ଓଡ଼ିଶାର ପ୍ରାଚୀନ ଐତିହ୍ୟ ଧିରେଧିରେ ନିଜର ସ୍ୱତନ୍ତ୍ରତା ହରାଉଛି । ଏହି ଐତିହ୍ୟ ସ୍ଥଳୀ ଉପରେ ଗଢ଼ି ଉଠିଛି ସହରୀ କଲୋନୀ। ଜବରଦଖଲ ଜମି ଉପରେ ଗଢ଼ା ଯାଇଥିବା କୋଠା ଭିତରେ ହଜିବାରେ ଲାଗିଛି ଐତିହ୍ୟ। ସହରୀକରଣ ଯୋଗୁଁ ଧିରେଧିର ସଙ୍କୁଚିତ ହେବାରେ ଲାଗିଛି। ୧୯୫୦ ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ମୋଟ୍ ୫୬୨.୬୮୧ ଏକରର କଳିଙ୍ଗର ପୁରୁଣା ରାଜଧାନୀ ଶିଶୁପାଳଗଡ଼ ଐତିହ୍ୟ ସ୍ଥଳୀ ଏବେ ମାତ୍ର ୭୭୫ ଡିସିମିଲ ମଧ୍ୟରେ ସୀମିତ ହୋଇଥିବା ସୁଚନା ମିଳିଛି।
ସଂକୁଚିତ ହେଉଛି ଶିଶୁପାଳଗଡ଼
ସହରୀକରଣ ଯୋଗୁ କଳିଙ୍ଗର ପୁରୁଣା ରାଜଧାନୀ ଶିଶୁପାଳଗଡ଼ ଧିରେଧିରେ ସଙ୍କୁଚିତ ହେଉଛି। ମାଙ୍କଡ଼ା ପଥରର କେତେକ ଅର୍ଦ୍ଧ ଭଗ୍ନ ସ୍ତମ୍ଭହିଁ ପ୍ରମାଣ ସ୍ୱରୁପ ପଡ଼ି ରହିଛି। ଏପରିକି ଏହା ଯେ କଳିଙ୍ଗର ସେହି ପୁରୁଣା ରାଜଧାନୀ ତାହା ବିଶ୍ୱାସ କରିବା ମଧ୍ୟ କଷ୍ଟସାଧ୍ୟ। ଏଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଲାଗିଥିବା ଫଳକଟିକୁ ମଧ୍ୟ ନିଶ୍ଚିହ୍ନ ହୋଇ ସାରିଲାଣି। ଏହାର ଚାରିପଟ ଜମିକୁ ବହୁ ଲୋକ ବେଆଇନ ଭାବେ କିଣାବିକା କରି ଘର କରିସାରିଲେଣି।ସରକାରଙ୍କ ନୀରବତା ହିଁ ଏହାର ମୁଖ୍ୟ କାରଣ ପାଲଟିଛି। ତେବେ ଜବରଦଖଲ ବିରୋଧରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦାଏର କରାଯାଇଥିବା ମାମଲାର ବିଚାର କରି ଜବରଦଖଲ ଉଚ୍ଛେଦ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା ସରକାର ଚୁପ୍ କାହିଁକି?
ଶିଶୁପାଳଗଡ଼ ସମସ୍ୟାକୁ ନେଇ ସରକାରଙ୍କ ନୀରବତା ଚିନ୍ତାର କାରଣ ପାଲଟିଛି। ଯେତେହୁ ଏହା ଉତ୍କଳର ଐତିହ୍ୟ ତେଣୁ କେନ୍ଦ୍ରୀୟ ସଂସ୍ଥା ଅପେକ୍ଷା ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର ନିଜେ ଅଧିକ ତତ୍ପର ହେବାର ଆବଶ୍ୟକତା ରହିଛି। ଶିଶୁପାଳଗଡ଼ର ସୁରକ୍ଷା ଓ ଐତିହ୍ୟ ରକ୍ଷା ସଂପୂର୍ଣ୍ଣ ଉପରେ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତି ରାଜ୍ୟ ନିଜର ଐତିହ୍ୟ ଆଇନ୍ ପ୍ରସ୍ତୁତ କରି ପାରିବେ। ଆସାମ ସରକାର ଐତିହ୍ୟ ଆଇନ୍ ପ୍ରଣୟନ କରିଥିବା ବେଳେ ଓଡ଼ିଶା ସରକାର ଏ ଦିଗରେ କାହିଁକି ତତ୍ପରତା ପ୍ରକାଶ କରୁ ନାହାନ୍ତି ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ ପାଲଟିଛି।