ବହୁବର୍ଷ ଧରି କ୍ଷମତାରେ ରହି ଶାସନ କରିଥିବା କଂଗ୍ରେସର ସ୍ଥିତି ଏବେ ଦୁର୍ବଳ ହେବାରେ ଲାଗିଛି। ଦେଶର ସର୍ବବୃହତ୍ତ ପାର୍ଟିର ଆଖ୍ୟା ପାଇଥିବା କଂଗ୍ରେସ ଆଜିର ଦିନରେ ଅସ୍ଥିତ୍ୱ ହରାଉଛି କହିଲେ ଅତ୍ୟୁକ୍ତି ହେବନାହିଁ। ରାଜସ୍ଥାନ ଓ ଛତିଶଗଡ଼ ବ୍ୟତୀତ କଂଗ୍ରେସର ସ୍ଥିତି ଅନ୍ୟ ରାଜ୍ୟରେ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଜଣାଯାଇଛି ଯେ, କଂଗ୍ରେସ ପୁର୍ବ ଅପେକ୍ଷା ଆହୁରି ଅଧିକ ଦୁର୍ବଳ ହୋଇଯାଇଛି। ପଞ୍ଜାବରେ ନିଜ ହାତରୁ କ୍ଷମତା ଚାଲି ଯାଇଛି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ମଧ୍ୟ ଜନତା କଂଗ୍ରେସକୁ ସ୍ୱୀକାର କରିନାହାନ୍ତି। ୫ ରାଜ୍ୟରେ ଶୋଚନୀୟ ପରାଜୟ ପରେ ଆଜି କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ବସୁଛି।
ଅସ୍ତିତ୍ୱ ହରାଉଛି କଂଗ୍ରେସ,କିଏ ଧରିବ କଂଗ୍ରେସର ମଙ୍ଗ
କଂଗ୍ରେସର ଏହି ବୈଠକରେ ଆଜି ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହେବ। ୫ ରାଜ୍ୟରେ ଦଳର ପରାଜୟ ଓ ବିଶେଷ ଭାବେ ପଞ୍ଜାବରେ କ୍ଷମତା ହରାଇବା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବା ସହ ଏ ସମ୍ପର୍କୀତ ଆଲୋଚନା ହେବ। ସୂଚନା ଅନୁସାରେ, ବୈଠକରେ ଦଳୀୟ ପଦରୁ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧି ପଦ ଛାଡ଼ି ପାରନ୍ତି।ଯଦି, ସୋନିଆ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦିଅନ୍ତି ତେବେ ଦଳର ଆଭିମୁଖ୍ୟ କଣ ରହିବ ? କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରୁ କାହାକୁ ଦାୟିତ୍ୱ ମିଳିବ କି ? ଏସବୁକୁ ନେଇ ଚର୍ଚ୍ଚା ଲାଗି ରହିଛି। ପରାଜୟ ପରେ ୟୁପି କଂଗ୍ରେସର ଅନେକ ନେତା ମଧ୍ୟ ଦଳ ଛାଡିବାକୁ ଘୋଷଣା କରିଛନ୍ତି।
କଂଗ୍ରେସ କେବଳ ଏହି ୫ ରାଜ୍ୟରେ ଯେ ପରାଜୟ ବରଣ କରିଛି ତାହା ନୁହେଁ ବରଂ ଭୋଟ୍ ପ୍ରତିଶତ ବି ବହୁ ପରିମାଣରେ ଖସିଛି। ଆଗାମୀ କିଛି ମାସ ମଧ୍ୟରେ ଗୁଜରାଟ ଓ ଏହାପରେ ମଧ୍ୟପ୍ରଦେଶ, ରାଜସ୍ଥାନ ବିଧାନସଭା ନିର୍ବାଚନ ହେବ। ତେଣୁ ତା ପୂର୍ବରୁ ଘର ସଜାଡ଼ିବା ଚିନ୍ତା ଏବେ କଂଗ୍ରେସକୁ ଘାରିଛି। ଏସବୁ ଦିଗକୁ ନେଇ ଆଜି ଅପରାହ୍ନ ୪ଟାରେ CWCର ବୈଠକରେ ଏ ସମ୍ପର୍କୀତ ଆଲୋଚନା ହେବ।