କିଏ ବଦଳାଇଲା ନରହନ୍ତା ବିଧାୟକଙ୍କ ଗାଡି ନମ୍ବର?

ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନେଇ ଏବେ ଅନେକ ବିବାଦ ମୁଣ୍ଡ ଟେକୁଛି। ଗୁଣ୍ଡାଗର୍ଦ୍ଦି ପାଇଁ ଅନେକ ଥର ବିବାଦକୁ ଆସିଥିବା ପ୍ରଶାନ୍ତ ଜଗଦେବଙ୍କ ନାଁରେ ପୁଣି ଯୋଡି ହୋଇଛି ଅପରାଧର ନୁଆ ଫର୍ଦ୍ଦ। ଗିରଫ ହୋଇ ବାଣପୁର ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହେବ ବୋଲି ସୂଚନା ରହିଛି। ସେ ଯେଉଁ ଗାଡି ବ୍ୟବହାର କରୁଥିଲେ ବିଧାୟକ ସେଥିରେ ଲାଗିଥିବା ଗାଡି ନମ୍ବର ଆଉ ଗୋଟିଏ ଗାଡିର। ସେହି ଗାଡିଟି ହ୍ୟୁଣ୍ଡାଇ କ୍ରେଟାର ଏବଂ ଗାଡିଟି ଶିବାନି ଫୁଡ ନାମରେ ପଞ୍ଜିକୃତ ହୋଇଥିବା ଜଣା ପଡିଛି।

ଗାଡି ନମ୍ବର ବଦଳାଇବାରେ କାହାର ରହିଛି ହାତ
ବିଧାୟକ ଗତ ୧୨ ତାରିଖ ଦିନ ଲ୍ୟାଣ୍ଡ ରୋଭର ଡିସକଭରୀ ଗାଡି (OD 25 K 5775) ଲୋକଙ୍କ ଉପରକୁ ମଡାଇ ଦେଇଥିଲେ। ଏଥିରେ ସାମ୍ବାଦିକ, ପୁଲିସ ଅଧିକାରୀ ସମେତ ବିଜେପି କର୍ମୀ ଆହତ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଗାଡି ଭିତରୁ ଘୋଷାଡି ଆଣି ନିର୍ଧୁମ ଛେଚି ଥିଲେ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିଧାୟକ। ସେଦିନ ଦୁର୍ଘଟଣା କରାଇଥିବା ଗାଡିଟି କୁମାର ଦେବଦତ୍ତଙ୍କ ନାମରେ ରହିଛି। ଏମ୍ ଭିଆଇ ଆପରୁ ଏହି ସୂଚନା ମିଳିଛି। କିନ୍ତୁ ପୁଲିସ ଏବେ ଯେଉଁ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି ସେଥିରେ ବିଧାୟକଙ୍କ ଗାଡି ନମ୍ବର OD02 AY 5775 ବୋଲି ଉଲ୍ଲେଖ କରିଛି। ଯାହାକି ଅସମାହିତ ପ୍ରଶ୍ନ ତିଆରି କରିଛି। ନିଲମ୍ବିତ ବିଜେଡି ବିଧାୟକଙ୍କ ବିରୋଧରେ କେସ ଦୁର୍ବଳ କରିବାକୁ ପୁଲିସ ଏପରି କରିଛି ନା ବିଧାୟକଙ୍କ ଗାଡିର ନମ୍ବର ଜାଲ୍ ତାହା ଏବେ ପ୍ରଶ୍ନ ଘେରରେ।
ଜାଲିଆତି କରିଛନ୍ତି କି ବିଧାୟକ
ବିଧାୟକଙ୍କ ଗାଡି ନମ୍ବରକୁ ନେଇ ଏବେ ଅନେକ ବିବାଦ। ଦୁର୍ଘଟଣା ଘଟାଇଥିବା ଗାଡି ନମ୍ବର ଓ ପୁଲିସ ଡାଏରୀରେ ଥିବା ଗାଡି ନମ୍ବର ଭିନ୍ନ ରହିଛି ।ପୁଲିସ କେସ ଡାଏରୀ ଦାଖଲ କରିବା ପରେ ଏସପି ଅଖିଳେଶ ପହି କହିଛନ୍ତି, ଯେଉଁ ଗାଡି ମାଡିଯାଇଥିଲା ତାର ନମ୍ବର OD02 AY 5775। ଯାହାକି ବିବାଦକୁ ବଢାଇଛି। ଦୁଇଟି ନମ୍ବର ଭିତରେ ଫରକ ହେଉଛି K ଏବଂ AY।ବାକି ସବୁ ସମାନ ରହିଛି।ଏବେ ପୁଲିସ କହୁଥିବା ନମ୍ବରଟି ହ୍ୟୁଣ୍ଡାଇ କ୍ରେଟା କାରର। ଏବଂ ଏହି ନମ୍ବର ଓ କାର ଶିବାନି ଫୁଡ ନାମରେ ପଞ୍ଜିକୃତ ହୋଇଛି ବୋଲି ଏମଭିଆଇ ଆପରୁ ଜଣାପଡିଛି।
ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଳକୁ ନିଲମ୍ବିତ ହେବା ପରେ ମଧ୍ୟ ଶାସକ ଦଳର ଅନେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଥିଲେ। ପୂର୍ବରୁ ଏକ ମାମଲାରେ ହାଇକୋର୍ଟ ଦ୍ୱାରା ଜେଲ ଦଣ୍ଡାଦେଶ ପାଇଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ହସ୍ପିଟାଲରେ ରହି ଜାମିନ ପାଇଯାଇଥିଲେ। ଏବେ ଯଦିଓ ଶାସକ ଦଳ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । କିନ୍ତୁ ଏବେ ଗାଡି ନମ୍ବର ବଦଳାଯିବା ଘଟଣା ମାମଲାକୁ ଦୁର୍ବଳ କରିବାକୁ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି।
Connect With Us