ଚାଷ କାମ ଯାହାର,କେଡେ ସୁଖ ତାହାରର ଲୋକକଥା ଏବେ ପ୍ରହସନ ପାଲଟିଛି। ବାସ୍ତବତାର ଟ୍ୟାଗ୍ ଏ ଲୋକକଥା ସହ ଆଉ ଯୋଡି ହୋଇ ନାହିଁ।କୃଷିର କ୍ଷେତ୍ର ଓଡ଼ିଶାରେ ଏବେ ଚାଷୀର ଅବସ୍ଥା ଅବ୍ୟବସ୍ଥାର ଶୀର୍ଷରେ। ସରକାର କୃଷିକର୍ମଣ ଆୱାର୍ଡ଼ ପାଇ ବାଃ ବାଃ ନେଉଥିଲା ବେଳେ ପ୍ରକୃତ ଚାଷୀ କିନ୍ତୁ ବିଷାଦରେ। ଚାଷୀଙ୍କ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଦଳର କୁମ୍ଭୀର କାନ୍ଦଣା ପ୍ରହସନ ପାଲଟିଛି। କିଛି ଦିନ ତଳେ ଇଣ୍ଡିଆ ଟୁଡେ ସରକାରଙ୍କ କୃଷି ସଫଳତାର ବିକଳ ଚିତ୍ର ସାମ୍ନାକୁ ଆଣିଲା ପରେ ଏବେ ଅବ୍ୟବସ୍ଥାର ପାହାଡ଼ ଓଡ଼ିଶାର ଚାଷୀଙ୍କ ବାଟ ଓଗାଳୁଛି। ଅସଜଡା ଭିତ୍ତିଭୂମିରେ ଚାଲିଛି ରାଜ୍ୟର ଧାନ ସଂଗ୍ରହ ବ୍ୟବସ୍ଥା। କେଉଁଠି ଚାଷୀଙ୍କୁ ଟୋକନ ମିଳୁନି ତ ପୁଣି କେଉଠି ଖାତାକୁ ଟଙ୍କା ଆସୁନି। କେବେ ଖୋଲାରେ ରହି ଧାନ ବର୍ଷାରେ ଓଦା ହେଉଛି ତ ପୁଣି କେବେ ବିକ୍ରି ଅପେକ୍ଷାରେ ଧାନ ଗଜା ହେଉଛି।
ଧାନ ମଣ୍ଡି କ୍ଷେତ୍ରରେ ସରକାର ଫେଲ୍
ଚାଷୀଙ୍କ ବିକାଶର ନାରା ଦେଇ ସରକାର କାଳିଆ ଭଳି ଅନେକ ଯୋଜନା କରିଥିଲେ ସୁଦ୍ଧା ଗ୍ରାଉଣ୍ଡରେ ଫେଲ୍ ହୋଇଛନ୍ତି। ଶୀତଳ ଭଣ୍ଡାର ଅଭାବରୁ ଧାନ ପିଆଜର ଅଭାବୀ ବିକ୍ରି ପରି ଧାନ ବିକ୍ରି ରେ ବି ସମାନ ଅବସ୍ଥା। ଧାନ ମଣ୍ଡିରେ ଅବ୍ୟବସ୍ଥା ହେତୁ ଶୀତ କାକରରେ ଧାନ ଭିଜୁଛି। ଖରା ବର୍ଷା ମାଡ ଖାଇ ଧାନର ମାନ ହ୍ରାସ ହେବା ସହ ଚାଷୀ କ୍ଷତିଗ୍ରସ୍ତ ହେଉଛି। ଧାନ ବିକ୍ରି କ୍ଷେତ୍ରରେ ସରକାର ପେକ୍ସ କମ୍ପ୍ୟୁଟରୀକରଣକୁ ଗୁରୁତ୍ୱ ଦେଉଥିଲା ବେଳେ କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ରାୟଗଡ଼ା ଓ ମୟୂରଭଞ୍ଜ ସମେତ ୬ଟି ଜିଲ୍ଲା ପେକ୍ସ ଶୁନ୍ୟ। ଏପରିକି ଏଠାରେ ନୂତନ ପେକ୍ସର ପ୍ରସ୍ତାବ ମଧ୍ୟ ନାହିଁ।ସରକାର କୃଷି ନାଆଁରେ ଦେଉଥିବା ନାରା ମିଛ ପ୍ରମାଣିତ ହେଉଛି
