାଗି CABE ବଦଳରେ ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ଗଠନ କରାଯିବାକୁ ଯୋଜନା ହେଉଛି।ଶିକ୍ଷାବିତ୍,ଗବେଷକ,କଳା-ବିଜ୍ଞାନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି,କୃଷି,ସ୍ୱାସ୍ଥ୍ୟ ଏବଂ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ନେଇ ଗଠନ ହେବ ରାଷ୍ଟ୍ରୀୟ ଶିକ୍ଷା ଆୟୋଗ।ସେହି ଆୟୋଗରେ କେନ୍ଦ୍ରମନ୍ତ୍ରୀ,ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନେ ସେହି ଆୟୋଗରେ ସଦସ୍ୟ ରହିବେ।ଏହାସହ ପ୍ରତି ରାଜ୍ୟରେ ମଧ୍ୟ ଶିକ୍ଷା ଆୟୋଗ ଗଠନ ହେବ। ପ୍ରତି ରାଜ୍ୟ ଶିକ୍ଷା ଆୟୋଗ ଏବଂ ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ମିଶି ଦେଶର ଶିକ୍ଷା ପଦ୍ଧତି ନିର୍ଣ୍ଣୟ କରିବେ।
ରାଷ୍ଟ୍ରୀୟ ଶିକ୍ଷା ଆୟୋଗରେ ସର୍ବାଧିକ 30 ଜଣ ସଭ୍ୟ ରହିବେ।ଏହାର ମୁଖ୍ୟ ପ୍ରଧାନମନ୍ତ୍ରୀ ଏବଂ ଉପମୁଖ୍ୟ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ହେବା ଉଚିତ ବୋଲି ଜାତୀୟ ଶିକ୍ଷାନୀତି କମିଟି ଚାହୁଁଛି। ସେହିଭଳି ଆଗାମୀ 10 ବର୍ଷରେ ଶିକ୍ଷାକ୍ଷେତ୍ରରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବଜେଟର 20 ପ୍ରତିଶତ ରାଶି ବିନିଯୋଗ କରିବାକୁ ପଡିବ।

ରାଜ୍ୟର ଗୁରୁତ୍ୱ କମିପାରେ!
ଅନ୍ୟପଟେ ଏହା ବାସ୍ତବ ରୂପ ନେବା ନେଇ ସନ୍ଦେହ ଦେଖା ଦେଲାଣି। କାରଣ ଜାତୀୟ ଶିକ୍ଷା କମିଟିର ଲକ୍ଷ୍ୟ ହେଉଛି ସ୍କୁଲ ଏବଂ ଉଚ୍ଚ ଶିକ୍ଷାର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ହେବ।ଏଥିପାଇଁ ପ୍ରତି ପ୍ରଦେଶରେ ରାଜ୍ୟ ଶିକ୍ଷା ଆୟୋଗ ଗଠନ ହେବା ଜରୁରୀ।କିନ୍ତୁ ବିଭିନ୍ନ ପ୍ରଦେଶ ରାଜ୍ୟ ଶିକ୍ଷା ଆୟୋଗ ଗଠନ ସପକ୍ଷରେ ନଥିବାର ଖବର ରହିଛି।ଶିକ୍ଷା ପରି ପ୍ରସଙ୍ଗ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ କର୍ତ୍ତୃତାଧିନ ବ୍ୟାପାର। ରାଷ୍ଟ୍ରୀୟ ଶିକ୍ଷା ଆୟୋଗ କାର୍ଯ୍ୟକାରୀ ହେଲେ ଶିକ୍ଷା ଉପରେ କେନ୍ଦ୍ରର ଏକଚାଟିଆ ପ୍ରଭାବ ରହିବ।ଫଳରେ ରାଜ୍ୟ ଗୁଡିକର କର୍ତ୍ତୃତ୍ୱ ହ୍ରାସ ପାଇବ। ଯାହାକି ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି କୁହାଯାଉଛି।
ସେହିଭଳି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଚାହୁଁଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଆୟୋଗର ମୁଖ୍ୟ ହେବା ଉଚିତ ନୁହେଁ। ବରଂ ଶିକ୍ଷା ବିଭାଗ ତଥା ମାନବ ସମ୍ବଳ ବିକାଶ ମନ୍ତ୍ରୀ ରାଷ୍ଟ୍ରୀୟ ଶିକ୍ଷା ଆୟୋଗର ମୁଖ୍ୟ ହେବା ଉଚିତ।
ଏହି ଷ୍ଟୋରୀକୁ ଲେଖିଛନ୍ତି ସଞ୍ଜୟ ପ୍ରଧାନ

You Might Also Like

No Comments

Leave a Reply