ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ: ଭୋଟ ଦେଲେନି ଧର୍ମେନ୍ଦ୍ର-ବୈଜୟନ୍ତ-ଅପରାଜିତା

ବ୍ଲକ ଏବଂ ମ୍ୟୁନିସି ପାଲିଟି ଦଖଲ କରିବାର ଆନ୍ତରିକତା ନାହିଁ। ପଞ୍ଚାୟତ ନିର୍ବାଚନ ପରି ପୌର ଭୋଟ ପ୍ରଚାରକୁ ଓଲ୍ହାଇଲେ ନାହିଁ ବିଜେପିର ଶୀର୍ଷ ନେତୃତ୍ୱ। ଯଦିଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୌର ନିର୍ବାଚନ ପାଇଁ ପ୍ରଚାର କଲେ ମାତ୍ର ସେ ନିଜ ଭୋଟ ସାବ୍ୟସ୍ତ କରିନାହାନ୍ତି। ଦଳୀୟ ପ୍ରାର୍ଥିଙ୍କୁ ଭୋଟ ନଦେଇ,ଓଡ଼ିଶାରେ ସରକାର ଗଢ଼ିବାର ସ୍ୱପ୍ନ ଦେଖୁଛି ବିଜେପି। ଏପରିକି ନିଜ ସମର୍ଥକଙ୍କ ଦ୍ୱାରା ନିଜକୁ ଉପଯୁକ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବାରେ ଲାଗିଛନ୍ତି ଓଡ଼ିଶା ବିଜେପିର ଅନେକ ନେତା।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ
ଯିଏ ଦଳୀୟ ପ୍ରାର୍ଥୀଙ୍କର ନୁହଁନ୍ତି- ସେ କାହାରି ନୁହଁନ୍ତି
ପଞ୍ଚାୟତ ନିର୍ବାଚନରେ ସଫଳତାରୁ ଢ଼େର୍ ପଛରେ ପଡିଛି ବିଜେପି।୨୦୧୭ ନିର୍ବାଚନ ଅପେକ୍ଷା ୨୦୨୨ ନିର୍ବାଚନରେ ବିଜେପିର ଭୋଟ ହ୍ରାସ ପାଇଛି।ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡି ଠାରୁ ବିଜେପି ପଛରେ ରହିବାର ଅନୁମାନ ହେଉଛି।ଭୁବନେଶ୍ୱର ମହାନଗର ନିଗମର ପ୍ରଚାର ମଇଦାନରେ ବିଜେଡିର ତିନି ବିଧାୟକଙ୍କ ସହ ପ୍ରମୁଖ ନେତା ଅଣ୍ଟା ଭିଡିଥିଲେ।ଅନ୍ୟପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ବିଜେପିର ମେୟର ଏବଂ କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।
ଅଥଚ ଭୁବନେଶ୍ୱର ମହାନଗର ନିଗମ (BMC) ନିର୍ବାଚନରେ ଭୋଟ ଦେଲେ ନାହିଁ ସାଂସଦ ଅପରାଜିତା ଷଡ଼ଙ୍ଗୀ। BJPର ସମସ୍ତ ସାଂସଦ, ମାର୍ଚ୍ଚ୨୪ରେ ଲୋକସଭାରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି ହେବା କାରଣରୁ ସେ ସଂସଦରେ ଉପସ୍ଥିତ ରହିଲେ। ସେଥିପାଇଁ BMC ନିର୍ବାଚନରେ ଭୋଟ ଦେଇପାରିଲେ ନାହିଁ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।
ତେବେ ଖର୍ଚ୍ଚ ବିଲ୍ ପାରିତ ଲାଗି ଲୋକସଭାରେ ୨୭୨ ସାଂସଦ ମାନଙ୍କ ସମର୍ଥନ ଆବଶ୍ୟକ। BJP ନେତୃତାଧିନ NDAର ଲୋକସଭା ସାଂସଦଙ୍କ ସଂଖ୍ୟା ଏବେ ୩୩୭ ରହିଛି। ଯାହା ମଧ୍ୟରୁ କେବଳ BJPର ସାଂସଦଙ୍କ ସଂଖ୍ୟା ୩୦୩। ଲୋକସଭାରେ ଖର୍ଚ୍ଚ ବିଲ୍ ପାରିତ ଲାଗି ଆବଶ୍ୟକ ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ ସାଂସଦ BJPର ଅଛନ୍ତି। ଅପରାଜିତା ଷଡ଼ଙ୍ଗୀ ଚାହିଁଥିଲେ ଦଳୀୟ ନେତୃତ୍ୱଙ୍କ ଠାରୁ ଅନୁମତି ଆଣି BMC ନିର୍ବାଚନରେ ଭୋଟ ଦେଇ ପାରିଥାନ୍ତେ। କିନ୍ତୁ ସେ ଏପରି କରିନାହାନ୍ତି ।ଏପରିକି BJDର ବରିଷ୍ଠ ରାଜ୍ୟସଭା MP ପ୍ରସନ୍ନ ଆଚାର୍ଯ୍ୟ, ସଂସଦୀୟ କାର୍ଯ୍ୟ ଅପେକ୍ଷା ଭୋଟ ଦାନ ଅଧିକାର ପାଇଁ ବରଗଡ଼ ଆସି ଭୋଟ ଦେଇଛନ୍ତି।

ବୈଜୟନ୍ତ ପଣ୍ଡା
ଦିଲ୍ଲୀରେ ପ୍ରଚାର,ଓଡିଶାରୁ ଗାୟବ
କେନ୍ଦ୍ରାପଡ଼ା ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖାତ ହୋଇଥିବା ବୈଜୟନ୍ତ, ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ BJPକୁ ଭୋଟ ଦେବାକୁ ପ୍ରଚାର କରୁଛନ୍ତି। କିନ୍ତୁ ନିଜେ BMCରେ BJPର କର୍ପୋରେଟର ଏବଂ ମେୟର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ଓଡ଼ିଶା ଆସିଲେ ନାହିଁ। BJPର ରାଷ୍ଟ୍ରୀୟ(ଓଡ଼ିଆ) ନେତା ବୈଜୟନ୍ତ ପଣ୍ଡା, ପୌର ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କଲେ ନାହିଁ।
ଜନତାଙ୍କ ଭରସାରେ ଦଳୀୟ ପ୍ରାର୍ଥୀ
ସେହିଭଳଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ମାସରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରୁ ନିଜକୁ ଦୂରେଇ ରଖିଲେ। UP ନିର୍ବାଚନରେ ବ୍ୟସ୍ତ ଥାଇ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ, ଫେବ୍ରୁଆରୀ ୨୦ରେ ରାଷ୍ଟ୍ରପତିଙ୍କ ପୁରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।କିନ୍ତୁ ପଞ୍ଚାୟତ ନିର୍ବାଚନରେ BJPର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସିଲେ ନାହିଁ। ଏପରିକି ତାଳଚେର ପୌରାଞ୍ଚଳର ଭୋଟର ହୋଇ ମଧ୍ୟ ବିଜେପିର ପୌରାଧ୍ୟକ୍ଷ ପ୍ରାର୍ଥୀ ଏବଂ କାଉନସିଲର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଓଡ଼ିଶା ଆସିଲେ ନାହିଁ।
BJPର ଏହି ଆତ୍ମଘୋଷିତ ଜାତୀୟ ନେତାଙ୍କ ଆକଳନରେ, ସେମାନେ ତାଙ୍କ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବେ ନାହିଁ।କିନ୍ତୁ ଓଡ଼ିଶା ଭୋଟର, BJPର ପ୍ରାର୍ଥୀଙ୍କୁ ନିର୍ବାଚନରେ ବିଜୟୀ କରାଇବେ। ପଞ୍ଚାୟତ ଏବଂ ପୌର ନିର୍ବାଚନରେ ନିଜର ଦଳୀୟ କର୍ମକର୍ତ୍ତାଙ୍କ ଲଢ଼େଇରୁ ଦୂରେଇ ରହୁଥିବା BJPର ଆତ୍ମଘୋଷିତ ଜାତୀୟ ନେତାଙ୍କୁ ସେଥିପାଇଁ ବୋଧହୁଏ ଓଡ଼ିଶାର ମତଦାତା ମଧ୍ୟ ଗୁରୁତ୍ୱ ଦେଉନାହାଁନ୍ତି।
ଏହି ଷ୍ଟୋରୀକୁ ଲେଖିଛନ୍ତି- ଦେବେନ୍ଦ୍ର ନାୟକ
Connect With Us