Bishnu-Das

ପ୍ରଚାର ଶେଷ,ମତଦାନ ବି ସରିବାକୁ ଯାଉଛି।କିନ୍ତୁ ଜଗତସିଂହପୁର ବିଜେଡି ରାଜନୀତିକୁ ନିଜ ହିସାବରେ କଣ୍ଟ୍ରୋଲ କରିଦେଲେ ବିଷ୍ଣୁ ଦାସ।ବିଷ୍ଣୁଙ୍କ ଚକ୍ରବ୍ୟୂହରେ ଫସିଗଲା ବିଜେଡି।୨୯ବର୍ଷ ପ୍ରତିନିଧିତ୍ୱ କରୁଥିବା ଜଗତସିଂହପୁର ଛାଡି ତିର୍ତ୍ତୋଲରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଷ୍ଣୁ।ତେବେ ଜିଲ୍ଲା ହେଡକ୍ୱାଟର ଛାଡିବା ପଛରେ ବିଷ୍ଣୁଙ୍କ ରହିଛି ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ଯୋଜନା।ଏପରିକି ବିରୋଧିଙ୍କ ଜିତିବା ପଥ ସୁଗମ କରି ବଂଶବାଦ ରାଜନୀତିକୁ ଆଗେଇ ନେବାକୁ ବିଷ୍ଣୁ କରିଛନ୍ତି ମାଷ୍ଟର ପ୍ଲାନ।
ତିର୍ତ୍ତୋଲରୁ ରାଜଶ୍ରୀ ଆଉଟ୍
ସଂରକ୍ଷିତ ଆସନ ତିର୍ତ୍ତୋଲର ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସହ ବିଷ୍ଣୁ ଦାସଙ୍କ ସମ୍ପର୍କ ଅହିନକୁଳ।କିନ୍ତୁ ନବୀନ ପଟ୍ଟନାୟକଙ୍କ ୩୩%ଲୋକସଭା ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଆଢୁଆଳରେ ରାଜଶ୍ରୀଙ୍କୁ ଜଗତ୍ସିଂହପୁର ଲୋକସଭା ଆସନକୁ ଠେଲିଦେଲେ।ଆଉ ରାଜଶ୍ରୀଙ୍କ ଗଡ଼ ତିର୍ତ୍ତୋଲ ଜଗିବାର ଦାୟିତ୍ୱ ନେଲେ।ବିଷ୍ଣୁଙ୍କ ଏପରି କରିବାର ଅସଲ ଉଦ୍ଦେଶ୍ୟ ଥିଲା ନିଜ ପୁଅ ବିଜୟ ଶଙ୍କର ପାଇଁ ସୁରକ୍ଷିତ ଆସନ ପାଇବା।କାରଣ ଜଗତ୍ସିଂହପୁରରେ କଂଗ୍ରେସର ଚିରଞ୍ଜୀବ ବିଶ୍ୱାଳଙ୍କୁ ମାତ୍ ଦେବା କଷ୍ଟକର ବୋଲି ଜାଣିଛନ୍ତି ବିଷ୍ଣୁ।ସେପଟେ ତିର୍ତ୍ତୋଲରେ କଂଗ୍ରେସ ଓ ବିଜେପି ସ୍ଥିତି ଭାରି ଦୟନୀୟ।ଏପରି ସ୍ଥଳେ ବିଷ୍ଣୁ ବିଜୟୀ ହୋଇ ମନ୍ତ୍ରିମଣ୍ଡଳରେ ନିଜ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛନ୍ତି
ସମ୍ବିତ ଅନଭିଜ୍ଞ
ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ କଳି ଦୀର୍ଘ ବର୍ଷର।ମାତ୍ର ଦାମ ରାଉତ ଏବେ ବିଜେପିର ନେତା।ଦାମଙ୍କ ପୁଅ ସମ୍ବିତ ରାଉତ ପାରାଦୀପରେ ବିଜେଡି ପ୍ରାର୍ଥୀ।ଯଦିଓ ସମ୍ବିତଙ୍କ ଟିକେଟ୍ ସପକ୍ଷରେ ବିଷ୍ଣୁ ନଥିଲେ,ମାତ୍ର ଦାମଙ୍କ ମୁହଁ ଚୁପ୍ କରିବାକୁ ଯାଇ ସମ୍ବିତଙ୍କୁ ବିଜେଡି ଲଢ଼ାଉଛି।ସମ୍ବିତ ହେଉଛନ୍ତି ଜଗତସିଂହପୁର ବିଜେଡି ରାଜନୀତିରେ କନିଷ୍ଠ ଖେଳାଳି।ତେଣୁ ତାଙ୍କ ହାରଜିତର ଫରକ ପଡ଼ିବନି ବିଷ୍ଣୁ ଦାସଙ୍କ ଉପରେ।ବରଂ ଦାମବାବୁ ସାଇଡ୍ ହୋଇଥିବାରୁ ସମ୍ବିତ ବିଜୟୀ ହେଲେ ବି ପାରାଦୀପରେ ସମାନ୍ତରାଳ ସଂଗଠନ ଚଳାଇବାରେ ବିଷ୍ଣୁଙ୍କୁ ସୁବିଧା ହେବ।
ବାଲିକୁଦା-ଏରସମା ଦି’ଫାଳ
ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି କୁହାଳିଆ ନେତା ଦାମ ରାଉତ।ଦାମଙ୍କ ପ୍ରାର୍ଥୀତ୍ୱ ଘୋଷଣା ହେବା କ୍ଷଣି,ବିଜେପି ନେତା ରଘୁନନ୍ଦନ ଦାସଙ୍କୁ ନେଇ ନବୀନ ନିବାସରେ ପହଞ୍ଚିଥିଲେ ବିଷ୍ଣୁ।ଦଳୀୟ ନେତୃତ୍ୱକୁ ବୁଝାଇ-ସୁଝାଇ ରଘୁନନ୍ଦନଙ୍କ ପାଇଁ ଟିକେଟ୍ ବି ଯୋଗାଡ କରି ଦେଲେ।ତାଙ୍କ କ୍ୟାମ୍ପରୁ ବାହାରି ଯାଇଥିବା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପାନେ ଦେବାକୁ ବିଷ୍ଣୁ,ରଘୁନନ୍ଦନଙ୍କୁ ଆଗକୁ ଆଣିଲେ।ଅନ୍ୟପଟେ ପ୍ରଶାନ୍ତ ବାଲିକୁଦା-ଏରସମାରୁ ବିଜେଡି ଟିକେଟ୍ ପାଇ ଯଦି ବିଜୟୀ ହୋଇଥାନ୍ତେ ତେବେ ବିଷ୍ଣୁଙ୍କ ମନ୍ତ୍ରୀପଦରେ ପ୍ରତିଦ୍ୱନ୍ଦ୍ୱି ବାହାରି ଥାନ୍ତେ।ତେଣୁ ପ୍ରଶାନ୍ତଙ୍କୁ ରାସ୍ତାରୁ ହଟାଇ ଜଗତ୍ସିଂହପୁରର ରାସ୍ତା ଦେଖାଇ ଦେଖାଇ ଚୁପଚାପ ବସିଗଲେ ବିଷ୍ଣୁ ଦାସ।ସେପଟେ ପ୍ରଶାନ୍ତ ବି ନଛୋଡବନ୍ଧା।ବାଲିକୁଦା ହାତରୁ ଖସି ଯାଉଥିବା ଦେଖି ରଘୁନନ୍ଦନଙ୍କୁ ହରାଇବା ଲାଗି ପ୍ରଶାନ୍ତ ନିଜ ସମର୍ଥକଙ୍କୁ ଇଙ୍ଗିତ ଦେଇଛନ୍ତି।ଏସବୁ ସତ୍ତ୍ୱେ ଯଦି ରଘୁନନ୍ଦନ ଜିତିନ୍ତି ତେ ସେ ବିଷ୍ଣୁଙ୍କର ହେବେ। ଯଦି ରଘୁନନ୍ଦନ ହାରୁଛନ୍ତି ଜଗତସିଂହପୁର ବିଜେଡିରେ ବିଷ୍ଣୁ ହେବେ ଏକାନ୍ତ ଚକ୍ରବର୍ତ୍ତି।
