ବିଜେଡିରେ ଦଳଡିଆଁଙ୍କୁ ଗୁରୁତ୍ତ୍ୱ,ମେୟର ପଦ ପାଇଁ ନବୀନଙ୍କ ଭରସା ଜିତିଲେ ଆମଦାନୀ ନେତା

ଓଡିଶାରେ ଦୀର୍ଘଦିନ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳର ମେୟର ପ୍ରାର୍ଥୀ ଚୟନକୁ ନେଇ ଅନେକ ପ୍ରଶ୍ନବାଚୀ। ଚଳିତ ନିର୍ବାଚନରେ ପୁରୁଣା ନେତାଙ୍କୁ ଅଣଦେଖା କରିଛି ବିଜେଡି। ଦଳ ଗଠନ ଦିନଠୁ ଏପର୍ଯ୍ୟନ୍ତ ପଡ଼ି ରହିଥିବା ନେତା ମାନଙ୍କୁ ଅଣଦେଖା କରି ଅନ୍ୟ ଦଳରୁ ଡିଆଁ ମାରୁଥିବା ନେତାଙ୍କୁ ବିଜେଡି ଏବେ ପ୍ରାର୍ଥି ସଜାଇଛି। କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ପାଇଁ ବିଜେଡି ଯେଉଁ ୩ଜଣଙ୍କୁ ମେୟର ପ୍ରାର୍ଥୀ କରିଛି ସେମାନେ ସମସ୍ତେ ଅତୀତରେ ଅନ୍ୟ ଦଳରେ ହିଁ ରହି ପ୍ରତିନିଧିତ୍ତ୍ୱ କରୁଥିଲେ। ଦଳରେ ଦୀର୍ଘ ଦିନ ଧରି ତଥା ଆରମ୍ଭରୁ ପଡି ରହିଥିବା ନେତାଙ୍କୁ ଅଣଦେଖା କରି ଦଳ ଡିଆଁଙ୍କୁ ବିଜେଡି ପ୍ରାଧାନ୍ୟ ଦେଇଛି।

ବିଜେଡିରେ କଂଗ୍ରେସ ଚେହେରା
ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବାରୁ ବିଜେଡି ଯଥାକ୍ରମେ ସୁଲୋଚନା ଦାସ ଓ ସଂଘମିତ୍ରା ଦଳେଇଙ୍କୁ ଏବଂ କଟକ ନିମନ୍ତେ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ କରିଛି। ସୁଲୋଚନା ପୁର୍ବରୁ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। କଂଗ୍ରେସର ମୁଖପାତ୍ର ଦାୟିତ୍ତ୍ୱ ଲିଭାଉଥିଲେ ସୁଲୋଚନା । ମାତ୍ର ୨୦୧୭ ଜୁନ୍ ମାସରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ବିଜେଡି ତାଙ୍କୁ ମୁଖପାତ୍ର କରିବା ସହ ମହିଳା ସଂଗଠନରେ ସ୍ଥାନ ଦେଇଥିଲା।
ବ୍ରହ୍ମପୁରର ମେୟର ପ୍ରାର୍ଥୀ ଶ୍ରୀମତୀ ସଂଘମିତ୍ରା ଦଳେଇ ମଧ୍ୟ ବିଜେଡିରେ ଯୋଗଦେବା ପୁର୍ବରୁ କଂଗ୍ରେସର ମଙ୍ଗ ଧରିଥିଲେ। ୨୦୧୩ ମହାନଗର ନିଗମ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଶ୍ରୀମତୀ ଦଳେଇଙ୍କୁ ପରବର୍ତ୍ତୀ ସମୟରେ ବିଜେଡି ନିଜର ମହିଳା ସଂଗଠନରେ ସାମିଲ କରିଥିଲା। ଏବେ ସେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡିର ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଚଳିତ ନିର୍ବାଚନରେ ବିଜେଡି ସଂଘମିତ୍ରାଙ୍କୁ ପ୍ରାର୍ଥୀ କରିଛି।

ସିପିଆଇଏମ୍ ଛାଡି ଲାଭରେ ସୁବାସ ସିଂ
କଟକର ମେୟର ପ୍ରାର୍ଥି ସୁବାସ ସିଂ ବିଜେଡିରୁ ଆରମ୍ଭ କରିନଥିଲେ ରାଜନୈତୀକ କ୍ୟାରିୟର୍ । ସିପିଆଇଏମ୍ ଦଳରେ ସେ ସାମିଲ୍ ଥିଲେ। ୨୦୧୩ ଜୁନ ମାସରେ ସିପିଆଇଏମ୍ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ସୁବାସ। ତାଙ୍କୁ ବିଜେଡି କଟକ ମହାନଗର ପାଇଁ ମେୟର ପ୍ରାର୍ଥୀ କରିଛି। ଦଳ ଶ୍ରୀ ସିଂଙ୍କୁ ୨୦୨୦ ମାର୍ଚ୍ଚ ମାସରେ ରାଜ୍ୟସଭାକୁ ମଧ୍ୟ ପଠାଇଥିଲା। ଯଦିଓ ମେୟର ଟିକେଟ୍ ପାଇଁ ଆଶୟୀ ତାଲିକାରେ କଟକରେ ଅନେକ ନେତା ରହିଛନ୍ତି ତଥାପି ଦଳ ତାଙ୍କୁ ରାଜ୍ୟସଭା ଛାଡ଼ି କଟକରେ ତାଙ୍କୁ ମେୟର୍ ପ୍ରାର୍ଥୀ ଭାବେ ସ୍ଥିର କରିଛି। ୨୦୧୯ ସାଧାରଣ ନିର୍ବାଚନ ବେଳେ ଅନେକ ଆମଦାନୀ ନେତାଙ୍କୁ ବିଧାନସଭା ଓ ଲୋକସଭାରେ ଥଇଥାନ କରି ମାଷ୍ଟର ଷ୍ଟ୍ରୋକ୍ ଖେଲିଥିବା ନବୀନ କାହିଁକି ପୁରୁଖା ନେତାଙ୍କୁ ଛାଡି ଦଳଡିଆଁଙ୍କୁ ଗୁରୁତ୍ତ୍ୱ ଦେଉଛନ୍ତି ତାକୁ ନେଇ ଏବେ ଅନେକ ପ୍ରଶ୍ନ। ଆଗାମୀ ଦିନରେ ଏନେଇ ବିଜେଡିରେ ରହିଥିବା ଚାପା ଅସନ୍ତୋଷକୁ ଅଧିକ ବିସ୍ଫୋରକ ଆଡ଼କୁ ନେବାର ଆଶଙ୍କା ରହିଥିବା ଅନୁମାନ କରାଯାଉଛି।
Connect With Us