ରୋଗୀ ନିରାଶ : BSKYରେ ମିଳୁନି ଆୟୁର୍ବେଦ ଚିକିତ୍ସା

ବିଜୁ ଜନତା ଦଳର ଜିତିବା ରେକର୍ଡକୁ ଆଗେଇ ନେଉଥିଲା ଟଙ୍କିକିଆ ଚାଉଳ। କିନ୍ତୁ କେନ୍ଦ୍ରର ବିଜେପି ସରକାର ମାଗଣାରେ ଚାଉଳ ବାଣ୍ଟି, ନିଦ ହଜେଇ ଦେଇଛି ବିଜେଡି ସରକାରର। ଏବେ ବିଜୁ ଜନତା ଦଳ ପାଇଁ ଟର୍ମ୍ପକାର୍ଡ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା BSKY। ୨୦୧୮ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ଈଝକଣରେ,ଖାଦ୍ୟ ସୁରକ୍ଷା ଯୋଜନାର ୩କୋଟି ୫୦ ଲକ୍ଷ ହିତାଧିକାରୀ, ମାଗଣାରେ ପାଉଛନ୍ତି ସ୍ୱାସ୍ଥ୍ୟ ସେବା। ପୁରୁଷ ଲୋକ ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ମେଡିକାଲ ଖର୍ଚ୍ଚ ବହନ କରୁଛନ୍ତି ସରକାର। କେବଳ ସରକାରୀ ଡ଼ାକ୍ତରଖାନା ନୁହେଁ, ୧୩୬ଟି ପ୍ରାଇଭେଟ୍ ହସ୍ପିଟାଲରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ଚିକିତ୍ସା କରାଯାଉଛି। ମାଗଣା ଚିକିତ୍ସା ସେବା ବାବଦରେ ଘରୋଇ ହସ୍ପିଟାଲକୁ ୨୦୨୧ରେ ପ୍ରାୟ ୨୨୫ କୋଟି ପ୍ରଦାନ ଦେଇଥିଲା ବେଳେ ୨୦୨୨ରେ ଦିଆଯାଇଛି ୧,୪୫୬ କୋଟି।

ମାତ୍ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ମାଗଣା ଚିକିତ୍ସା ସେବାରୁ ବାଦ ପଡ଼ିଛି, ଆୟୁର୍ବେଦିକ ଚିକିତ୍ସା। ଆୟୁର୍ବେଦିକ ଚିକିତ୍ସା ମାଧ୍ୟମରେ ଅନେକ ଆରୋଗ୍ୟ ହେଉଥିବାରୁ, ଏ ଚିକିତ୍ସା ଉପରେ ଲୋକମାନେ ନିର୍ଭର କରୁଛନ୍ତି। କିନ୍ତୁ ପଛରେ ପଡ଼ିଛି ଆୟୁର୍ବେଦିକ ଚିକିତ୍ସା ବ୍ୟବସ୍ଥା। ରାଜ୍ୟରେ ରହିଛି ମାତ୍ର ୩ଟି ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ।

ଆୟୁର୍ବେଦିକ ଚିକିତ୍ସା ପାଇଁ ଲୋକଙ୍କ ଆଗ୍ରହ ବଢିଥିଲା ବେଳେ BSKY କାର୍ଡରେ ମିଳୁନି ସୁବିଧା। ପଞ୍ଚକର୍ମ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ। ଦେବାକୁ ପଡ଼ୁଛି ୟୁଜର୍ସ ଫି। ଶିରୋଧାରା, ଶିରୋବସ୍ତି, ଶାସ୍ତିକ ଶାଳୀ ପିଣ୍ଡ, ସନ୍ଧିବାତ ଭଳି ଚିକିତ୍ସା ପାଇଁ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଶିରୋଧାରା ପାଇଁ ଦିନକୁ ୧,୦୦୦ ଟଙ୍କା ଦବାକୁ ପଡୁଥିଲା ବେଳେ କିଛି ଚିକିତ୍ସାର ଦୈନିକ ଖର୍ଚ୍ଚ ୨,୦୦୦ ଡେଉଁଛି।

ଏଲୋପାଥିକ୍ ଅପେକ୍ଷା ଆୟୁର୍ବେଦିକ ଚିକିତ୍ସାରେ ଖର୍ଚ୍ଚ ଯଦିଓ କମ୍, ତଥାପି ଏଥିପାଇଁ ମଧ୍ୟ ଲୋକ ଖର୍ଚାନ୍ତ ହେଉଛନ୍ତି। ସରକାରଙ୍କୁ ଏଲୋପାଥିକ୍ କ୍ଷେତ୍ରରେ ଅନେକ ଟଙ୍କା ବହନ କରିବାକୁ ପଡ଼ୁଥିଲା ବେଳେ ଆୟୁର୍ବେଦିକ ଚିକିତ୍ସାକୁ କାହିଁକି BSKYରେ ସାମିଲ କରୁନାହାନ୍ତି ତାହା ଚିନ୍ତାର ବିଷୟ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us