ଶ୍ରୀମନ୍ଦିର ରୋଷ ଶାଳାର ଚୁଲି ଭଙ୍ଗା ଘଟଣାରେ ବିବାଦ ଦିନକୁ ଦିନ ତୀବ୍ର ହେଉଛି। ଭକ୍ତଙ୍କ ଭାବାବେଗକୁ ନେଇ ଖେଳ ଖେଳାଯାଉଛି। ସଂସଦରେ ଶ୍ରୀମନ୍ଦିରର ଖନନ କାର୍ଯ୍ୟକୁ ନେଇ ପିନାକୀ ମିଶ୍ର ଓ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ କଥା କଟାକଟି ହେବା ପରେ ପୁଣି ଏକ ନୁଆ ସମସ୍ୟାକୁ ନେଇ ରାଜନୈତୀକ ଆରୋପ ପ୍ରତ୍ୟାରୋପ ଚାଲିଛି। ଗୋଟିଏ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ନାଁରେ ସରକାର ଅହେତୁକ ତତ୍ପରତା ଦେଖାଉଥିବା ଆଲୋଚନା ହେଉଥିଲା ବେଳେ ମନ୍ଦିର ଅଭ୍ୟନ୍ତରରେ ଏଭଳି ଅଘଟଣ ଘଟିବା ସମ୍ପୁର୍ଣ୍ଣ ଅବ୍ୟବସ୍ଥାର ଛବି ପଦାକୁ ଆଣୁଛି।

କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର

କଂଗ୍ରେସର ଅଭିଯୋଗ, ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଭଙ୍ଗାଯାଇଛି କି ଚୁଲି?
ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭଙ୍ଗା ରାଜ୍ୟ ସରକାରଙ୍କ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କଂଗ୍ରେସ୍ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ରାଜ୍ୟ ସରକାର ଓ ସରକାରୀ ବାବୁମାନେ ଚୁଲି ଭଙ୍ଗା କାର୍ଯ୍ୟକ୍ରମ କରିଥାଇ ପାରନ୍ତି। କଂଗ୍ରେସ ଏପରି ଗୁରୁତର ଅଭିଯୋଗ ଆଣିଛି। ଯେଉଁମାନେ ଚୁଲି ଭଙ୍ଗାରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ଦାବି କରିଛି।
କାହା ଦାୟିତ୍ୱରେ ଥିଲା ରୋଷଘର?
ଚୁଲି ଭଙ୍ଗା ଘଟଣା ପାଇଁ ଦାୟୀ କିଏ? କାହା ଦାୟିତ୍ୱରେ ଥିଲା ରୋଷଘର? ସେମାନଙ୍କ ପ୍ରତି ସରକାର କଣ ପଦକ୍ଷେପ ନେଇଛନ୍ତି?ଏପରି ଅନେକ ପ୍ରଶ୍ନ ଏବେ ଜଗନ୍ନାଥ ପ୍ରେମୀଙ୍କୁ ବିଚଳିତ କରିଛି।ଗଣମାଧ୍ୟମକୁ ସୂଚନା ଦେଇ, ମୁଖ୍ୟ ସଚିବ ଓ ଡିଜିପି ଯେମିତି ତତ୍ପରତା ଦେଖାଇଲେ, ପୂର୍ବରୁ କାହିଁକି ଦେଖାଇଲେନି? ପୂର୍ବରୁ ଯଦି ସେମାନେ ତତ୍ପରତା ଦେଖାଇଥାଆନ୍ତେ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥାଆନ୍ତେ, ତାହାହେଲେ ଏଭଳି ଅଘଟଣ ଘଟି ନଥାଆନ୍ତା। ଏହା ସରକାରଙ୍କ ଉଦାସୀନତାକୁ ସ୍ପଷ୍ଟ କରୁଛି । ଏହାକୁ ଯେଉଁଭଳି ଭାବେ ଗମ୍ଭିରତାର ସହ ନେବା କଥା,ତାହା ହୋଇନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଖନନକୁ ନେଇ ରାଜ୍ୟ ସରକାର ବିଧାନସଭାରୁ ଲୋକସଭା ପର୍ଯ୍ୟନ୍ତ ଅପଦସ୍ତ ହୋଇଥିବାରୁ ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଚୁଲି ଭଙ୍ଗାଯାଇଥାଇ ପାରେ  ବୋଲି ସନ୍ଦେହ ପ୍ରକଟ ହେଉଛି।