ବିଜେପିକୁ ଦିଲ୍ଲୀପ-ବିଜୟଙ୍କ ଗୁଡବାଏ,୨୬ଡିସେମ୍ବରରେ ଶଙ୍ଖନାଦ! ବିଜୟଙ୍କ ସହ ବିଜେଡିର ୩ ସାଂସଦଙ୍କ ଗୁପ୍ତ ବୈଠକ!

ଭୁବନେଶ୍ୱର-ବିଜେପି ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲ୍ଲୀପ ରାୟ।ଆଜି(ନଭେମ୍ବର-୩୦)ଦିଲ୍ଲୀପ ରାୟ ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ପ୍ରଦୀପ ଅମାତଙ୍କୁ ପ୍ରଦାନ କରିଛନ୍ତି। ବାଚସ୍ପତି ମଧ୍ୟ ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି।ଏହାପରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି। ଗୋଟିଏ ପତ୍ରରେ ଉଭୟ ବିଜୟ ଓ ଦିଲ୍ଲୀପ ଦସ୍ତଖତ କରି ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ସେମାନଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଉଭୟ ରାଜ୍ୟ ନେତୃତ୍ୱକୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିର ମାନେ କିଛି ନାହିଁ ବୋଲି ଦିଲ୍ଲୀପ ରାୟ ବାର୍ତ୍ତା ଦେଇଛନ୍ତି। ସେପଟେ ୨୦୦୯ରେ ବିଜେପିରେ ତରଭରିଆ ଭାବେ ମିଶିଥିଲେ, ଯାହା ତାଙ୍କର ମସ୍ତବଡ଼ ଭୁଲ ନିଷ୍ପତି ଥିଲା ବୋଲି ବିଜୟ କହିଛନ୍ତି। ଏହାସହ ସେମାନଙ୍କ ରାଜନୈତିକ ଭବିଷ୍ୟତ, ବାବଦରେ ବିଦେଶ ଗସ୍ତରେ ଥିବା ଦିଲ୍ଲୀପ ରାୟଙ୍କ ଫେରିବା ପରେ ମିଡିଆକୁ ଜଣାଇବେ ବୋଲି ବିଜୟ ମହାପାତ୍ର ସାମ୍ବାଦିକଙ୍କୁ କହିଛନ୍ତି।(ବାଚସ୍ପତିଙ୍କୁ ଇସ୍ତଫା ପ୍ରଦାନ)
ମୋଦିଙ୍କ ଇମେଜ୍ ମଳିନ
ବ୍ରାହ୍ଣଣୀ ନଦୀରେ ଦ୍ୱୀତୀୟ ସେତୁ ନିର୍ମାଣ ଓ ଇସ୍ପାତ ଜେନରାଲ ହସ୍ପିଟାଲ(ଆଇଜିଏଚ)କୁ ସୁପର ସ୍ପେଷାଲିଟ୍ ମେଡିକାଲ କଲେଜ କରିବାରେ ବିଳମ୍ବ ଯୋଗୁ ଦିଲ୍ଲୀପ ରାୟ ଅସନ୍ତୁଷ୍ଟ ଥିଲେ।