ଆଉ ଶୁଣିବାକୁ ମିଳିବନି ଚାଟଶାଳୀର ଅବଧାନଙ୍କ ଭବିଷ୍ୟତ ଗଠନର ମନ୍ତ୍ର।ଆଧୁନିକତାର ଛିଟାରେ ଆଉ ବାରିହେବନି ପାରମ୍ପରିକ ଶିକ୍ଷାର ପାଦଚିହ୍ନ।ଦେଖିବାକୁ ମିଳିବନି ଶତାୟୁ ଶିକ୍ଷକଙ୍କ ସଂଙ୍ଘର୍ଷ,ବଢ଼ିବନି ଚାଟଶାଳୀର ଆୟୁଷ।ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା  ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି,ସମ୍ମାନୀୟ ନନ୍ଦ ସାରଙ୍କ ଦେହାନ୍ତ ହୋଇଛି।ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।

ଚାଟଶାଳୀରୁ ପଦ୍ମଶ୍ରୀ
ନନ୍ଦ ସାର୍ କରୋନା ଆକ୍ରାନ୍ତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  ହୋଇଥିଲେ।ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ  କଳିଙ୍ଗ ନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ଚାଟଶାଳୀର ଚର୍ଚିତ ଚେହେରାରୁ ଚୟନ ହୋଇଥିଲା ପଦ୍ମଶ୍ରୀର ଉପହାର ମାଳ।ଜୀବନ ବ୍ୟାପୀ ସାଧନା ପାଇଁ ଯାଜପୁର ସୁକିନ୍ଦାବ୍ଲକ୍ ବର୍ତ୍ତଣ୍ଡା ପଞ୍ଚାୟତ କନ୍ତିରା ଗାଁର ପ୍ରେରଣା, ପ୍ରଣମ୍ୟ ନନ୍ଦ ସାର୍‌ଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ଚାଟଶାଳୀରେ ୮୨ ବର୍ଷ ଧରି ଶିଶୁମାନଙ୍କୁ ମାଗଣା ଶିକ୍ଷା ଦେଇ ଆସୁଥିଲେ।।୧୦୪ ବର୍ଷରେ ମଧ୍ୟ ସେ ପାଠ ପଢ଼ାଉ ଥିଲେ। ପରିଣତ ବୟସରେ ବି ସେ ଶିକ୍ଷାଦାନର ପ୍ରକୃତ୍ତି ପରିତ୍ୟାଗ କରିନଥିଲେ।ସାର୍ ତାଙ୍କ ଜୀବନକାଳ ଭିତରେ ଅନେକ ମଣିଷ ଗଢ଼ିଛନ୍ତି ।ସାରଙ୍କ ଜୀବନ ଯାପନ ଶୈଳୀ ଅତ୍ୟନ୍ତ ସରଳ।ନନ୍ଦ ସାର୍‌ ପିଲାମାନଙ୍କୁ ଆଗ୍ରହର ସହ ପାଠ ପଢ଼ାଉଥିଲେ।ସବୁଠୁ ବଡ଼ କଥା ହେଉଛି ଘରୋଇ ସ୍କୁଲର ପ୍ରାଥମିକତା ସତ୍ତ୍ୱେ ମଧ୍ୟ ନନ୍ଦ ସାରଙ୍କ ଚାଟଶାଳୀର ଚାହିଦା ରହିଥିଲା। ତାଙ୍କର ବିୟୋଗ ରାଜ୍ୟ ପାଇଁ ଏକ ଅପୁରଣୀୟ କ୍ଷତି।