ଇନ୍ଦିରା ଗାନ୍ଧୀ, ଭାରତୀୟ ରାଜନୀତିରେ ଏକ ଚର୍ଚ୍ଚିତ ଚେହେରା। ଆଇରନ୍ ଲେଡ଼ି ଭାବେ ପରିଚିତ ଏହି ମହିଳା ରାଜନୀତିରେ ବେଶ୍ ଧୁରନ୍ଧର ଥିଲେ। ଗାନ୍ଧୀ ପରିବାରକୁ ରାଜନୀତିରେ ତିଷ୍ଠି ରଖିବାରେ ସେ ଥିଲେ ପ୍ରମୁଖ ସହାୟିକା। ତାଙ୍କର ରଣନୀତି ଆଗରେ ଅନେକ ହାର ମାନୁଥିଲେ। ଭାରତର ପ୍ରଥମ ମହିଳା ପ୍ରଧାମନ୍ତ୍ରୀର ଦାୟିତ୍ୱ ତୁଲାଇ ସେ ନିଜ ପାରଦର୍ଶିତାର ପରିଚୟ ଦେଇଥିଲେ। କିନ୍ତୁ ତାଙ୍କ ଜୀବନରେ ଏଭଳି ଏକ ଦିନ ଆସିଥିଲା ଯେଉଁଥିପାଇଁ ତାଙ୍କୁ ଗିରଫ ହେବାକୁ ପଡ଼ିଥିଲା। ୧୯୭୭ ମସିହା ଆଜିର ଦିନରେ ଇନ୍ଦିରାଗାନ୍ଧୀଙ୍କୁ ଗିରଫ ହୋଇଥଲେ। ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସମୟରେ ଭାରତରେ ପ୍ରଥମଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଗିରଫ ହୋଇଥିଲେ।
ଇନ୍ଦିରାଙ୍କୁ ବର୍ବାଦ କରିଥିଲା ନ୍ୟାସନାଲ୍ ଏମେରଜେନ୍ସି
୧୯୭୫ରେ ଇନ୍ଦିରାଙ୍କ ନ୍ୟାସନାଲ ଏମରେଜେନ୍ସୀ ଘୋଷଣା ଦେଶ ରାଜନୀତିରେ ଏକ ପ୍ରମୁଖ ମୋଡ଼ ନେଇଥିଲା। ଭାରତରେ ଆରମ୍ଭ ହୋଇଥିବା ସେ କଳା ଅଧ୍ୟାୟ ପରବର୍ତ୍ତି ମୂହୁର୍ତ୍ତରେ ଇନ୍ଦିରାଙ୍କ ଜୀବନରେ ମଧ୍ୟ କଳାଛିଟା ପକାଇଥିଲା। ଜାତୀୟ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରି ବିରୋଧି ଦଳ ନେତାଙ୍କ ହାତରେ ହାତକଡ଼ି ପିନ୍ଧାଇଥିଲେ ଇନ୍ଦିରା। ଗୋଟାଏ ଗାଣତାନ୍ତ୍ରୀକ ରାଷ୍ଟ୍ରରେ ବିରୋଧିଦଳକୁ ଏପରି କରିବାର ପରିଣାମ ତାଙ୍କୁ ଭାରି ପଡିଥିଲା। ୧୯୭୭ ରେ ହଠାତ୍ ସେ ଜରୁରୀକାଳୀନ ପରିସ୍ଥିତିର ଅନ୍ତ ଘୋଷଣା କରିବା ସହିତ ନିର୍ବାଚନ ଘୋଷଣା କରିଥିଲେ। ମାତ୍ର ଜରୁରୀକାଳୀନ ନିଷ୍ପତ୍ତିର ଘୋଷଣା ତାଙ୍କୁ ଘାଟାରେ ପକାଇଥିଲା। ବିରୋଧି ଅର୍ଥାତ୍ ଜନତା ପାର୍ଟୀ ବହୁମତରେ ସରକାର ଗଡ଼ିଥିଲା। ଏପରିକି ଇନ୍ଦିରା ମଧ୍ୟ ପରାଜିତ ହୋଇଥିଲେ। ସେ ପରାଜିତ ହୋଇଥିବା ନିର୍ବାଚନ ମଣ୍ଡଳୀ ରାଇବରେଲିରେ ଏକ ଗସ୍ତ କରି ଲୋକପ୍ରିୟତା ସଜାଡ଼ିବାର ପ୍ରୟାସ ଜନତା ପାର୍ଟୀଙ୍କୁ ବିବ୍ରତ କରିଥିଲା। ପୁଣିଥରେ ଇନ୍ଦିରା ଯେପରି ଆସ୍ଥାଭାଜନ ନହୁଅନ୍ତୁ ସେଥିପାଇଁ ସରକାର ବଳ କଶିଥିଲା।
ହାତକଡ଼ି ଖୋଜିଥିଲେ ଇନ୍ଦିରା
୧୯୭୭ ଅକ୍ଟୋବର ୩ ଇନ୍ଦିରାଙ୍କ ଜୀବନରେ ଏକ ଭିନ୍ନ ମୋଡ଼ ଆଣିଥିଲା। ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଇନ୍ଦିରାଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ। ନିର୍ବାଚନୀ ପ୍ରଚାରରେ ସରକାରୀ ପାଣ୍ଠିରୁ ବହୁଳ ଅର୍ଥ ଖର୍ଚ୍ଚ କରିବା ସମେତ ଏକ ଫ୍ରେଞ୍ଚ କମ୍ପାନୀକୁ କଣ୍ଟ୍ରାକ୍ଟ ଦେଇ ଦେଶକୁ ୧୧ କୋଟିର କ୍ଷତି ପହଞ୍ଚାଇବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ସେ ସମୟରେ ଏଥିପାଇଁ ବରିଷ୍ଠ ପୁଲିସ ଅଫିସର ଏନ୍.କେ, ସିଂକୁ ଦାୟିତ୍ୱ ଦିଆଯାଇଥିଲା। ସେ ଇନ୍ଦିରାଙ୍କ ଘରେ ପହଞ୍ଚି ଗିରଫଦାରୀର ସୂଚନା ଦେଇଥିଲେ। ଅନେକ ସମୟର ଯୁକ୍ତିତର୍କ ପରେ ଇନ୍ଦିରା ନିଜକୁ ଏକ କୋଠରୀରେ 3 ଘଣ୍ଟା ବନ୍ଦ କରି ରଖିଲା ପରେ ବାହାରକୁ ଆସି କେ,ଏନ୍ ସିଂ ଙ୍କୁ ହାତକଡ଼ି ମାଗିଥିଲେ। ଇନ୍ଦିରାଙ୍କୁ ସେଦିନ ଗିରଫ କରାଯାଇଥିଲେ ସୁଦ୍ଧା ପ୍ରମାଣ ଅଭାବରୁ ଏ କେସ ଖାରଜ ହୋଇଥିଲା। ମାତ୍ର ଭାରତରେ ପ୍ରଥମଥର ପାଇଁ ଜଣେ ପ୍ରଧାମନ୍ତ୍ରୀଙ୍କୁ ଗିରଫ କରାଯିବାର ପରିକଲ୍ପନା ସତ ହୋଇଥିଲା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା