ଧାମନଗର ବିଧାୟକ ତଥା ଓଡ଼ିଶା ବିଧାନସଭାର ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେବାକୁ ଯାଉଛି। ନଭେମ୍ବର ୩ରେ ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଧାମନଗର ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ପ୍ରାର୍ଥୀ ଚୟନ ଓ ନିର୍ବାଚନ ପରିଚାଳନା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରାୟତଃ ସବୁ ଉପନିର୍ବାଚନରେ ବିଜେଡ଼ି ବାଜିମାତ୍ କରୁଥିଲା ବେଳେ ଏଥର କିନ୍ତୁ ଅନୁକମ୍ପା କାର୍ଡ ଖେଲିବାକୁ ଯାଉଛି ବିଜେପି। ବିଜେପି ଟିକେଟରେ ଧାମନଗର ଉପନିର୍ବାଚନ ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଏନେଇ ଏକପ୍ରକାର ନିଶ୍ଚିନ୍ତ ହୋଇସାରିଥିବା ବେଳେ କେବଳ ଦଳ ପକ୍ଷରୁ ଔପଚାରିକ ଘୋଷଣା ବାକି ରହିଛି। ବିଜେଡ଼ିର ରଣନୀତିକୁ ନେଇ ନେଇ ଏବେ ଚର୍ଚ୍ଚା ଚାଲିଛି। ବିଜେପିର ଆନୁଗତ୍ୟ କାର୍ଡକୁ ଟକ୍କର ଦେବାକୁ ନବୀନଙ୍କ ନୀତି କ’ଣ ରହିବ ତାହା ,ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ବାପଙ୍କ ଗଡ଼ ଜଗିବେ ପୁଅ!
ସେପ୍ଟେମ୍ବର ୧୯ରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା। ସେବେଠୁ ଏ ଆସନ ଖାଲି ପଡ଼ିଛି। ନଭେମ୍ବର ୬ ତାରିଖରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଥିବାବେଳେ ତିନି ପ୍ରମୁଖ ଦଳରୁ କିଏ ପ୍ରାର୍ଥୀ ହେବ ସେନେଇ କଳ୍ପନା ଜଳ୍ପନା ଲାଗିରହିଛି । ଏହାରି ଭିତରେ ବିଜେପି ପକ୍ଷରୁ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇ, ଦଳ ସହାନୁଭୂତିର ଭୋଟ ହାତେଇବାକୁ ରଣନୀତି କରିଥିବା ଅନୁମାନ କରାଯାଉଛି। କାରଣ ଉପନିର୍ବାଚନ ପୂର୍ବରୁ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ଭେଟୁଛନ୍ତି। ବାପାଙ୍କ ଦେହାନ୍ତ ପରେ ଏବେ ଗଡ଼ ସମ୍ଭାଳିବେ ବୋଲି ଅନୁମାନ କରାଯାଉଛି ।ସୁରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରି ବିଜେପି ଅନୁକମ୍ପା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ପାଥେୟ କରି ନିର୍ବାଚନ ପାର୍ ହେବାକୁ ଯୋଜନା କରିଛି। କଂଗ୍ରେସର ସ୍ଥିତି ଏତେଟା ସୁଦୃଢ଼ ନଥିଲା ବେଳେ ଗତ ନିର୍ବାଚନରେ ପର୍ଫମାନ୍ସ ଏତେଟା ଭଲ ନଥିବା ହେତୁ ଏ ମହାଲଢ଼େଇରେ ସେ ପଛରେ ରହିଯିବ ବୋଲି ରାଜନୈତୀକ ବିଶେଷଜ୍ଞଙ୍କ ମତ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା