ଅଟଳ ଗୋଟାଏ ଟଳୁ ନଥିବା ନାଁ,ହଜି ନ  ନ ଥିବା ରାହା,ଧିମୋଉ ନ ଥିବା ଧୈର୍ଯ୍ୟ ଗୋଟାଏ ଅସ୍ତ ହେଉ ନ ଥିବା ସୂର୍ଯ୍ୟ ।ଭାରତୀୟ ରାଜନୀତିରେ ଅଟଳ ବିହାରୀ ହେଉଛନ୍ତି ଏକ ଅପରିକଳ୍ପନୀୟ ବ୍ୟକ୍ତିତ୍ୱ। ଦଳ ମତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କର ପ୍ରିୟ। ତାଙ୍କ ଜୀବନରେ ଏମିତି ଅନେକ କିଛି ଘଟଣା ଘଟିଛି ଯାହା ଚିରକାଳ ପାଇଁ ସ୍ମରଣୀୟ ହୋଇ ରହି ଯାଇଛି। ସେ ଏମିତି ଏକ ନେତା ଯିଏ ନିଜ ବ୍ୟକ୍ତିତ୍ୱ ବଳରେ ବ୍ୟାପକ ସମର୍ଥନ ଓ ସମ୍ମାନ ହାସଲ କରିଥିଲେ। ବାଜପେୟୀ ୨୫ ଡିସେମ୍ବର ୧୯୨୪ ରେ ଗ୍ୱାଲିଅରର ସିନ୍ଦେକା ବାଡା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ କୃଷ୍ଣ ବିହାରୀ ବାଜପେୟୀ ଏବଂ ମାତାଙ୍କ ନାମ କୃଷ୍ଣ ବାଜପେୟୀ। ଆଜି ତାଙ୍କ ତିରୋଧାନ ଦିବସ ।୧୬ ଅଗଷ୍ଟ ୨୦୧୮ ରେ ଦିଲ୍ଲୀର AIIMS ରେ ସେ ମୃତ୍ୟୁ ବରଣ କରିଥିଲେ। ତଙ୍କର ନିଆରା ବ୍ୟକ୍ତିତ୍ୱ ପାଇଁ ସେ ଆଜିବି ସ୍ମରଣୀୟ।

ଆର୍ଯ୍ୟସମାଜର ସାଧାରଣ ସମ୍ପାଦକରୁ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା:ଜାଣନ୍ତୁ କିପରି ଥିଲା ଅଟଳଙ୍କ ରାଜନୈତୀକ ଯାତ୍ରା
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଛାତ୍ର ଜୀବନରୁ ହିଁ ରାଜନୀତି ସହ ସଂଶ୍ଳିଷ୍ଠ ଥିଲେ। ୧୫ ବର୍ଷ ବୟସରେ RSS ସହ ଯୋଡି ହୋଇଥିଲେ ଅଟଳ। ୧୯୪୨ ଆନ୍ଦୋଳନରେ ସଂଗ୍ରାମରେ ସେ ଜେଲ୍ ମଧ୍ୟ ଯାଇଛନ୍ତି।୧୯୪୪ ରେ ଗ୍ୱାଲିୟରରେ ଆର୍ଯ୍ୟସମାଜର ସାଧାରଣ ସମ୍ପାଦକ ଭାବେ ନିୟୋଜିତ ହୋଇ ତାଙ୍କର ରାଜନୈତୀକ ଜୀବନରେ ପ୍ରବେଶ କରିଥିଲେ। ୧୯୫୭ ରେ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ି ବଳରାମପୁର ଲୋକସଭା ଆସନରୁ ସେ ବିଜୟୀ ହୋଇଥିଲେ। ନ୍ୟାସନାଲ ଏମରେଜେନ୍ସିରେ ଆରେଷ୍ଟ ହୋଇ ଜେଲରୁ ଫେରିଲା ପରେ ୧୯୭୭ ନିର୍ବାଚନରେ ଜନତା ଦଳ ସରକାର ସମୟରେ ସେ ବୈଦେଶିକ ମନ୍ତ୍ରୀ ହୋଇଥିଲେ। ୧୯୮୦ ରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାରେ ସେ ଥିଲେ ମୁଖ୍ୟ ମଙ୍ଗଧାର। ୧୯୯୬, ୧୬  ମେ ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିଥିଳେ ଅଟଳ ମାତ୍ର ୧୩ ଦିନ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ୧୯୯୮ରେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଲା ପରେ ମେଣ୍ଟ ଭାଙ୍ଗିବା ହେତୁ ତାଙ୍କର କାର୍ଯ୍ୟକାଳ ପୁରା ହେବା ପୁର୍ବରୁ ସେ ଇସ୍ତଫା ଦେଇଥିଲେ। ୧୩ ଅକ୍ଟୋବର ୧୯୯୯ ରେ ପୁନଶ୍ଚ ପ୍ରଧାନମନ୍ତ୍ରୀ ପଦରେ ସେ ଅଧିଷ୍ଠିତ ହୋଇଥଲେ।

 ମୁହଁ ଦେଖାରେ କାଶ୍ମୀର ମାଗିଥିଲେ ସାମ୍ବାଦିକା:ଯୌତୁକରେ ପାକିସ୍ତାନ ମାଗିଲେ ଅଟଳ
 ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ଖୁବ୍ ଶାନ୍ତ ଓ ନମ୍ର ସ୍ୱଭାବର ଥିଲେ। ସେ କେବେ ବି କାହା ଉପରେ ରାଗୁ ନ ଥିଲେ ସତ, ମାତ୍ର ଏହାର ଅର୍ଥ ନୁହେଁ ଯେ ସେ କିଛି ନ କହି ଚୁପ ରହୁଥିଲେ। ସେ ଏମିତି ଉତ୍ତର ଦେଉଥିଲେ ଯେ ଯେ ସାମ୍ନା ଲୋକର ପାଟି ପୁରା ବନ୍ଦ ହୋଇ ଯାଉଥିଲା। ଏମିତି କିଛି ଘଟଣା ଅଛି ତାଙ୍କ ଜୀବନରେ  ଯାହାକୁ ନେଇ ସେ ବେଶ ଚର୍ଚ୍ଚାରେ ରହିଥିଲେ। ୧୬ ମାର୍ଚ୍ଚ ୧୯୯୯ ମସିହା ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥାଆନ୍ତି ଅଟଳ ବିହାରୀ ବାଚପେୟୀ। ସେତେବେଳେ ଭାରତ ଓ ପାକିସ୍ଥାନ ମଧ୍ୟରେ ବନ୍ଧୁତା ଗଢିବା ପାଇଁ ଓ ସେ ସମ୍ପର୍କରେ ଥିବା ତିକ୍ତତା ସୁଧାରିବା ପାଇଁ ସେ ଦୁଇ ଦେଶ ମଧ୍ୟରେ ବସ ସେବା ଆରମ୍ଭ କରିଥିଲେ ଆଉ ସେ ନିଜେ ସେ ବସରେ ବସି ଅମୃତଶରରୁ ଲାହୋର ଯାଇଥିଲେ। ରାଜ୍ୟପାଳ ଭବନରେ ସେ ଏମିତି ଭାଷଣ ଦେଇଥିଲେ ଯେ ପାକିସ୍ତାନର ରାଜନେତା ମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ। ଭାଷଣ ଶେଷରେ  ଏକ ରୋଚକ ଘଟଣା ଘଟିଥିଲା  ଯାହା ଏବେବି ଅଟଳଙ୍କୁ ମନେ ରଖିବା ପାଇଁ ବାଧ୍ୟ କରେ। ପାକିସ୍ତାନରଜଣେ ମହିଳା ସାମ୍ବାଦିକା ଅଟଳଙ୍କୁ କହିଥିଲେ  “ଆପଣ ଅବିବାହିତ ଅଛନ୍ତି ମୁଁ ଆପଣଙ୍କୁ ବିବାହ କରିବାକୁ ଚାଁହୁଛି, ହେଲେ ମତେ ମୁହଁ ଦେଖାରେ କାଶ୍ମୀର ଦରକାର।” ଆଉ କିଏ ହୋଇଥିଲେ ହୁଏତ ଏ କଥାକୁ ଆଡେଇ ଦେଇ ଥାଆନ୍ତେ। ମାତ୍ର ଅଟଳ  କହିଥିଲେ ଯେ “ମୁଁ ବିବାହ କରିବାକୁ ରାଜି ଅଛି ହେଲେ ମତେ ଯୌତୁକରେ ପୁରା ପାକିସ୍ତାନ ଦରକାର, କଣ ଦେଇ ପାରିବେ ଆପଣ?” ଏଭଳି ଉତ୍ତର ଶୁଣି ଚୁପ ହୋଇଯାଇଥିଲେ ମହିଳା ସାମ୍ବାଦିକା।ଏଭଳି ଅନେକ ଘଟଣା ଅଟଳଙ୍କ ଦାମ୍ଭିକତାର ପରିଚୟ ଦିଏ ।

ଅଟଳଙ୍କ ଟ୍ରାଜିକ୍ ଲଭ୍ ଷ୍ଟୋରୀ
ପ୍ରଚଣ୍ଡ ବ୍ୟକ୍ତିତ୍ୱଧାରୀ  ପ୍ରଧାନମନ୍ତ୍ରୀ ଅଟଳ ବୀହାରୀ ବାଜେପୟୀ ଅବିବାହିତ ରହିବା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ। ୧୯୪୦ ମସିହାରେ ଗ୍ୱାଲିଅରର ମହାରାଣୀ ଭିକ୍ଟୋରିଆ କଲେଜରେ ପଢ଼ୁଥିଲା ବେଳେ ସେ ରାଜକୁମାରୀ କୋୟଲଙ୍କ ପ୍ରେମରେ ପଡିଥିଲେ। ମୁହଁଖୋଲି ପ୍ରେମ ନିବେଦନ କରିବା ପରିବର୍ତ୍ତେ ଚିଠି ଲେଖି ଲାଇବ୍ରେରୀ ବହିରେ ରଖି ଉତ୍ତର ଅପେକ୍ଷାରେ ରହୁଥିଲେ। ମାତ୍ର ବିଡମ୍ବନା  ରାଜକୁମାରୀ କୋୟଲଙ୍କ କୌଣଷି ଚିଠି  ଅଟଳଙ୍କ ପାଖରେ ପହଞ୍ଚି ପାରିନଥିଲା।  ଲାଇବ୍ରେରୀରେ ହିଁ ଅଟକିଥିଲା ଅଟଳ ଓ ରାଜକୁମାରୀ ଲଭ୍ ଚାପ୍ଟର।  ରାଜକୁମାରୀଙ୍କ ପ୍ରେମପତ୍ର ନପାଇ ସେ ଭାବିନେଇଥିଲେ ଯେ ରାଜକୁମାରୀ ବୋଧହୁଏ ତାଙ୍କୁ ପସନ୍ଦ କରନ୍ତି ନାହିଁ ,ତାଙ୍କର ଏହି ଭୁଲ୍ ବୁଝାମଣା ହିଁ ଉଭୟଙ୍କ ମଧ୍ୟରେ ଦୁରତା ସୃଷ୍ଟି କରିଥିଲା। ଅଧ୍ୟାପକ ବ୍ରିଜନାରାୟଣଙ୍କ ସହ ରାଜକୁମାରୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସାମ୍ବାଦିକ କିଂଶୁକ ନାଗଙ୍କ ଆଲେଖ୍ୟ ସ୍ପଷ୍ଟ କରେ ଯେ ରାଜକୁମାରୀ ଏ ବାହାଘରରେ ସମ୍ମତି ପ୍ରକାଶ କରିନଥିଲେ ସୁଦ୍ଧା ତାଙ୍କ ବାପାଙ୍କ ଚାପରେ ବିବାହ କରିବାକୁ ବାଧ୍ୟ ହୋଇଥିଲେ।  ଅବଶ୍ୟ ପରେ ତାଙ୍କର  କନ୍ୟା ସନ୍ତାନ  ଜନ୍ମ ନେବା ସହ  ଉଭୟ ବୈବାହିକ ଜୀବନ ଅତୀବାହିତ କରିଥିଲେ।

ରାଜକୁମାରୀ କୋୟଲଙ୍କ ସହ ଅଟଳ

କ୍ୟାମ୍ପସର କ୍ୟାମ୍ପ ଫାୟାରରେ ହିଁ ତାଙ୍କ ପ୍ରେମ କାହାଣୀର ଆହୁତି ସରିଥିଲା। ମାତ୍ର ଅଛପା ପ୍ରେମକୁ ଛପେଇ ପାରିନଥିଲେ ଅଟଳ, ସଂସଦ ଭବନରେ ଥରେ ପ୍ରକମ୍ପିତ ହେଲା ଏକ ପ୍ରେମଭରା ଉକ୍ତି।  ମେଁ ଅବିବାହିତ୍ ଜରୁର୍ ହୁଁ,ଲେକିନ୍ କୁଆଁରା ନେହିଁ ହୁଁ। ଅଟଳଙ୍କ ପ୍ରେମ ମାନସାଙ୍କକୁ ପରଖିବା ପାଇଁ ଏ ଉକ୍ତି ହିଁ କାଫି ଥିଲା।  ଯାହା ତାଙ୍କୁ ଜଣେ ନୀରବ ପ୍ରେମିକର ପରିଚୟ ଦେଇଥିଲା।ତେବେ ଅଟଳ ଓ ରାଜକୁମାରୀଙ୍କ ମଧ୍ୟରେ  ଅତୀତରେ ଗଢ଼ିଉଠିଥିବା ପ୍ରେମ ସମ୍ପର୍କ ସମାଧି ନେଇ ବନ୍ଧୁତାର ସଜ୍ଞା  ସାଜିଥିଲ। ରାଜକୁମାରୀଙ୍କ ଝିଅ ନମିତା ଭଟ୍ଟାଚାର୍ଯ୍ୟଙ୍କୁ ଅଟଳ ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ତାଙ୍କର ସମସ୍ତ ଦାୟିତ୍ୱ ବହନ କରୁଥିଲେ।୨୦୧୪ରେ ରାଜକୁମାରୀଙ୍କ  ମୃତ୍ୟୁର ୪  ବର୍ଷ ପରେ  ୨୦୧୮ ମସିହାରେ ଅଟଳ ବିହାରୀ ବାଜପୟୀ ମଧ୍ୟ ମୃତ୍ୟୁବରଣ  କରିଥିଲେ। ଉଭୟଙ୍କ ମୃତ୍ୟୁ ପରେ ବିଭିନ୍ନ  ଗଣମାଧ୍ୟମରୁ  ଏ ଟ୍ରାଜିକ୍ ଲଭ୍ ଷ୍ଟୋରୀ ଉପରୁ ପରଦା ହଟିବା ସହ ଅଟଳଙ୍କ ଅବିବାହିତ ରହସ୍ୟ ପଦାକୁ ଆସିଥିଲା।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା