ପୁରୀ ଲୋକସଭା ଆସନର ପଲଟିକାଲ୍ ଟେମ୍ପରେଚର ଏବେ ହାଇ ରହିଛି।ଏହି ଉଷ୍ମ ବାତାବରଣରେ ନିଜର ରାଜନୈତିକ ଭବିଷ୍ୟତ ସନ୍ଧାନରେ ଆସିଛନ୍ତି ଡାକ୍ତର ସମ୍ବିତ ପାତ୍ର।ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର,ପୁରୀ ପାଇଁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି।ପ୍ରଥମେ ଶୁଣାଗଲା ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ହେଉଛନ୍ତି,କିନ୍ତୁ ମୋଦିଙ୍କ ପ୍ରତିନିଧି ହୋଇ ଆସିଛନ୍ତି ସମ୍ବିତ।ତେବେ ଆରମ୍ଭରୁ ମୋଦିଙ୍କ ଫର୍ମୁଲା ଆପଣାଲେଣି ସମ୍ବିତ।ପ୍ରଚାର ଆରମ୍ଭ କରିବା ଆଗରୁ ସମ୍ବିତ ପ୍ରଥମେ ଗଜପତି ଦିବ୍ୟସିଂହ ଦେବଙ୍କୁ ଦେଖା କରିଛନ୍ତି। ୨୪ତାରିଖ ସନ୍ଧ୍ୟାରେ ଦିଲ୍ଲୀରୁ ଆସି ଗଜପତିଙ୍କ ଭୁବନେଶ୍ୱର ସହିଦ ନଗର ବାସଭବନକୁ ଯାଇଥିଲେ ସମ୍ବିତ। ଏହା ପରେ ଉତ୍ତରାରୁ ରୋଡ ସୋ କରି ପ୍ରଚାର ଆରମ୍ଭ କରିଛନ୍ତି ସମ୍ବିତ।
ସେହିଭଳି ନରେନ୍ଦ୍ର ମୋଦି ମଧ୍ୟ ଗତ ନିର୍ବାଚନ ପୂର୍ବରୁ ଗଜପତିଙ୍କୁ ଦେଖା କରି ପ୍ରଚାର ଆରମ୍ଭ କରିଥିଲେ।ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ ହେବା ପରେ ୧୬ଜୁଲାଇ ୨୦୧୩ରେ ପୁରୀ ଆସିଥିଲେ ମୋଦି।ରଥଯାତ୍ରା ସମୟରେ ଆସି ଗୁଣ୍ଡିଚା ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।କିନ୍ତୁ ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜାଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ ମୋଦି।
ବାହାରିଆଙ୍କୁ ଗ୍ରହଣ କରନ୍ତି ନାହିଁ ପୁରୀ ଭୋଟର
ଅନ୍ୟପକ୍ଷରେ ପୁରୀ ଲୋକସଭାର ଇତିହାସ ଟିକେ ନିଆରା।ସ୍ଥାନୀୟ ଲୋକଙ୍କୁ ଜିତାଇବାକୁ ଭଲ ପାଆନ୍ତି ପୁରୀ ଭୋଟର। ଯଦିଓ ୧୬ଟି ନିର୍ବାଚନରୁ ଥରେ ମାତ୍ର ଭଦ୍ରକ ଜିଲ୍ଲାର ମୂଳବାସିନ୍ଦା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ୧୯୮୯ରେ ପୁରୀରୁ ଜିତିଥିଲେ ତେବେ ସେତେବେଳେ ଦେଶରେ ବୋହୁଥିଲା ବି.ପି.ସିଂହଙ୍କ ହାଓ୍ୱା।ସେହି ସ୍ରୋତରେ ଜନତା ଦଳ ପ୍ରାର୍ଥୀ ନୀଳମଣି ରାଉତରାୟ,ନିର୍ବାଚନୀ ବୈତରଣୀ ପାର ହୋଇଥିଲେ।କିନ୍ତୁ ଓଡ଼ିଶାର ଖ୍ୟାତାନାମା ବାରିଷ୍ଟର ରଣଜିତ ମହାନ୍ତି,୧୯୮୪ ରେ ପୁରୀ ଭୋଟରଙ୍କ ଆସ୍ଥା ଭାଜନ ହୋଇ ପାରିନଥିଲେ।ବାହାରିଆ ନେତା ରଣଜିତ ମହାନ୍ତିଙ୍କୁ ବିଜୁ ପଟ୍ଟନାୟକଙ୍କ ସମର୍ଥନ ମିଳିବା ପରେ ମଧ୍ୟ ପୁରୀ ଭୋଟର ତାଙ୍କୁ ଗ୍ରହଣ କରି ନଥିଲେ।ତେଣୁ ଯାଯପୁରର ମୂଳନିବାସୀ ସମ୍ବିତ ପାତ୍ର,ପୁରୀ ଭୋଟରଙ୍କ ଆସ୍ଥା ଜିଣି ପାରିବେ ତ?
କେନ୍ଦ୍ରରେ ପୁରୀ ସାଂସଦଙ୍କ ପ୍ରଭାବ
ଅନ୍ୟପଟେ ପୁରୀରୁ ଜିତୁଥିବା ସାଂସଦଙ୍କ ଜାତୀୟ ରାଜନୀତିରେ ଭୂମିକା ପୂର୍ବରୁ ଦେଖିବାକୁ ମିଳିଥିଲା।ଏକମାତ୍ର ଓଡ଼ିଆ ଭାବେ ଲୋକସଭାର ବାଚସ୍ପତି ହୋଇଥିବା ରବି ରାୟ,୧୯୬୭ରେ ପ୍ରଥମେ ପୁରୀ ଆସନରୁ ବିଜୟୀ ହୋଇଥିଲେ। ସେହିପରି ପୁରୀର ପ୍ରଥମ ସାଂସଦ ଲୋକନାଥ ମିଶ୍ର ଏବଂ ଦ୍ୱିତୀୟ ସାଂସଦ ଚିନ୍ତାମଣି ପାଣିଗ୍ରାହୀ ରାଜ୍ୟପାଳ ହୋଇଥିଲେ।ନୀଳମଣି ରାଉତରାୟ ପୁରୀରୁ ଜିତି କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ।ଆଉ ପୁରୀକୁ ୪ଥର ପ୍ରତିନିଧିତ୍ୱ କରିଥିବା ବ୍ରଜ ତ୍ରିପାଠୀ,ବାଜପେୟୀଙ୍କ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଥିଲେ।ତେଣୁ କେନ୍ଦ୍ରରେ ଯଦି ପୁଣି ବିଜେପି ସରକାର ଆସେ ତେବେ ମୋଦିଙ୍କ ଖାସ ସମ୍ବିତ ପାତ୍ର, ବିଜୟୀ ହେଲେ ମନ୍ତ୍ରୀ ହୋଇପାରନ୍ତି!ତାହେଲେ ନୀଳମଣି ରାଉତରାୟଙ୍କ ପରି ବାହାରିଆ ନେତାଙ୍କୁ ଗ୍ରହଣ କରି ଜଣେ ସମ୍ଭାବ୍ୟ କେନ୍ଦ୍ରମନ୍ତ୍ରୀ ସମ୍ବିତ ପାତ୍ରଙ୍କ ଉପରେ ପୁରୀବାସୀ ଆସ୍ଥା ପ୍ରକଟ କରିବେ କି?
ପଢ଼ନ୍ତୁ-ପଶ୍ଚିମ ଓଡ଼ିଶାରୁ CM ହୋଇଥିବା 3ଜଣ, 5ବର୍ଷିଆ କାର୍ଯ୍ୟକାଳ ପୂରଣ କରିନାହାଁନ୍ତି