ଚିରଞ୍ଜୀବଙ୍କ ସହ ସନ୍ଧି
ବିଷ୍ଣୁ ତିର୍ତ୍ତୋଲ ଟିକେଟ୍ ପାଇଲେ ବି ତାଙ୍କ ଅନୁଗତ ଅମରେନ୍ଦ୍ର ଦାସଙ୍କୁ ବିଜେଡି ଟିକେଟ୍ ମିଳିଲା ନାହିଁ।ପଡୋଶୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ ମୁଦୁଲି ଜଗତସିଂହପୁରରେ ଶଙ୍ଖ ଚିହ୍ନରେ ଲଢୁଛନ୍ତି।ଅମରେନ୍ଦ୍ର ଯଦିଓ ବିଷ୍ଣୁଙ୍କ ସହ ୨୦୦୧ ମସିହାରୁ ଅଛନ୍ତି,ମାତ୍ର ତାଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ମୁହଁ ଖୋଲିନଥିଲେ ବିଷ୍ଣୁ।କେବଳ ବିରୋଧକୁ ଚପାଇବା ପାଇଁ ଅମରେନ୍ଦ୍ରଙ୍କୁ ଜିଲ୍ଲା ସଭାପତି କରାଇ ଦେଲେ।କାରଣ ଅମରେନ୍ଦ୍ରଙ୍କ ଗ୍ରୋଥ ପୁଅ ବିଜୟଶଙ୍କର ପାଇଁ ଅଡୁଆ ବୋଲି ବିଷ୍ଣୁ ଜାଣନ୍ତି।ସେଥିପାଇଁ ପ୍ରଶାନ୍ତଙ୍କୁ ବାଲିକୁଦା-ଏରସମାରୁ ଆଣି ଜଗତ୍ସିଂହପୁରରେ ଲଢ଼ାଇବା ପଛରେ ଥିଲା ବିଷ୍ଣୁଙ୍କର ହାତ। କିନ୍ତୁ ପ୍ରଶାନ୍ତଙ୍କୁ ବାହାରିଆ ନେତାର ଆଖ୍ୟା ଦେଇ ହରାଇବାର ବି ବାଟ କରିଛନ୍ତି ବିଷ୍ଣୁ।ଚିରଞ୍ଜୀବ ବିଶ୍ୱାଳଙ୍କ ସହ ବିଷ୍ଣୁ ଦାସଙ୍କର ଭିତିରି ବୁଝାମଣା ହୋଇଛି ବୋଲି ଚର୍ଚ୍ଚା।ତିର୍ତ୍ତୋଲରେ ଚିରଞ୍ଜୀବଙ୍କର ଏକ ଭଲ ଭୋଟ ବ୍ୟାଙ୍କ ରହିଛି।ଜଗତ୍ସିଂହପୁରରେ ବିଷ୍ଣୁଙ୍କ ଦବଦବା ରହିଛି।ତେଣୁ ତର୍ତ୍ତୋଲ ଆସନକୁ ସୁରକ୍ଷିତ କରିବା ଲାଗି ଜଗତ୍ସିହପୁରକୁ କଂଗ୍ରେସ ହାତରେ ଟେକି ଦେଇଛନ୍ତି ବିଷ୍ଣୁ ଦାସ।
ଏପରି ଚକ୍ରବ୍ୟୁହ ରଚି ନିଜେ ବିଷ୍ଣୁ ଦାସ ମନ୍ତ୍ରୀପଦ ହାତେଇବାକୁ ଟାର୍ଗେଟ କରିଛନ୍ତି।ଆଉ ପୁଅ ବିଜୟ ଶଙ୍କର ପାଇଁ ୨୦୨୪ ନିର୍ବାଚନର ରାସ୍ତାକୁ ପରିଷ୍କାର କରିଛନ୍ତି।
ପଢ଼ନ୍ତୁ-ପ୍ରଥମେ‘କାଳିଆ’ର ଶରଣ ପଶିଲା BJD:ଏବେ କହିଲାଣି’ନବୀନ ଓଡ଼ିଶାର ପରିଚୟ’