ବିଜୁ ପରିବାର ସହ ୪୮ବର୍ଷ ରହିଥିବା କେନ୍ଦ୍ରାପଡ଼ାକୁ ମିଳିବ କି କେନ୍ଦ୍ର କ୍ୟାବିନେଟରେ ସ୍ଥାନ?

ଓଡ଼ିଶାରେ ଅଣକଂଗ୍ରେସର ଗଡ଼ କେନ୍ଦ୍ରାପଡ଼ା।୧୯୫୨ର ପ୍ରଥମ ଲୋକସଭା ନିର୍ବାଚନ ସମୟରୁ ଜାତୀୟ ରାଜନୀତିରେ ଚର୍ଚ୍ଚିତ ସ୍ଥାନ କେନ୍ଦ୍ରପଡ଼ା।କାରଣ କେନ୍ଦ୍ରାପଡ଼ାର ପ୍ରଥମ ସାଂସଦ ନିତ୍ୟାନନ୍ଦ କାନୁନଗୋ, ନେହରୁଙ୍କ ପ୍ରଥମ କ୍ୟାବିନେଟରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏବେ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ପୁଣି କେନ୍ଦ୍ରାପଡ଼ା ଚର୍ଚ୍ଚାକୁ ଆସିଛି। ତେବେ ୧୯୭୧ରୁ କେନ୍ଦ୍ରାପଡ଼ା ହୋଇଗଲା ବିଜୁ ପଟ୍ଟନାୟକଙ୍କ ଅଭେଦ୍ୟ ଦୁର୍ଗ। କଂଗ୍ରେସ ଠାରୁ ଅଲଗା ହୋଇ ବିଜୁ ପଟ୍ଟନାୟକ ଗଢ଼ିଥିଲେ ଉତ୍କଳ କଂଗ୍ରେସ। ଆଉ କେନ୍ଦ୍ରାପଡ଼ା ଭୋଟର,ବିଜୁଙ୍କ ପ୍ରାର୍ଥୀ ସୁରେନ୍ଦ୍ର ମହାନ୍ତିଙ୍କୁ ଜିତାଇ ଥିଲେ। ପରବର୍ତ୍ତି ନିର୍ବାଚନ ୧୯୭୭ରେ ବିଜୁବାବୁ ନିଜେ ଆସିଥିଲେ ମୈଦାନକୁ। ଲଗାତର ୩ଥର ବିଜୁ ପଟ୍ଟନାୟକ ବିଜୟୀ ହୋଇଥିଲେ।ଏପରିକି ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ,ସମ୍ବେଦନାର ସୁଅ ସାରା ଓଡ଼ିଶାରେ ବୋହିଥିଲା। ରାଜ୍ୟର ବାକି ୨୦ଟି ଲୋକସଭା ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ହେଲେ କେନ୍ଦ୍ରାପଡ଼ା ଭୋଟର ବିଜୁଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ।

ବିଜୁଙ୍କ ରାଜନୈତିକ ଆଖଡା
କିନ୍ତୁ ୧୯୮୫ରେ ବିଜୁ ପଟ୍ଟନାୟକ ଲୋକସଭା ଆସନରୁ ଇସ୍ତଫା ଦେଇ, ରାଜ୍ୟ ରାଜନୀତିକୁ ଫେରିଥିଲେ। ଫଳରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଭୋଟର ଦେଖିଲେ ଉପନିର୍ବାଚନ । କିନ୍ତୁ ବିଜୁଙ୍କ ପ୍ରାର୍ଥୀ ଶରତ ଦେବଙ୍କୁ ଜିତାଇ ବିଜୁ ପରିବାର ପ୍ରତି ନିଜ ଆନୁଗତ୍ୟ ଦେଖାଇ ଥିଲେ କେନ୍ଦ୍ରାପଡ଼ା ଭୋଟର। ପରବର୍ତ୍ତି ନିର୍ବାଚନରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇ ଚାଲିଲେ।
ନିର୍ବାଚନ ବିଜୁଙ୍କ ପ୍ରାର୍ଥୀ