୨୦୧୫ ଉତ୍କଳ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାହ୍ମଣୀ ସେତୁ ଏବଂ ସୁପର ସ୍ପେଷାଲିଟ୍ ହସ୍ପିଟାଲ ନିର୍ମାଣ ହେବ ବୋଲି ରାଉରକେଲାରେ ଘୋଷଣା କରିଥିଲେ। କିନ୍ତୁ ଦିଲ୍ଲୀପ, ବାରମ୍ବାର କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବା ପରେ ୨୧ଜୁଲାଇ ୨୦୧୭ରେ ବ୍ରାହ୍ମଣୀସେତୁ ନିର୍ମାଣ ଲାଗି ଶୁଭ ଦିଆଗଲା। ହେଲେ ଏହା ମଧ୍ୟରେ ୧୬ମାସ ବିତିଥିଲେ ମଧ୍ୟ ସେତୁନିର୍ମାଣ କାମ ହୋଇନାହିଁ। ଆଉ ଆଇଜିଏଚକୁ ସୁପର ସ୍ପେଷାଲିଟ୍ ହସ୍ପିଟାଲରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଶୀତଳ ଭଣ୍ଡାରରେ ରହିଛି। ଫଳରେ ପୁରୀରୁ ଲଢ଼ିବା ଲାଗି ଚର୍ଚ୍ଚା ହେଉଥିବା ନରେନ୍ଦ୍ର ମୋଦିଙ୍କ ଇମେଜ୍ ଖରାପ ହେଲା ପରି ଲାଗୁଛି। ପଶ୍ଚିମରୁ ଉପକୂଳ ଓଡ଼ିଶା ଯାଏଁ ଦିଲ୍ଲୀପ ରାୟ ବାର୍ତ୍ତା ଦେଲେ ଯେ ମୋଦିଙ୍କ ଘୋଷଣା, ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ।(ଦିଲ୍ଲୀପ-ବିଜୟଙ୍କ ଇସ୍ତଫାପତ୍ର)
ବିଜେଡି ସାଂସଦ ମିଡିୟଟର!
ସେପେଟ ବିଜେଡିର ୩ଜଣ ବରିଷ୍ଠ ସାଂସଦ, ବିଜୟ ମହାପାତ୍ରଙ୍କ ସହ ଗୋପନରେ ଆଲୋଚନା କରିଥିବାର ଖବର ରହିଛି। ଇସ୍ତଫା ଦେବାର ପୂର୍ବ ରାତିରେ ଅର୍ଥାତ ୨୯ନଭେମ୍ବରରେ ବିଜେଡିର ୩ଜଣ ସାଂସଦ ବିଜୟଙ୍କ ସହ ଆଲୋଚନା କରିଛନ୍ତି। ୨ଜଣ ରାଜ୍ୟସଭା ସାଂସଦ ଓ ଜଣେ ଲୋକସଭା ସାଂସଦ ବିଜୟ ମହାପାତ୍ରଙ୍କ ଦୀର୍ଘ ସମୟ ଧରି ବିରାର ବିମର୍ଶ କରିଥିବାର ଖବର ମିଳୁଛି। ବରିଷ୍ଠ ଲୋକସଭା ସାଂସଦ ଜଣଙ୍କ ବିଜୟଙ୍କ ପୂର୍ବତନ ସହଯୋଗୀ ଏବଂ ଅତି ଘନିଷ୍ଟ ହୋଇଥିବାରୁ ବିଜେଡି ପକ୍ଷରୁ ତାଙ୍କୁ ମଧ୍ୟସ୍ଥତା କରିବାର ଦାୟିତ୍ୱ ଦିଆଯାଇଥିବାର ସୂଚନା ମିଳୁଛି। ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ଅର୍ଥାତ ଆଗାମୀ୨୬ଡିସେମ୍ବରରେ ବିଜୟ ଏବଂ ଦିଲ୍ଲୀପ, ବିଜୁ ଜନତା ଦଳରେ ମିଶିବାକୁ ଯାଉଛନ୍ତି। ସେଥିପାଇଁ ବିଜେଡିର ଆଗାମୀ ପ୍ରତିଷ୍ଠା ଦିବସ ଦଳୀୟ କାର୍ଯ୍ୟାଳୟ ନହୋଇ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ବଡ ସମାରୋହରେ ହେବ, ଆଉ ଦଳରେ ବିଜୟ-ଦିଲ୍ଲୀପ ମିଶିବେ ବୋଲି ଖବର ରହିଛି।
କଲ୍ୟାଣ ସିଂ କ୍ଷତି ଭରଣା ହୋଇନଥିଲା
ଅପରପକ୍ଷରେ ବିଜେପି କହିଛି ବିଜୟଙ୍କ ଡିଏନଏରେ ରହିଛି ଗୋଷ୍ଠୀ ରାଜନୀତି। ସେପଟେ କୋଇଲା ଦୁର୍ନୀତିରେ ଛନ୍ଦି ହୋଇଥିବା ଦିଲ୍ଲୀପ ରାୟ, ସିବିଆଇ ତଦନ୍ତରୁ ମୁକୁଳିବା ଲାଗି ଚାପ ସୃଷ୍ଟି କରୁଥିଲେ। ତେଣୁ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦଳ ଛାଡ଼ିବା ଦ୍ୱାରା ବିଜେପି ପ୍ରଭାବିତ ହେବ ନାହିଁ। ଏମିତି ବି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାଭାରତୀ ମଧ୍ୟ ବିଜେପି ଛାଡ଼ି ନୂଆ ଦଳ ଗଢ଼ିଥିଲେ। ହେଲେ ନୂଆ ଦଳରେ ନିଜ ଭାଗ୍ୟକୁ ଅନ୍ଧକାର ଦେଖି ପୁଣି ବିଜେପିକୁ ଫେରି ଆସିଥିଲେ ସର୍ବଭାରତୀୟ ନେତା କଲ୍ୟାଣ ସିଂ ଏବଂ ଉମାଭାରତୀ। କିନ୍ତୁ ଓଡ଼ିଶା ବିଜେପି ମନେ ରଖିବା ଉଚିତ ଯେ ପଛୁଆବର୍ଗର ନେତା କଲ୍ୟାଣ ସିଂ ଏବଂ ଉମାଭାରତୀ ଦଳକୁ ଫେରିଲା ବେଳକୁ ବିଜେପିର ଅଶେଷ କ୍ଷତି ହୋଇ ସାରିଥିଲା। ଯେଉଁ ଉତ୍ତପ୍ରଦେଶର ୮୫ଟି ଆସନରୁ ଏକଦା ୫୮ଟି ଲୋକସଭା ସିଟରେ ବିଜେପି ବିଜୟୀ ହେବା ଯୋଗୁ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ। କଲ୍ୟାଣ ସିଂଙ୍କ ଘର ବାହୁଡା ସତ୍ତ୍ୱେ ୨୦୦୪ରେ ୟୁପି ଭୋଟର ବିଜେପି ଠାରୁ ଦୂରେଇ ଗଲେ। ରାଜନାଥ ସିଂ,କଲରାଜ ମିଶ୍ର ଏବଂ ଲାଲାଜୀ ଟଣ୍ଡନଙ୍କ ପରି ନେତା,କଲ୍ୟାଣ ସିଂଙ୍କ ବିଜେପି ଠାରୁ ୫ବର୍ଷର ଦୂରତାର ଅଭାବ ପୂରଣ କରିବାରେ ବିଫଳ ହୋଇଥିଲେ। ୨୦୦୪ରେ ନିର୍ବାଚନରେ ୟୁପିରୁ ବିଜେପି ଜିତିଥିଲା ମାତ୍ର ୧୦ଟି ଆସନ,ଫଳରେ କେନ୍ଦ୍ରରେ ଗାଦିଚ୍ୟୁତ ହୋଇଥିଲା ବାଜପେୟୀଙ୍କ ସରକାର।ବଦଳିବ ସୁନ୍ଦରଗଡ଼ ସମୀକରଣ
