ଓଡିଶାରେ ବିରୋଧିଙ୍କ ଅପରାଗତା,ଆସ୍ଥା ଜିତୁଛନ୍ତି ନବୀନ

ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ବିରୋଧି ଦଳ ତାର ଗୁରୁତ୍ତ୍ୱ ଓ ମହତ୍ତ୍ୱ ହରାଇବାରେ ଲାଗିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ବିଜୁ ଜନତା ଦଳ ବହୁ ପରିମାଣରେ ଲୋକଙ୍କ ଆସ୍ଥା ଜିତି ଚାଲିଛି। ଯଦିଓ ବିଗତ ନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ପଞ୍ଚାୟତ ନିର୍ବାଚନରେ କିଛିଟା ଆସନ ହାତେଇଥିଲା ଚଳିତ ନିର୍ବାଚନରେ କିନ୍ତୁ ବିରୋଧୀଙ୍କ ରାଜନୈତିକ ଅଙ୍କ କଶା ଭୁଲ୍ ପ୍ରମାଣିତ ହୋଇଛି। ରାଜ୍ୟରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ଅପାରଗତା ଯୋଗୁ ପଂଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ବିଜେଡି ଏକପାଖିଆ ସଫଳତା ହାସଲ କରିଛି । ବିଜେପି ଓ କଂଗ୍ରେସର ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନା, ପ୍ରାର୍ଥୀ ଚୟନରେ ତ୍ରୁଟି ଯୋଗୁ ଶାସକ ବିଜେଡିକୁ ଚଳିତ ପୌର ନିର୍ବାଚନରେ ଆଶାତୀତ ସଫଳତା ମିଳିଛି। ଦଳ ରାଜ୍ୟର ୩ଟି ପ୍ରମୁଖ ମହାନଗର ନିଗମ କଟକ,ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀକୁ ହାତେଇବା ସହ ଏସବୁ ସ୍ଥାନରେ ଥିବା ମୋଟ ୧୬୮ଟି ୱାର୍ଡ ମଧ୍ୟରୁ ବିଜେଡି ୮୨ଟିରେ ନିଜର ପ୍ରାର୍ଥୀଙ୍କୁ ଜିତାଇଛି ଓ ସବୁଠି ନିଜର ମହାନଗର ଗଢ଼ିବାକୁ ସକ୍ଷମ ହୋଇଛି।

କମୁଛି ବିରୋଧିଙ୍କ ଦବଦବା
ରାଜ୍ୟରେ ଧିରେଧିରେ ବିରୋଧି ଦଳର ଦବଦବା ହ୍ରାସ ପାଉଛି। ରାଜ୍ୟର ଅନ୍ୟ ୧୦୬ଟି ପୌର ପରିଷଦ ମଧ୍ୟରୁ ଧାମନଗରରେ ଗଣତି ହୋଇନଥିବାବେଳେ ୧୦୫ଟି ସ୍ଥାନର ଫଳାଫଳ ପ୍ରକାଶ ପାଇଛି। ସେଥିରେ ୭୩ଟି ପୌର ପରିଷଦ ଓ ଏନଏସିରେ ଅଧ୍ୟକ୍ଷ ପଦବୀ ବିଜେଡି ଦଖଲକୁ ଯାଇଥିବାବେଳେ ପଛରେ ରହିଯାଇଛନ୍ତି ବିରୋଧି । ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଆସନ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ଅଧ୍ୟକ୍ଷ ପଦବୀ ମିଳିଛି । ତେବେ ଏହି ୧୦୫ଟି ପୌର ଓ ବିଜ୍ଞାପିତ ପରିଷଦ ମଧ୍ୟରୁ ୯୫ଟି ପରିଷଦରେ ବିଜେଡିର କାଉନସିଲର ସଂଖ୍ୟା ଅଧିକ ରହିଛି ।କଂଗ୍ରେସର କେବଳ ୪ଟି, ବିଜେପି ୬ଟି ପରିଷଦରେ ନିଜର ଅଧିକ ସଂଖ୍ୟକ କାଉନସିଲର ଆଣିଥିବାବେଳେ ୩ଟି ପରିଷଦରେ ସ୍ୱାଧୀନ ପ୍ରାର୍ଥୀଙ୍କ ଦବଦବା ରହିଛି।

ନବୀନଙ୍କ ଆଗେ ବିରୋଧି ଫେଲ୍
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଗରେ ଫେଲ୍ ମାରୁଛନ୍ତି ବିରୋଧି। ପୌର ନିର୍ବାଚନରେ ଫଳାଫଳରୁ ମଧ୍ୟ ଏହା ସମ୍ପୁର୍ଣ୍ଣ ସ୍ପଷ୍ଟ ହୋଇଛି।ଗୁଣୁପୁର ଓ ଦଶପଲ୍ଲାରେ ସ୍ୱାଧୀନ ପ୍ରାର୍ଥୀଙ୍କ କବଜାରେ ଅଧ୍ୟକ୍ଷ ପଦବୀ ଥିବାବେଳେ ଏଠାରେ ଯଥାକ୍ରମେ ୧୯ରୁ ୧୧ଟି ଓ ୧୬ରୁ ୮ଟି କାଉନସିଲର ପଦବୀରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି କୋଟପାଡ଼, ଖରିଆଳ, କଣ୍ଟାବାଞ୍ଜି ଓ ଦିଗପହଣ୍ଡି ଏନଏସିରେ ଅଧିକାଂଶ କାଉନସିଲର ବିଜୟୀ ହୋଇଛନ୍ତି ।ପାରାଦୀପରେ ଅଧ୍ୟକ୍ଷ ପଦବୀ ବିଜେଡିକୁ ଯାଇଥିଲେ ମଧ୍ୟ ୧୯ରୁ ୮ଟିରେ ସ୍ୱାଧୀନ କାଉନସିଲ ଜିତିଛନ୍ତି । ବିଜେଡି ଏଠାରେ ୭ଟି ସଂଖ୍ୟା ସହ ଦ୍ୱିତୀୟ ସ୍ଥାନରେ ଓ ବିଜେପିକୁ ୩ଟିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ଖଡ଼ିଆଳରେ ୧୩ରୁ ୬ଟି, କୋଟପାଡ଼ରେ ୧୩ରୁ ୬ଟି, ଦିଗପହଣ୍ଡିରେ ୧୧ରୁ ୬ଟି ଓ କଂଟାବାଞ୍ଜିରେ ୧୬ରୁ ୧୦ଟି କାଉନସିଲ ପଦବୀରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୯୫ଟି ପୌର ଓ ବିଜ୍ଞାପିତ ପରିଷଦରେ ବିଜେଡିର କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତା ସହିତ ୯୫ଟିରୁ ୭୩ଟି ପରିଷଦରେ ବିଜେଡି ନିଜର ଅଧ୍ୟକ୍ଷଙ୍କୁ ଜିତାଇଆସ୍ଥା ଜିତିଛି। ଏହି ନିର୍ବାଚନରେ ବିରୋଧିଙ୍କ ପ୍ରଦର୍ଶନ ଓ ନେତୃତ୍ତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Connect With Us