୧୯୭୧ ସୁରେନ୍ଦ୍ର ମହାନ୍ତି
୧୯୭୭,୧୯୮୦,୧୯୮୪ ବିଜୁ ପଟ୍ଟନାୟକ
୧୯୮୫ ଶରତ ଦେବ
୧୯୮୯, ୯୯୧ ରବି ରାୟ
୧୯୯୬ ଶ୍ରୀକାନ୍ତ ଜେନା
ବିଜୁଙ୍କ ଦେହାନ୍ତ ପରେ ମଧ୍ୟ କେନ୍ଦ୍ରପଡ଼ା ଭୋଟର,ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି।ସେଥିପାଇଁ ୧୯୯୮ରୁ ଆଜି ଯାଏଁ ବିଜେଡିର ପ୍ରାର୍ଥୀ ସେଠାରୁ ବିଜୟୀ ହୋଇ ଆସୁଛନ୍ତି।
ନିର୍ବାଚନ ନବୀନଙ୍କ ପ୍ରାର୍ଥୀ
୧୯୯୮, ୧୯୯୯ ପ୍ରଭାତ ସାମନ୍ତରାୟ
୨୦୦୪ ଅର୍ଚ୍ଚନା ନାୟକ
୨୦୦୯, ୨୦୧୪ ବୈଜୟନ୍ତ ପଣ୍ଡା

ବିଜୁଙ୍କ କ୍ରେଜ୍ କମାଇଲେ ବୈଜୟନ୍ତ
ଏଥିରୁ ବୁଝା ପଡୁଛି ୧୯୭୧ରୁ ଆଜି ଯାଏଁ, ଦୀର୍ଘ ୪୮ବର୍ଷ ହେବେ କେନ୍ଦ୍ରାପଡ଼ା ବିଜୁ ପରିବାର ସହ ରହିଛି। କିନ୍ତୁ ବୈଜୟନ୍ତ ପଣ୍ଡା ଗତ ଦୁଇ ଥର ସାଂସଦ ହେବା ଭିତରେ କେନ୍ଦ୍ରାପଡ଼ାବାସୀଙ୍କ ମନରେ ନିଜର ଏକ ଛାପ ଛାଡିବାରେ ସଫଳ ହୋଇଛନ୍ତି। ଲୋକଙ୍କ ପାଣି ସମସ୍ୟା ଦୂର କରିବାକୁ ବୈଜୟନ୍ତ,ନିଜ ସାଂସଦ ପାଣ୍ଠିର ସର୍ବାଧିକ ଅର୍ଥ ବିନିଯୋଗ କରିଛନ୍ତି। ଫଳରେ କେନ୍ଦ୍ରାପଡ଼ାରେ ହିରୋ ହୋଇ ଯାଇଛନ୍ତି ବୈଜୟନ୍ତ। ଏହାସହ କଂଗ୍ରେସ ଜିତିଥିବା ଆଳି, ରାଜନଗର ଏବଂ ସାଲେପୁର ଆସନରେ ବିଜେଡି ଠାରୁ ବୈଜୟନ୍ତଙ୍କ କ୍ରେଜ ମଧ୍ୟ ଅଧିକ ରହିଛି। ସେହିଭଳି କେନ୍ଦ୍ରାପଡ଼ା ଲୋକସଭା ଅଧିନରେ ଆସୁଥିବା ବାକି ୪ଟି ବିଧାନସଭା କ୍ଷେତ୍ର ପାଟକୁରା,ମହାକାଳପଡା, କେନ୍ଦ୍ରାପଡ଼ା(ସଂ),ଏବଂ ମାହାଙ୍ଗାରେ ବୈଜୟନ୍ତଙ୍କ ନିଜସ୍ୱ ସଂଗଠନ ଯଥେଷ୍ଟ ମଜଭୁତ। ତେଣୁ ବିଜୁ ପରିବାରର ୪୮ବର୍ଷର କିଲ୍ଲା କେନ୍ଦ୍ରାପଡ଼ାରେ,ଏଥର କିଛି ଅଲଗା ହେଲା ପରି ଲାଗୁଛି।
ବିଜେପି ବଢ଼ିଛି
ଅନ୍ୟପଟେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେପି ଭଲ ପ୍ରଦର୍ଶନ କରିଛି। ୩୨ଟି ଜିଲ୍ଲା ପରିଷଦ ଜୋନରୁ୧୦ଟିରେ ବିଜେପି ବିଜୟୀ ହୋଇଥିଲା।