୨୦୦୪ରେ ୟୁପିରେ ବିଜେପି ସ୍ଥିତି ଯେଭଳି ଥିଲା ଆଜି ଓଡ଼ିଶାରେ ଦଳର ସ୍ଥିତି ଉଣା ଅଧିକେ ସେହିଭଳି। ଯଦିଓ ସୁନ୍ଦରଗଡ଼ରେ ସଂଘ ପରିବାର ଉପସ୍ଥିତି ଯଥେଷ୍ଟ ରହିଛି, କିନ୍ତୁ ଜିଲ୍ଲାର ଏକମାତ୍ର ବିଜେପି ବିଧାୟକ ଦିଲ୍ଲୀପ ରାୟ ଦଳ ଛାଡ଼ିଛନ୍ତି। ୨୦୧୪ରେ ସୁନ୍ଦରଗଡ଼ରେ ଜୁଏଲ ଓରାମଙ୍କ ଜିଣିବା ପଛରେ ଦିଲ୍ଲୀପଙ୍କ ଅବଦାନ ଯଥେଷ୍ଟ ଥିଲା। କାରଣ ସୁନ୍ଦରଗଡ଼ ଲୋକସଭା ଅଧିନରେ ଥିବା ୭ଟି ବିଧାନସଭା ଆସନରୁ ୨ଟିରେ କଂଗ୍ରେସ,୨ଟି ବିଜେଡି ଏବଂ ଗୋଟିଏ ଲେଖାଏଁ ଆସନରେ ବିଜେପି, ସମତାକ୍ରାନ୍ତି ଏବଂ ସିପିଏମ ବିଜୟୀ ହୋଇଥିଲା। ହେଲେ ରାଉରକେଲା ବିଧାନସଭା କ୍ଷେତ୍ର ବିଜେପିକୁ ଲିଡ୍ ଦେଇଥିଲା ୨୧ହଜାର ୮୫୯ଭୋଟ୍। ଫଳରେ ୧୮ହଜାର ୮୨୯ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଓଡ଼ିଶାର ଏକମାତ୍ର ବିଜେପି ପ୍ରାର୍ଥୀ ଜୁଏଲ ଓରାମ। ଆଉ ଇଜ୍ଜତ ରକ୍ଷା ହୋଇଥିଲା ବିଜେପିର।
ଦଳ ଡିଆଁ ଚାଲିବ
ତେଣୁ ଦିଲ୍ଲୀପଙ୍କ ବିଜେପି ଛାଡିବା ଯୋଗୁ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ଜୁଏଲ ଓରାମ,ଘୋର ବିରୋଧର ସାମନା କରିବେ। ସେହିପରି ଭିନ୍ନ ରାଜନୈତିକ ସମୀକରଣ ରଖୁଥିବା ତଲସରା ଏବଂ ସୁନ୍ଦରଗଡ଼ ଜୁଏଲଙ୍କୁ ଚିନ୍ତା ବଢ଼ାଇବ। କାରଣ କଂଗ୍ରେସ ବିଧାୟକ ପ୍ରଫୁଲ ମାଝି ଏବଂ ଯୋଗେଶ ସିଂ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ସେହିଭଳି ବୀରମିତ୍ରପୁର ଲାଗି,ଜୁଏଲ ନିଶ୍ଚିତ ବ୍ୟସ୍ତ ହେଉଥିବେ। କାରଣ ୨୦୧୪ନିର୍ବାଚନରେ ରାଉରକେଲା ପରେ ବୀରମିତ୍ରପୁରରୁ ଜୁଏଲ ସର୍ବାଧିକ ୫୬ହଜାର ୭୯୫ଭୋଟ୍ ପାଇଥିଲେ। ହେଲେ ଗତ ସେପ୍ଟମ୍ବରରେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ କଂଗ୍ରେସରେ ମିଶିଛନ୍ତି। ତେଣୁ ୨୦୧୯ରେ ଜୁଏଲ ଓରାମ ୫ମ ଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହେବାରେ ଦିଲ୍ଲୀପଙ୍କ ବିଜେପି ଛାଡିବା ନିଶ୍ଚିତ ମହଙ୍ଗା ସାବ୍ୟସ୍ତ ହୋଇପାରେ।
ଏଥିସହ ପଢ଼ନ୍ତୁ
ଜୁନ୍୨୪ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ କଲେ, ନଭେମ୍ବର୨୪ରେ ପୂର୍ବତନ ସାଂସଦ ଖାରବେଳଙ୍କୁ ପିଟିଲେ
Connect With Us