ଭୁବନେଶ୍ୱର:ଚାଷୀଙ୍କ ଲାଗି ସଂସଦ ଘେରାଓ କରିବା ଆଗରୁ, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ବିଦା କରିଦେଲେ ମୁଖ୍ୟମନ୍ତ୍ରୀ। ଦୁଷ୍କର୍ମ ମାମଲାରେ କୋର୍ଟ ରାୟ ପରେ ବିବାଦୀୟ ମନ୍ତବ୍ୟ ଦେଇ ସରକାରଙ୍କ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ମହାରଥୀ। ବିରୋଧୀ କଂଗ୍ରେସ ଓ ବିଜେପି ମହାରଥୀଙ୍କ ଇସ୍ତଫା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା। ଅବଶ୍ୟ ସମାନ ଘଟଣା ପାଇଁ ୨୦୧୨ ଜାନୁଆରୀ ୧୯ରେ ମଧ୍ୟ ମହାରଥୀ କୃଷିମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେତେବେଳେ ମଧ୍ୟ ବିରୋଧିଙ୍କ ଚାପ ଯୋଗୁ ୨୦୧୨ପଞ୍ଚାୟତ ନିର୍ବାଚନ ଆଗରୁ ପ୍ରଦୀପ ମହାରଥୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ। ଆଉ ଏବେ ୨୦୧୯ ବିଧାନସଭା ନିର୍ବାଚନ ଆଗରୁ ପୁଣି ମହାରଥୀ ଜାନୁଆରୀ ମାସରେ ଇସ୍ତଫା ଦେଇଛନ୍ତି। ସେହି ଜାନୁଆରୀ ମାସରେ ହିଁ ଦ୍ୱିତୀୟ ଥର ପାଇଁ ଗଲା ମହାରଥୀଙ୍କ ମନ୍ତ୍ରୀ ପଦ।
ସେପେଟେ ମହାରଥୀ କହୁଛନ୍ତି “ଇସ୍ତଫା ପାଇଁ ତାଙ୍କ ଉପରେ କୌଣସି ଚାପ ନଥିଲା। ୩୫ବର୍ଷ ହେଲା ଦଳ ପାଇଁ କାମ କରୁଛି। ୬ଥର ମୁଁ ବିଧାୟକ ହୋଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଓ ଦଳ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ମୁଁ ବିଜେଡି ଜଣେ ସଚ୍ଚୋଟ କର୍ମୀ। ମୁଁ ଚାହୁଁନି ଅଯଥାରେ ଦଳ ଉପରେ ଚାପ ବଢୁ। ତେଣୁ ମୁଁ ସ୍ୱଇଚ୍ଛାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି”।ମୋଦିଙ୍କ ଚାପ
ଅନ୍ୟପଟେ ଗତକାଲି(ଶନିବାର) ବାରିପଦାରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗ ଉଠାଇଥିଲେ। “ରାଜ୍ୟ ସରାକର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପୁଣି ଥରେ ତଦନ୍ତ କରନ୍ତୁ। ଫଳରେ ଆସୁରିକ ପ୍ରବୃତ୍ତି ରଖିଥିବା ବ୍ୟକ୍ତିଙ୍କ ପ୍ରତି କଡ଼ା ବାର୍ତ୍ତା ଯିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ଉପରେ ଚାପ ବଢ଼ିଥିଲା। ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଥିଲେ“ବେବିନା ମୃତ୍ୟୁ ପ୍ରସଙ୍ଗକୁ ଗୁରୁତ୍ୱ ସହ ନିଆଯାଇଛି। ରାଜ୍ୟ ସରକାର ସେହି ପ୍ରସଙ୍ଗରେ ସମ୍ବେଦନଶୀଳ ଅଛନ୍ତି”। ଆଉ ଏହାର ୨୪ଘଣ୍ଟା ମଧ୍ୟରେ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।
ତେବେ ୨୮ନଭେମ୍ବର ୨୦୧୧ରେ ପିପିଲି ଅର୍ଜୁନଗୋଦା ଗାଁର ଦଳିତ ଯୁବତୀ ବେବିନାଙ୍କ ସହ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିଲା। ୮ ମାସ ଧରି ସଂଜ୍ଞାହୀନ ରହିବା ପରେ କଟକ ଏସସିବି ମେଡିକାଲରେ ୨୦୧୨ ଜୁନ ୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ରାୟ ଗତ ଡିସେମ୍ବର ମାସରେ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରୁ ପ୍ରକାଶ ପାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ସେହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିମାନେ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ। ଏହାପରେ ମହାରଥୀ କହିଥିଲେ ସତ୍ୟର ଜୟ ହୋଇଛି, ପିଡୀତା ନ୍ୟାୟ ପାଇଛି। ମହାରଥୀଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ଓ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା।କୃଷିମନ୍ତ୍ରୀଙ୍କୁ ଶନିଦଶା
କୃଷି ବିଭାଗ ସମ୍ଭାଳୁ ଥିବା ସବୁ ମନ୍ତ୍ରୀଙ୍କ ଦଶା ଏକା। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱର ୪ଟି ପାଳିରେ କେହି ୫ବର୍ଷ କୃଷି ବିଭାଗ ସମ୍ଭାଳି ପାରିନାହାଁନ୍ତି। ଚିନାବାଦାମ ବିହନ ଦୁର୍ନୀତିରେ ଅମର ପ୍ରସାଦ ଶତପଥୀ କୃଷିମନ୍ତ୍ରୀ ପଦ ହରାଇଥିଲେ। ସେହିଭଳି ଦାମଦୋର ରାଉତ, ଦେବୀପ୍ରସାଦ ମିଶ୍ର ଏବଂ ଚଷାପୁଅ ପ୍ରଦୀପ ମହାରଥୀ ମଧ୍ୟ ୨୦୧୨ରେ ଇସ୍ତଫା ଦେଇଥିଲେ। ଆଉ ଧାନର ସହାୟକ ମୂଲ୍ୟ ବୃଦ୍ଧି ଲାଗି ଜାନୁଆରୀ ୮ରେ ସଂସଦ ଘେରାଉ କରିବା ଆଗରୁ ମହାରଥୀଙ୍କ କୃଷିମନ୍ତ୍ରୀ ପଦ ଚାଲିଯାଇଛି।
ଏଥିସହ ପଢ଼ନ୍ତୁ
ବଲକୁ ହାତ ମୁଠାରେ ରଖିଥିବା କ୍ରିକେଟର, କେବେ ଫିଙ୍ଗି ନାହାନ୍ତି ଓ୍ୱାଇଡ୍ କି ନୋ-ବଲ୍