ସେହିପରି କେନ୍ଦ୍ରାପଡ଼ା ଲୋକସଭା ଅଧିନରେ ଥିବା ସାଲେପୁର ଏବଂ ମାହାଙ୍ଗା ବିଧାନସଭା କ୍ଷେତ୍ରରେ ଥିବା ୨ଟି ଜିଲ୍ଲା ପରିଷଦ ଆସନରେ ବିଜେପି ବିଜୟୀ ହୋଇଛି। ଏହାସହ ଗତ ନିର୍ବାଚନରେ ମାହାଙ୍ଗାରେ ସ୍ୱାଧିନ ଭାବେ ଲଢ଼ି ୬୧ହଜାର ୬୫୭ଭୋଟ ପାଇଥିବା ବୁଲୁ ପ୍ରଧାନ ବିଜେପିରେ ମିଶିଛନ୍ତି। ଯଦିଓ ଦଳ ବିରୋଧି ସ୍ୱର ରଖୁଥିବା ବିଜୟ ମହାପାତ୍ର ବିଜେପିରୁ ଇସ୍ତଫା ଦେଇ ସାରିଛନ୍ତି। କିନ୍ତୁ ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା,ପାଟକୁରାର ପୂର୍ବତନ ବିଧାୟକ ଉତ୍କଳ ପରିଡା ଏବଂ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ବିଜେପିରେ ମିଶି ସାରିଛନ୍ତି। ସେପଟେ ଅର୍ଥବଳରେ ବୈଜୟନ୍ତଙ୍କୁ,ବିଜେଡି ମାତ ଦେବା ଅସମ୍ଭବ। ଏହାସହ ପ୍ରଚାର ପ୍ରସାର ପାଇଁ ବୈଜୟନ୍ତଙ୍କ ସହ ରହିଛି ଓଡ଼ିଶାର ଏକ ନମ୍ବର ନ୍ୟୁଜ ଚ୍ୟାନେଲ ଓଟିଭି।

ମନ୍ତ୍ରୀଙ୍କ ପଡ଼ା କେନ୍ଦ୍ରାପଡ଼ା
ଅନ୍ୟପଟେ ବୈଜୟନ୍ତଙ୍କ ଲୋକପ୍ରିୟତାକୁ କାଉଣ୍ଟର କରିବାକୁ ବିଜେଡିରୁ ପ୍ରାର୍ଥୀ ହେବାକୁ ଅନେକ ନେତା ଅମଙ୍ଗ। ତେବେ ଇତିହାସ କହୁଛି କେନ୍ଦ୍ରାପଡାରୁ ବିଜୟୀ ହେଲେ ଦିଲ୍ଲୀ ଦରବାରରେ ଖାତିର ବଢ଼ି ଯାଏ। ଯଦିଓ କେନ୍ଦ୍ରାପଡ଼ାରୁ ଥରେ ମାତ୍ର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କିନ୍ତୁ କଂଗ୍ରେସର ସେହି ସାଂସଦ ନିତ୍ୟାନନ୍ଦ କାନୁନଗୋ,ନେହରୁଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ।ସେହିପରି ୧୯୭୭ରେ କେନ୍ଦ୍ରାପଡ଼ା ସାଂସଦ ବିଜୁ ପଟ୍ଟନାୟକ,ମୋରାରଜୀ ଦେଶାଇଙ୍କ କ୍ୟାବିନେଟରେ ସ୍ଥାନ ପାଇଥିଲେ।୧୯୮୯ର କେନ୍ଦ୍ରାପଡ଼ା ସାଂସଦ ରବି ରାୟ,ଏକମାତ୍ର ଓଡ଼ିଆ ଲୋକସଭାର ବାଚସ୍ପତି ହୋଇଥିଲେ। ଆଉ ଦେବଗୌଡ଼ା ଏବଂ ଗୁଜରାଲ ସରକାରରେ କେନ୍ଦ୍ରାପଡ଼ା ସାଂସଦ ଶ୍ରୀକାନ୍ତ ଜେନାଙ୍କୁ ମିଳିଥିଲା ସ୍ଥାନ।ତେଣୁ ପାକିସ୍ତାନର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ପରେ ନରେନ୍ଦ୍ର ମୋଦି ସରକାର ୨୦୧୯ରେ ପୁଣି ଥରେ କ୍ଷମତା ଆସିବା ପରି ଲାଗୁଥିବା ବେଳେ, ବୈଜୟନ୍ତ ପଣ୍ଡାଙ୍କ ଜରିଆରେ କେନ୍ଦ୍ରାପଡ଼ା ପୁଣି ଥରେ ମନ୍ତ୍ରୀ ପଦ ପାଇବ ନାହିଁ ତ?
Connect With Us