ଆସନ୍ତା ୨୫ ଜୁଲାଇରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ। କୋବିନ୍ଦଙ୍କ ପରେ କିଏ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କେନ୍ଦ୍ରରେ ବିଜେପିର ଦବଦବା ଥିବାରୁ ପରବର୍ତ୍ତୀ ରାଷ୍ଟ୍ରପତି ଚୟନରେ ବିଜେପିର ପ୍ରମୁଖ ଭୂମିକା ରହିବ। ଉତ୍ତର ପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦବୀକୁ ନେଇ ଚର୍ଚ୍ଚା ଘନୀଭୁତ ହେଉଛି। ନିର୍ବାଚନ କଲେଜ (electoral college) ମାଧ୍ୟମରେ ଭାରତର ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି। ଏହି ନିର୍ବାଚନ କଲେଜରେ ଲୋକସଭା ଏବଂ ରାଜ୍ୟସଭାର ୭୭୬ ସାଂସଦ ଏବଂ ବିଭିନ୍ନ ରାଜ୍ୟରୁ ମୋଟ ୪୧୨୦ ଜଣ ବିଧାୟକ ରହିଛନ୍ତି। ମୋଟ ଭୋଟର କଲେଜର କ୍ଷମତା ୧୦,୯୮,୯୦୩ ଭୋଟ ଏବଂ ବିଜେପି ନିକଟରେ ମୋଟ କ୍ଷମତାର ୫୦ ପ୍ରତିଶତରୁ ଅଧିକ ଭୋଟ ରହିଛି।

ଲାଲକୃଷ୍ଣ ଆଡ଼ବାନୀ,ଏମ ଭେଙ୍କୟା ନାଇଡୁ,ରାମନାଥ କୋବିନ୍ଦ

ମୋଦିଙ୍କ ନିଷ୍ପତ୍ତି ଉପରେ ନଜର
ରାଜ୍ୟସଭାରେ ମଧ୍ୟ  ଭାରତୀୟ ଜନତା ପାର୍ଟି (BJP)ର ସ୍ଥିତି ମଜବୁତ ରହିଛି। ସଂଖ୍ୟା ଦୃଷ୍ଟିରୁ ଚଳିତବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜେପିର ପ୍ରାର୍ଥୀ ଜୟଲାଭ କରିବେ। ଏହାରି ମଧ୍ୟରେ ପରବର୍ତ୍ତୀ ରାଷ୍ଟ୍ରପତି ପାଇଁ ଜଣେ, ଦୁଇ ଜଣଙ୍କର ନାମକୁ ନେଇ ବିଜେପିରେ ଚର୍ଚ୍ଚା ଚାଲିଛି। ଦେଶର ବୃହତ୍ତମ ରାଜ୍ୟ ୟୁପି ସମେତ ଚାରୋଟି ରାଜ୍ୟରେ ବିଜେପି କ୍ଷମତା ହାସଲ କରିଛି। ୟୁପିରେ ବିଜେପିର ରେକର୍ଡ ବିଜୟ ମାର୍ଚ୍ଚ ୩୧ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ଏବଂ ଜୁଲାଇରେ ସମ୍ଭାବ୍ୟ ରାଷ୍ଟ୍ରପତି ନିର୍ବାଚନ ଉପରେ ପ୍ରଭାବ ପକାଇବ। ୟୁପିରେ ବିଜେପି ଏବଂ ଏହାର ସହଯୋଗୀ ଦଳ ୨୭୩ଟି ଆସନ ଜିତିଛନ୍ତି। ତେଣୁ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଜିତିବାରେ କୌଣସି ଅସୁବିଧା ହେବ ନାହିଁ। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ନାମ ଏହି ପଦବୀ ପାଇଁ ଚର୍ଚ୍ଚାରେ ରହିଛି । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦ୍ୱିତୀୟ କାର୍ଯ୍ୟକାଳ ପ୍ରଦାନ କରାଯିବା ଉଚିତ କି ନାହିଁ ତାହା ଉପରେ ବିଜେପି ନେତୃତ୍ୱ ନିଷ୍ପତ୍ତି ନେଇ ନାହାଁନ୍ତି। ଏହି ପ୍ରସଙ୍ଗରେ ଗଭୀର ଭାବେ ବିଚାରର ଆବଶ୍ୟକତା ରହିଛି। ରାଷ୍ଟ୍ରପତି ଭବନ ପାଇଁ କିଏ ସବୁଠାରୁ ଉପଯୁକ୍ତ ବ୍ୟକ୍ତି ହେବେ ସେ ନେଇ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେବେ ବୋଲି ସରକାରୀ ସୂତ୍ର ସୂଚନା ମିଳିଛି।

