ପଲିଟିକ୍ସ

BJDର ନୂଆ ଦାମ-‘ମହାରଥୀ’:ସିନିୟରଙ୍କ ମୋର୍ଚ୍ଚା ସମ୍ଭାଳୁଛନ୍ତି ବାହୁବଳି ବିଧାୟକ

ବିଜୁ ଜନତା ଦଳରେ ବରିଷ୍ଠଙ୍କ ଗୁରୁତ୍ୱ ନାହିଁ କହିଲେ ଚଳେ।ଦଳରେ ସାମିଲ ହେଉଥିବା ନେତାଙ୍କୁ ମନ୍ତ୍ରୀ କରାଯାଉଛି।ନବ ଦାସ,ରଘୁନନ୍ଦନ ଦାସ, ତୁଷାରକାନ୍ତ ବେହେରାମନ୍ତ୍ରୀ ହେବା ଏହାକୁ ସ୍ପଷ୍ଟ କରୁଛି।ଫଳରେ ଦେବୀ ମିଶ୍ର,ଅମର ଶତପଥି,ରୋହିତ ପୂଜାରୀ,ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକଙ୍କ ପରି ନେତା ବିଜେଡି ନେତୃତ୍ୱ ଉପରେ ଖଡଗ୍ ହସ୍ତ।ସେମାନେ ଚୁପ ଥିବାବେଳେ ମହାରଥୀ ନିଜ ସରକାରଙ୍କୁ ଆକ୍ରମଣ କଲେଣି।ଲାଗୁଛି ଦାମଦୋର ରାଉତଙ୍କ ଭୂମିକାକୁ ଆସି ଯାଇଛନ୍ତି ମହାରଥୀ।ପୂର୍ବତନ ବିଜେଡି ନେତା ଦାମ ରାଉତ ଯେଭଳି ମନ୍ତ୍ରୀମାନଙ୍କୁ ସମାଲୋଚନ କରୁଥିଲେ,ମହାରଥୀ ଠିକ୍ ସେହିଭଳି କରୁଛନ୍ତି।

ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ,ଶୀତଳ ଭଣ୍ଡାର ଏବଂ ଆଳୁମିଶନକୁ ନେଇ ବିଧାନସଭାରେ ସରକାରଙ୍କୁ ଅଡୁଆରେ ପକାଉଛନ୍ତି।ମୁଖ୍ୟମନ୍ତ୍ରୀ ନିଜର ସବୁଠୁ ବଡ଼ ରାଜନୈତିକ ଶତ୍ରୁ ବିଜୟ ମହାପାତ୍ରଙ୍କୁ ହରାଇବା ଲାଗି ପାଟକୁରାରେ ବୁଲୁଥିଲେ।ଠିକ୍ ସେତିକି ବେଳେ ବିଜେଡି ବିଧାୟକ ମହାରଥୀ ରାଜ୍ୟ ସରକାରଙ୍କ ବିଫଳତାକୁ ବିଧାନସଭାରେ ପଦାରେ ପକାଇ ଦେଲେ।ସ୍ଥିତିକୁ ଆହୁରି ବିଗାଡି ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅର୍ଥମନ୍ତ୍ରୀ ପୂଜାରୀଙ୍କ ଉତ୍ତର ରଗାଇ ଦେଲା ଚଷା ପୁଅ ମହାରଥୀଙ୍କୁ।