ରାଜ୍ୟରେ ୧୯୮୮ଟି ପେକ୍ସରେ ଗୋଦାମ ନ ଥିବା ବେଳେ ଅନେକ ଗୋଦାମରେ ଧାନ ରଖିବା ପାଇଁ ଜାଗା ନିଅଣ୍ଟ। ଗୋଟାଏ ପଟେ ସରକାର ଧାନ ମଣ୍ଡିରେ ସଂରକ୍ଷଣ ସହିତ ସମସ୍ତ ସୁବିଧା କଥା କହୁଥିଲା ବେଳେ ବର୍ତ୍ତମାନ ରାଜ୍ୟରେ ଥିବା ମୋଟ ୩୪୦୯ ମଣ୍ଡି ମଧ୍ୟରୁ ୨୩୮୯ଟି ମଣ୍ଡିରେ ପିଣ୍ଡି,୮୫୩ଟି ମଣ୍ଡିରେ ଶୌଚାଳୟ,୬୨ଟି ମଣ୍ଡିରେ ପଡା,ଏବଂ୧୪୪ଟି ମଣ୍ଡିରେ ଇଣ୍ଟରନେଟ ସୁବିଧା ନାହିଁ।
କୋରାପୁଟ ଉପଖଣ୍ଡରେ ୧୦୪ଟି ମଣ୍ଡିରେ ସର୍ବନିମ୍ନ ସୁବିଧାର ଅଭାବ ଥିଲାବେଳେ, ଅନେକ ସ୍ଥାନରେ ଖୋଲା ଆକାଶ ତଳେ ଧାନ ବସ୍ଥା ବିକ୍ରି ପାଇଁ ଅପେକ୍ଷା କରିଛନ୍ତି। ସମ୍ବଲପୁର, ଛତିଶଗଡ଼, ଝାରସୁଗୁଡ଼ାରେ ଧାନର ବିକ୍ରି କ୍ଷେତ୍ରରେ ଅସୁବିଧା ଦେଖାଦେଇଛି। ସମବାୟ ବିଭାଗର ତଥ୍ୟ କହୁଛି ରାଜ୍ୟ ରେ ଆଗାମୀ ମାର୍ଚ୍ଚ ସୁଦ୍ଧା ୪୦୧୭ ପେକ୍ସ ଓ ଲେମ୍ପ୍ସ ନିର୍ମାଣ ହବ। ବର୍ତ୍ତମାନ ରାଜ୍ୟର ୬୭୯୪ଟି ପଞ୍ଚାୟତରେ ମାତ୍ର ୨୪୯୫ ପେକ୍ସ,ଏବଂ ୨୧୫ଟି ଲେମ୍ପ୍ସ ରହିଛି। ଧାନ ସଂଗ୍ରହ ପାଇଁ ପ୍ରତି ପଞ୍ଚାୟତରେ ପେକ୍ସ ଓ ଲେମ୍ପ୍ସ ନିର୍ମାଣ ର ନିର୍ଦ୍ଦେଶ ଥିଲେ ସୁଦ୍ଧା ଏସବୁ କାର୍ଯ୍ୟକାରି ହୋଇ ପାରିନାହିଁ। ଫଳରେ ଚାଷୀ ବାଧ୍ୟ ହୋଇ ମିଲର୍ସଙ୍କୁ ଧାନ ବିକୁଛନ୍ତି। ଚାଷୀଙ୍କ ସ୍ୱାର୍ଥକୁ ଅଣଦେଖା କରି ସରକାର ବିକାଶର ମିଛ ଚିତ୍ର ଆଙ୍କିବା ବଦଳରେ ଚାଷୀର ଉନ୍ନତି ପାଇଁ ଧାନ ମଣ୍ଡି କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହୁଏତ ଚାଷୀ କୁଳ ଲାଭବାନ ହୋଇପାରନ୍ତେ।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା