ନିର୍ବାଚନ ଆୟୋଗର କଠୋର ନିଷ୍ପତ୍ତି ଦ୍ୱାରା ବିଭିନ୍ନ ରାଜନୈତୀକ ଦଳରେ ଭାଳେଣୀ ପଡିବା ଆରମ୍ଭ ହୋଇଛି। ଶସ୍ତା ରାଜନୀତି କରି ବିଭିନ୍ନ ଦଳ ଭୋଟରଙ୍କୁ ଠକୁ ଥିବାରୁ ନିର୍ବାଚନ କମିଶନ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ମୁଖ୍ୟତଃ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଭୋଟରଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଆକୃଷ୍ଟ କରିଥାଆନ୍ତି। ଇସ୍ତାହାରରେ ବିଭିନ୍ନ ଯୋଜନା ସମ୍ବନ୍ଧରେ ଉଲ୍ଲେଖ କରି ମିଛ ପ୍ରତିଶ୍ରୁତି ଦେଇଥାଆନ୍ତି। ମାତ୍ର ନିର୍ବାଚନ ପରେ ସବୁ ପ୍ରତିଶ୍ରୁତିର ସଫଳ ରୁପାୟନ ହୋଇ ପାରିନଥାଏ। ଏ ପ୍ରକାରର ଅବ୍ୟବସ୍ଥାକୁ ନେଇ ମଧ୍ୟ କୌଣସି ଦଣ୍ଡବିଧାନ ବ୍ୟବସ୍ଥା ନ ଥିବାରୁ ରାଜନୈତିକ ଦଳ ଗୁଡିକ ଏକ ଟ୍ରେଣ୍ଡ ଭାବେ ଏହାକୁ ଧରିନେଇଛନ୍ତି। ମାତ୍ର ଏଥିରେ ଲଗାମ ଲଗାଇବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି।
ଦଳ ଉତ୍ତରଦାୟୀ!
ଏଥର ଲୋକଙ୍କୁ ଠକି ପାରିବେନି ପ୍ରାର୍ଥି ଓ ପ୍ରତିନିଧି। ମିଥ୍ୟା ପ୍ରତିଶ୍ରୁତିରେ ରୋକ ଲାଗିବ। ନିର୍ବାଚନ ପ୍ରତିଶ୍ରୁତି ଦେଉଥିବା ରାଜନୈତୀକ ଦଳମାନେ ଲୋକମାନଙ୍କୁ କିପରି ଅର୍ଥ ପ୍ରଦାନ କରିବାକୁ ଯୋଜନା କରୁଛନ୍ତି ତାହାର ସବିଶେଷ ବିବରଣୀ ଦେବା ଉଚିତ ବୋଲି ନିର୍ବାଚନ ଆୟୋଗ ଏକ ଘୋଷଣାନାମା ଜାରି କରିଛନ୍ତି। ଭୋଟରଙ୍କୁ ଯାହା ପ୍ରତିଶ୍ରୁତି ଦିଅନ୍ତି ସେଥିପାଇଁ ଦଳ ଅଧିକ ଉତ୍ତରଦାୟୀ ବୋଲି ସ୍ପଷ୍ଟ ହୋଇଛି। ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିର ଆର୍ଥିକ ପ୍ରଭାବ ଏବଂ ସେମାନଙ୍କୁ ଅର୍ଥ ପ୍ରଦାନ କରିବାର ଉପାୟ ବିଷୟରେ ପଚାରି ବୁଝିଛନ୍ତି। ପ୍ରସ୍ତାବିତ ପରିବର୍ତ୍ତନଗୁଡିକ ଉପରେ ଅକ୍ଟୋବର୧୯ ସୁଦ୍ଧା ପକ୍ଷଗୁଡିକ ଜବାବ ଦେବେ। ଆଗକୁ ପ୍ରାର୍ଥି ଓ ଦଳ ଇସ୍ତାହାର ପ୍ରସ୍ତୁତି ତଥା ଭୋଟରଙ୍କୁ ପ୍ରଲୋଭିତ କରିବା ଦିଗରେ ସଚେତନ ରହିବେ ବୋଳି ଆଶା ପ୍ରକଟ କରାଯାଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା