ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଅନେକ ପରମ୍ପରା ରହିଛି। ଏହି ନବଦିନାତ୍ମକ ଯାତ୍ରାରେ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଥାଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଘୋଷଯାତ୍ରାରେ ଅନେକ ନୀତି ନିୟମ ପାଳନ କରାଯାଏ। ମହାପ୍ରଭୁଙ୍କ ପୋଡ଼ପିଠା ଖିଆର ଏକ ବିଧି ରହିଛି। ଏଥିପାଇଁ ରଥଯାତ୍ରାରେ ମାଉସୀ ମା ମନ୍ଦିରରେ ଅଟକନ୍ତି ଶ୍ରୀ ଜିଉ।
ପୁରୀ ବଡ଼ଦାଣ୍ଡ ବଳଗଣ୍ଡି ଛକରେ ରହିଛି ପ୍ରସିଦ୍ଧ ମାଉସୀ ମା’ ବା ଅର୍ଦ୍ଧାଶିନୀ ମନ୍ଦିର। ରଥଯାତ୍ରାରେ ନୀଳକନ୍ଦରରୁ ରଥଯାତ୍ରାରେ ଭକ୍ତଗଣଙ୍କ ଗହଣକୁ ଆସିଥିବା ମହାପ୍ରଭୁ ବାହୁଡ଼ା ବେଳେ ଏହି ମନ୍ଦିର ନିକଟରେ ଅଟକନ୍ତି ଓ ମାଉସୀ ମା’ ମନ୍ଦିରରେ ପ୍ରସ୍ତୁତ ପୋଡ଼ପିଠା ଖାଇଥାନ୍ତି। ଏହି ଦିବ୍ୟ ଲୀଳା ପଛରେ ଅନେକ କିମ୍ୱକନ୍ତି ଓ ପୌରାଣିକ କଥାବସ୍ତୁ ରହିଥିବା ଜଣାଯାଏ।
ଇନ୍ଦ୍ର ନୀଳମଣି ପୁରାଣ ଅନୁସାରେ ମହାପ୍ରଳୟ ସମୟରେ ପୁରୁଷୋତ୍ତମ କ୍ଷେତ୍ରସ୍ଥ ରୋହିଣୀକୁଣ୍ଡରୁ ନିସୃତ ଜଳ ମହାପ୍ରଳୟ ଘଟାଇବା ପରେ ପୁଣି ସେହି କୁଣ୍ଡରେ ଲୀନ ହୋଇ ନ ଥିଲା। ଠିକ୍ ସେତିକି ବେଳେ ମା’ ଲକ୍ଷ୍ମୀଙ୍କ ଆଜ୍ଞାରେ ଯୋଗମାୟାଙ୍କ ଦିବ୍ୟରୂପରୁ ଏକ ଶକ୍ତି ଜାତ ହୋଇ ଅର୍ଦ୍ଧ ପ୍ରଳୟଜଳ ଶୋଷଣ କରିଥିଲେ। ଏଥି ସହିତ ଏଠାରେ ଥିବା ଶବରମାନଙ୍କ ନିବାସ ସ୍ଥଳକୁ ସୁରକ୍ଷା ଦେଉଥିବା ହେତୁ କୃତଜ୍ଞତା ପାଇଁ ଶ୍ରୀଜଗନ୍ନାଥ ଏ ସ୍ଥାନରେ ଅଟକିଥାଆନ୍ତି।
କାହିଁକି ଖାଆନ୍ତି ପୋଡ଼ପିଠା
ପୁରାଣରୁ ଜଣାଯାଏ ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସରୁ ଆସିବା ସମୟରେ ମା’ କୈକେୟୀଙ୍କୁ ଦୁଃଖିତ ଥିବା ଦେଖି ବ୍ୟଥିତ ହୋଇଥିଲେ। ଭରତ କୈକେୟୀଙ୍କୁ ମା’ ବୋଲି ଡାକିବେ ନାହିଁ ବୋଲି ସତ୍ୟ କରିଥିବା ଜାଣିବା ପରେ ଭରତଙ୍କ ସତ୍ୟ ରକ୍ଷା ସହିତ ମା’ କୈକେୟୀଙ୍କ ଦୁଃଖ ଲାଘବ ନିମନ୍ତେ ପ୍ରଭୁ ଶ୍ରୀରାମ ଲୀଳା ରଚନା କରିଥିଲେ। ସେ ପରବର୍ତ୍ତୀ ଜନ୍ମମାନଙ୍କରେ କୈକେୟୀଙ୍କ ପାଖରେ ଲାଳନ ପାଳନ ହେବେ ଓ ମା’ ଭାବେ ଡାକିବେ ବୋଲି ବରଦାନ ଦେଇଥିଲେ। ରଘୁନାଥ ବରଦାନରେ କହିଥିଲେ- ତ୍ରେତୟାଯୁଗ ଅବସାନ ପରେ ଆସିବ ଦ୍ୱାପର ଯୁଗ। ଏହି ସମୟରେ ତୁମେ ପାଳିତ ମା’ ଯଶୋମତି ବା ଯଶୋଦା ହେବ। କଳିଯୁଗରେ ମୁଁ ଦାରୁବ୍ରହ୍ମ ହେବି, ତୁମେ ମୋ ମାଉସୀ ମା’ ହୋଇ ଶ୍ରୀକ୍ଷେତ୍ରରେ ରହିବ। ଶ୍ରୀ ଜଗନ୍ନାଥ ପୁରାଣ ଅନୁସାରେ ରାଣୀ ଗୁଣ୍ଡିଚାଙ୍କ ବରଦାନ ଅନୁସାରେ ତାଙ୍କ ବଂଶରେ କେହି ଉତ୍ତରାଧିକାର ନ ରହିବାରୁ ସ୍ୱୟଂ ଜଗନ୍ନାଥ ତାଙ୍କର ପୁଅ ଭାବେ ଜନ୍ମବେଦୀକୁ ଗସ୍ତ କରିଥାଆନ୍ତି। ଶ୍ରୀଜଗନ୍ନାଥଙ୍କର ପୋଡ଼ପିଠା ପ୍ରିୟ ହୋଇଥିବାରୁ ତାଙ୍କ ପାଖରେ ପୋଡ଼ପିଠା ଭୋଗ ହେଇଥାଏ।