ଟ୍ୟୁନ୍ ସମାନ,ଭାଷା ଭିନ୍ନ।ତଥାପି ଶ୍ରୋତାଙ୍କୁ କିମିଆ କରୁଛି ରଙ୍ଗବତୀ।ସତେ ଯେମିତି ରଙ୍ଗବତୀ ସହ ବିଶ୍ୱର କୋଟି କୋଟି ସଙ୍ଗୀତପ୍ରେମୀଙ୍କ ରହିଛି ଭାବଗତ ସଂପର୍କ।ବଙ୍ଗଳା ସିନେମା‘ଗୋତ୍ର’ରେ ସ୍ଥାନ ପାଇଛି ରଙ୍ଗବତୀ ଗୀତ।ଏହି ଗୀତ ମାଧ୍ୟମରେ ଫିଲ୍ମରେ ଦର୍ଶାଯାଇଛି ଓଡ଼ିଶା ଓ ବଙ୍ଗଳାର ସାଂସ୍କୃତିକ ସାମଞ୍ଜସ୍ୟକୁ।ଫିଲ୍ମ ରିଲିଜ୍ ପୁର୍ବରୁ ସୋସିଆଲ ମିଡିଆରେ ଶ୍ରୋତାଙ୍କ ହୃଦୟ ଜିଣି ସାରିଲାଣି ରଙ୍ଗବତୀ।ୟୁ-ଟ୍ୟୁବରେ ଗୋତ୍ର’ର ରଙ୍ଗବତୀ ୯ଦିନରେ ପ୍ରାୟ ସାଢ଼େ ୬ ଲକ୍ଷ ଭିୟୁ ହେଲାଣି।
ମିତ୍ରଭାନୁ ଗଉନ୍ତିଆର କଥା, ପ୍ରଭୂଦତ୍ତ ପ୍ରଧାନ କରିଲୋ ସୁର
ଏତେ ସୁନ୍ଦୋର ଗୀତୋ ତୋମାର ଭାଷାୟେ ଶୁନାବୋ ନା କି ଗୋ
ଏହି ସଂଳାପ ସହିତ ବଙ୍ଗାଳୀ ଫିଲ୍ମ ଗୋତ୍ରରେ ଆରମ୍ଭ ହୋଇଛି ଏ…ରଙ୍ଗବତୀ …ରେ ରଙ୍ଗବତୀ ବଙ୍ଗଳା ସିନେମା ଗୋତ୍ରରେ ରଙ୍ଗବତୀ ଗୀତ ସହ ୪ମିନିଟ ୯ସେକେଣ୍ଡର ଏକ ନୃତ୍ୟ ସଂଯୋଜନା ହୋଇଛି।ନୃତ୍ୟରେ ଘୋଡ଼ାନାଚ,ଛଉ ସହ ଢୋଲ,ନିସାନ,ତାସା ଧରି ଦୁଲୁକାଇ ଦେଉଛନ୍ତି କଳାକାର।ସମ୍ବଲପୁରୀ କଷ୍ଟ୍ୟୁମ ସହ ନୃତ୍ୟଶିଳ୍ପୀଙ୍କ ରଙ୍ଗବତୀ ନୃତ୍ୟ ସୋସିଆଲ ମିଡିଆରେ ଦର୍ଶକଙ୍କ ଦିଲ୍ ଜିତିପାରିଛି।
ବଙ୍ଗଳା ସିନେମା“ଗୋତ୍ର”ରେ ରଙ୍ଗବତୀକୁ ସ୍ଥାନିତ କରିଛନ୍ତି ଓଡ଼ିଆ ପ୍ରଯୋଜକ ଅକ୍ଷୟ ପରିଜା।ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶିବପ୍ରସାଦ ମୁଖାର୍ଜୀ।ରଙ୍ଗବତୀ ଡ୍ୟାନ୍ସର ସୁଟିଂ ପାଇଁ କୋଣାର୍କର ଚନ୍ଦ୍ରଭାଗା ସମୁଦ୍ର ବାଲିରେ ଏକ ସେଟ୍ ଡିଜାଇନ୍ କରାଯାଇଥିଲା।ଫିଲ୍ମରେ ରଙ୍ଗବତୀର ମୌଳିକତା ଅକ୍ଷୁର୍ଣ ରଖିଥିବାରୁ ଧନ୍ୟବାଦ ଜଣାଇଛନ୍ତି ମୁଳ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ।ଗୋତ୍ର ଫିଲ୍ମରେ ରଙ୍ଗବତୀର ମୌଳିକତା ନଷ୍ଟ ନକରି ବିଶ୍ୱ ଦରବାରରେ ଏହାର ପ୍ରଚାର ପ୍ରସାର ପାଇଁ ଚେଷ୍ଟା ହୋଇଥିବାରୁ ଖୁସି ଲାଗୁଛି ବୋଲି କହିଛନ୍ତି ଜିତେନ୍ଦ୍ର ହରିପାଲ।
ଗୋତ୍ରର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ମତରେ ଫିଲ୍ମରେ ଗୀତଟିକୁ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ,କ୍ରିଷ୍ଣା ପଟେଲ,ମିତ୍ରଭାନୁ ଗୌନ୍ତିଆ ଏବଂ ପ୍ରଭୁଦତ୍ତ ପ୍ରଧାନଙ୍କୁ ଉତ୍ସର୍ଗ କରାଯାଇଛି।ରଙ୍ଗବତୀର ମୌଳିକତାକୁ ଅକ୍ଷୁର୍ଣ ରଖାଯାଇ ବଙ୍ଗାଳୀ ଭାଷାରେ ନୂଆ ରୂପ ଦିଆଯାଇଛି।ପୂର୍ବରୁ ହିନ୍ଦୀ ସିନେମା‘କୌନ କିତନେ ପାନି ମେଁ”ରେ ରଙ୍ଗବତୀକୁ ସୁନ୍ଦର ଢ଼ଙ୍ଗରେ ଉପସ୍ଥାପନ କରାଯାଇଥିଲା।ତେଲୁଗୁ ଓ ତାମିଲ ସିନେମାର ମଧ୍ୟ ରଙ୍ଗବତୀ ଗୀତର ପ୍ରୟୋଗ ଆଗରୁ ହୋଇଛି।