ପୂର୍ବତନ କୃଷିମନ୍ତ୍ରୀ ମହାରଥୀ, ରାଜ୍ୟରେ ଶୀତଳ ଭଣ୍ଡାର ସ୍ଥିତି କଣ?ଆଳୁ ସଙ୍କଟ ଦୂର କରିବାକୁ ଗଢ଼ା ଯାଇଥିବା ଆଳୁମିଶନ କେତେ ବାଟ ଆଗାଇଛି ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ।ତେବେ କୃଷି ଏବଂ ସମବାୟ ମନ୍ତ୍ରୀ ବିଧାନସଭାରେ ନଥିବାରୁ ଉତ୍ତର ରଖିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।ସାଧାରଣତଃ ପୂଜାରୀଙ୍କ କହିବାଶୈଳୀରେ ଜଣେ ସନ୍ତୁଷ୍ଟ ହୋଇନଥାଏ।କୃଷି ଓ ସମବାୟ ବିଭାଗ ପାଇଁ ଉତ୍ତର ରଖୁଥିବା ପୂଜାରୀଙ୍କ ଉତ୍ତରରେ, ମହାରଥୀଙ୍କ ଭଳି 7ଥରର ବିଧାୟକ ସନ୍ତୁଷ୍ଟ ହେବେ କିପରି?
କୃଷିମନ୍ତ୍ରୀ ଭାବେ ମହାରଥୀ ବିଫଳ ହୋଇଥିଲେ ବୋଲି ସୂଚାଇ ଦେଲେ ନିରଞ୍ଜନ ପୂଜାରୀ।ଯାହା ମହାରଥୀଙ୍କୁ ଚିଡ଼ାଇ ଦେଲା।ପୂଜାରୀଙ୍କ ଉତ୍ତରରେ ମର୍ମାହତ ହୋଇ ଖାଇବାଛାଡି ଦେଲେ ମହାରଥୀ।ସେପେଟେ ମନ୍ତ୍ରୀ ପଦରୁ ବଞ୍ଚିତ ଅସନ୍ତୁଷ୍ଟ ଗୋଷ୍ଟୀକୁ କାଉଣ୍ଟର କରିବାକୁ ଆଗେଇ ଆସିଲେ ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ।ଚାଷୀ ଆତ୍ମହତ୍ୟା ବେଳେ ଚାଷୀଙ୍କୁ ଅମର ଲଡୁ ବାଣ୍ଟିବା କହି ଚାଷୀମୃତ୍ୟୁର ମଜାକ୍ ଉଡାଉଥିବା ପ୍ରମିଳା,ମହାରଥୀଙ୍କୁ ଆଟାକ୍ କଲେ।କଳିଙ୍ଗ ଯାତ୍ରାପାର୍ଟିର ମାଲିକାନାରେ ସଂପୃକ୍ତ ଥିବା ମହାରଥୀଙ୍କ ଉପାସ ଖବରକୁ ହସରେ ଉଡ଼ାଇଲେ।ଜଣେ ଡାଇବେଟିସ୍ ରୋରୀ ହୋଇ ମହାରଥୀ କିପରି ଉପାସ ରହିବେ ବୋଲି ପ୍ରମିଳା ଥଟ୍ଟା କରିଥିଲେ।ଏହାଶୁଣି ମହାରଥୀ ପ୍ରମିଳା ମଲ୍ଲିକ କେବେଠୁ ଡାକ୍ତର ହେଲେ ବୋଲି ପ୍ରଶ୍ନ କରିଥିଲେ ।

ତେବେ ବିଜେଡି ବାଦିପାଲାର ମୁଖ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ବୋଲି କୁହାଯାଉଛି।ଅରୁଣ ସାହୁ ବିଧାନସଭାରେ ଅନୁପସ୍ଥିତ ରହିବାରୁ ଏଭଳି ସ୍ଥିତି ଉପଜୁଛି।କେବେ ଲଙ୍ଗଳ ବୋହିଥିବା  କୃଷିମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ଥିଲେ ଏଭଳି ସ୍ଥିତି ହୋଇନଥାନ୍ତା।ମିଠା କଥା କହି ସମସ୍ତଙ୍କୁ ନିଜର କରିବାରେ ସିଦ୍ଧହସ୍ତ ଅରୁଣଙ୍କ ଉତ୍ତର,ମହାରଥୀଙ୍କୁ କେବେ ରଗାଇ ନଥାନ୍ତା।ହେଲେ ବିଜୟ ମହାପାତ୍ରଙ୍କୁ ହରାଇବା ଲାଗି ଅରୁଣ ସାହୁ ତ ଡେରାବିଶରେ ଡେରା ପକାଇ ଥିଲେ।ସେଥିପାଇଁ ଅରୁଣଙ୍କ କୃଷି ବିଭାଗର ଉତ୍ତର,ଅର୍ଥମନ୍ତ୍ରୀ ପୂଜାରୀ ମହାଶୟ ଦେଉଥିଲେ।କୃଷିପ୍ରଧାନ ରାଜ୍ୟ ଓଡ଼ିଶାର କୃଷିମନ୍ତ୍ରୀ ଯଦି ନିଜର ସାମ୍ବିଧାନିକ ଦାୟିତ୍ୱ ଭୁଲି ବିଧାନସଭାରେ ଅନୁପସ୍ଥିତ ରହିବେ,ତାହେଲେ ତ ଏଭଳି ସ୍ଥିତି ହିଁ ଉପଜିବ!ବିଜେଡିରେ ଆଭ୍ୟନ୍ତରୀଣ ବିବାଦ ଯାହା ଆଜି ପଦାରେ ପଡିଛି ସେଥିପାଇଁ ଅରୁଣ ସାହୁ ଦାୟୀ ବୋଲି କୁହାଯାଇ ପାରିବ।
ଲେଖକ- ଦେବେନ୍ଦ୍ର ନାୟକ

You Might Also Like

No Comments

Leave a Reply