ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେଲାପରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏହା ପରେ ଜୁନ ଶେଷ ଆଡ଼କୁ ବା ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟର ୪ଟି ରାଜ୍ୟସଭା ସଦସ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏବେ ରାଜ୍ୟ ବିଧାନସଭାରେ ବିଜେଡିର ଦବଦବା ହେତୁ  ବିଜେଡି ଚାରୋଟି ଯାକ  ରାଜ୍ୟସଭା ସଦସ୍ୟ ପଦ ହାତେଇବାର ସମ୍ଭାବନା ଖୁବ୍ ଅଧିକ।ରାଜ୍ୟସଭା ଯିବାକୁ କଂଗ୍ରେସର କୌଣଷି ପ୍ରତିନିଧିଙ୍କର ସମ୍ଭାବନା ନଥିଲା  ବେଳେ ବିଜେପି ଆସନ ହାତେଇ ପାରେ।ଅବଶ୍ୟ ଏଥିପାଇଁ ବିଜୁ ଜନତା ଦଳର ସମର୍ଥନ ନିହାତି ଲୋଡା। ଗତଥର ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କଲାଭଳି ଯଦି କୌଣସି ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଘୋଷଣା କରେ ତେବେ ବିଜେପିର ମଧ୍ୟ ଜଣେ ପ୍ରାର୍ଥୀ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇପାରନ୍ତି।

ଏନ୍‌. ଭାସ୍କର ରାଓ,ସୁବାସ ସିଂ

ଶେଷ ହେଉଛି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ
ଆସନ୍ତା ଜୁଲାଇ ପହିଲାରେ ରାଜ୍ୟସଭାରେ ଓଡ଼ିଶାର ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌. ଭାସ୍କର ରାଓଡକ୍ଟର ସସ୍ମିତ ପାତ୍ରଙ୍କର କାର୍ଯ୍ୟକାଳ ଶେଷ ହେବ। ପ୍ରସନ୍ନ ଆଚାର୍ଯ୍ୟ ଓ ଏନ୍‌. ଭାସ୍କର ରାଓ ୨୦୧୬ ଜୁଲାଇ ୨ ତାରିଖରୁ ରାଜ୍ୟସଭାର ସଦସ୍ୟ ଅଛନ୍ତି। ନିୟମ ଅନୁଯାୟୀ ସେମାନଙ୍କର ୬ ବର୍ଷର କାର୍ଯ୍ୟକାଳ ଶେଷ ହେବ। ସେହିପରି ସସ୍ମିତ ପାତ୍ରଙ୍କର କାର୍ଯ୍ୟକାଳ ମଧ୍ୟ ସେହିଦିନ ଶେଷ ହେବ। କାରଣ ସେ ପୂରା ଅବଧି ପାଇଁ ଏହି ପଦକୁ ନିର୍ବାଚିତ ହୋଇନାହାନ୍ତି। ନିଜ କାର୍ଯ୍ୟକାଳ ପୂରଣର ୪ ବର୍ଷ ପୂର୍ବରୁ ପ୍ରତାପ ଦେବ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଖାଲି ହୋଇଥିବା ଆସନ ପାଇଁ ସସ୍ମିତ ପାତ୍ର ବିଜୁ ଜନତା ଦଳ ତରଫରୁ ନିର୍ବାଚିତ ହୋଇଥିଲେ। ସେ ୨୦୧୯ ଜୁନ ୨୯ ତାରିଖରେ ଏହି ପଦରେ ଯୋଗ ଦେଇଥିଲେ। ବିଧାୟକ ଭାବେ ନିର୍ବାଚିତ ହେବାରୁ ପ୍ରତାପ ଦେବ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ସେହି ସମୟରେ ସୌମ୍ୟରଞ୍ଜନ ପଟ୍ଟନାୟକଅଚ୍ୟୁତ ସାମନ୍ତ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଅମର ପଟ୍ଟନାୟକ ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ଓ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପି ତରଫରୁ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେମାନଙ୍କର କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ତାରିଖରେ ଶେଷ ହେବ। କଟକ ମେୟର ପ୍ରାର୍ଥି ସୁବାସ ସିଂ ୨୦୨୦ଅପ୍ରେଲ ୩ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।ନିୟମ ଅନୁଯାୟୀ ତାଙ୍କର କାର୍ଯ୍ୟକାଳ ୨୦୨୬ ଅପ୍ରେଲ ୨ ରେ ଶେଷ ହେବ। ମାତ୍ର କଟକ ମେୟର ପଦ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ହେଉଥିବାରୁ ସେ ଯଦି ନିର୍ବାଚିତ ହେବେ ତେବେ ତାଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ ହେବ।ସେ ଇସ୍ତଫା ଦେଲେ ତାଙ୍କ ସ୍ଥାନରେ ଜଣଙ୍କୁ ରାଜ୍ୟସଭା ପଠାଇବ ବିଜେଡି।

ଡକ୍ଟର ସସ୍ମିତ ପାତ୍ର,ପ୍ରସନ୍ନ ଆଚାର୍ଯ୍ୟ

ବଢ଼ୁଛି ଆଶାୟୀଙ୍କ ଭିଡ,ଆଶଙ୍କାରେ ରାଜ୍ୟସଭା ପ୍ରାର୍ଥି
ଯଦି ପୂର୍ବ ଉଦାହରଣ ଅନୁସାରେ ବିଜେପିର କୌଣସି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଘୋଷଣା କରେ ତେବେ ଭିନ୍ନ ପରିଣାମ ମିଳିପାରେ। ତେବେ ବିଜେଡି ଭିତରେ ଏହି ଚାରି ରାଜ୍ୟସଭା ଆସନ ପାଇଁ ଦାବିଦାରଙ୍କ ସଂଖ୍ୟା ମଧ୍ୟ ଅନେକ। କଂଗ୍ରେସ ଓ ବିଜେପିରୁ ବିଜେଡିକୁ ଲମ୍ଫ ପ୍ରଦାନ କରିଥିବା ନେତା ମଧ୍ୟ ରାଜ୍ୟସଭା ପାଇଁ ଆଶାୟୀ ଅଛନ୍ତି।୨୦୧୯ ଲୋକସଭା ନିର୍ବାଚନରେ ଭୁବନେଶ୍ୱରରୁ ଲଢ଼ି ପରାସ୍ତ ହୋଇଥିବା ପୂର୍ବତନ ଆଇପିଏସ ଅଫିସର ଅରୂପ ପଟ୍ଟନାୟକ କଟକ ମେୟର ଟିକେଟରୁ ବଞ୍ଚିତ ହେଲା ପରେ  ରାଜ୍ୟସଭାରେ ଥଇଥାନ ହେବାକୁ ଆଶା ରଖିଥିବା କଥା ଚର୍ଚ୍ଚା ହେଉଛି।ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପ୍ରସନ୍ନ ପାଟ୍ଟଶାହାଣୀ  ଆଶା ରଖିଥାଇ ପାରନ୍ତି। ଏମାନଙ୍କ ବ୍ୟତୀତ ରାଜ୍ୟସଭା ଯିବା ପାଇଁ ଆହୁରି ଅନେକ ନେତା, ସମାଜସେବୀ ଓ ପୂର୍ବତନ ଅଫିସର ମଧ୍ୟ ଲବିରେ ଥାଇପାରନ୍ତି।ମାତ୍ର  କାହା ନାଁରେ ମୋହର ଲାଗିବ ତାହା କେବଳ ସମୟ କହିବ।