ନରେନ୍ଦ୍ର ମୋଦି,ଲାଲକୃଷ୍ଣ ଆଡ଼ବାନୀ

ଆଡଭାନୀଙ୍କୁ ସୁଯୋଗ ଦେଇ ଋଣ ଶୁଝିବେ କି ମୋଦି?
ଭାରତୀୟ ଜନତା ପାର୍ଟିର ପିତାମହ କୁହାଯାଉଥିବା ପୋଖତ ରାଜନୀତିଜ୍ଞ ଲାଲକୃଷ୍ଣ ଆଡଭାନୀ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।ଭାରତୀୟ ଜନତା ପାର୍ଟିର ମୂଳନେତା ତଥା ପ୍ରତିଷ୍ଠାତା ଲାଲକୃଷ୍ଣ ଆଡଭାନୀ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାର ସମ୍ଭାବନା ଖୁବ୍ ଅଧିକ।। ମୋଦି ବିଜେପିକୁ ଆସିବା ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବା ଓ ପରେ ଦେଶର ପ୍ରଧାନମନ୍ତ୍ରୀ ହେବାର ଶ୍ରେୟ ଶ୍ରେୟ ଆଡଭାନୀଙ୍କୁ ଦିଆଯାଏ କାରଣ ଆଡଭାନୀ ତାଙ୍କୁ ଗୁଜୁରାଟ ଦଙ୍ଗା ପରେ ଆଗକୁ ଯିବାକୁ ଯଦି ସୁଯୋଗ ଦେଇନଥାନ୍ତେ ତେବେ ଆଜି ମୋଦି ଏହି ସ୍ଥାନରେ ପହଞ୍ଚି ପାରିନଥାନ୍ତେ। ପୂର୍ବଥର ରାଷ୍ଟ୍ରପତି ନହେବାର ଅବଶୋଷ ଆଡଭାନୀ ନକହିଲେ ବି ତାଙ୍କର ଅଛି। ଯଦି ଆଡଭାନୀ ରାଷ୍ଟ୍ରପତି ହେଲେ, ତାହେଲେ ଦେଶ ଜଣେ ପ୍ରବୀଣ ରାଷ୍ଟ୍ରନୀତିଜ୍ଞଙ୍କୁ ଏହି ପଦରେ ଦେଖିବାକୁ ପାଇବ ଏବଂ ମୋଦି ତାଙ୍କର ଋଣ ଶୁଝିପାରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ନରେନ୍ଦ୍ର ମୋଦି ଗୁରୁଋଣ ଶୁଝି ଆଡଭାନୀଙ୍କୁ ସୁଯୋଗ ଦେଉଛନ୍ତି କି ଗତ ନିର୍ବାଚନ ପରି ପୁଣି ଏଥର ଆଡଭାନୀଙ୍କୁ ବୟକଟ୍ କରି ଅନ୍ୟ କାହାକୁ ରାଷ୍ଟ୍ରପତି ଆସନରେ ବସାଇବାର ନିଷ୍ପତ୍ତି ନେଉଛନ୍ତି ତାହା ସମୟ କହିବ।