ନ୍ୟୁଜ୍/ ପଲିଟିକ୍ସ

ପାର୍ଟି ନା ମାଟି : ଅଡ଼ୁଆରେ ରାଜ୍ୟ କଂଗ୍ରେସ ବିଧାୟକ ଓ ସାଂସଦ

ଓଡ଼ିଶାର ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ  NDA ରାଷ୍ଟ୍ରପତି ପ୍ରାର୍ଥୀ କରିଛି। NDA ବିରୁଦ୍ଧରେ ଯାଇ ଅନ୍ୟ ପ୍ରାର୍ଥିଙ୍କୁ ସମର୍ଥନ କରୁଛି କଂଗ୍ରେସ। ବିରୋଧୀ ଦଳ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇ ସମର୍ଥନ ଯୋଗାଡ କରୁଛି କଂଗ୍ରେସ। ଏ ପରିସ୍ଥିତି ବର୍ତ୍ତମାନ ଓଡିଶା କଂଗ୍ରେସର ନେତାଙ୍କୁ ଅଡୁଆରେ ପକାଇଛି। ଦଳ  ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଥିଲା ବେଳେ ଦଳ ବିରୁଦ୍ଧରେ ପ୍ରାର୍ଥି ହୋଇଛନ୍ତି ମାଟିର ନେତା ଦ୍ରୌପଦୀ ମୁର୍ମୁ। ଦଳ ନିଷ୍ପତ୍ତିକୁ ସମ୍ମାନ ଦେଇ ମାଟି ବିରୋଧି ହେବେ କି ମାଟିର ନେତାକୁ ସମର୍ଥନ କରି ଦଳୀୟ ନିଷ୍ପତ୍ତିକୁ ଅବମାନନା କରିବେ ତାକୁ ନେଇ କଂଗ୍ରେସ ନେତା ଏବେ  ଅଡୁଆରେ।

ପାର୍ଟି ନା ମାଟି !
ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ପାର୍ଟି ଓ ମାଟିର ପ୍ରସଙ୍ଗରେ ସମାଲୋଚନାର ଶରବ୍ୟ ଭିତରେ କଂଗ୍ରେସ ବିଧାୟକ ଓ ସାଂସଦ। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବ। ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥି କରି ଓଡିଶାର ନେତୃତ୍ୱକୁ ଅଗ୍ରାଧିକାର ଦେଇଛନ୍ତି ମୋଦୀ। ଦ୍ରୌପଦୀଙ୍କ ବିଜୟ ଓଡ଼ିଶା ଇତିହାସରେ ଏକ ନୂଆ ରେକର୍ଡ ଆଣିଦେବ।ପ୍ର ଥମ କରି ଜଣେ ଜନଜାତି ସମ୍ପ୍ରଦାୟର ଓଡ଼ିଆ ମହିଳା ଭାବେ ସେ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବେ। ଓଡ଼ିଶାର ପ୍ରଥମ ମହିଳା ନେତୃତ୍ୱଭାବେ ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତାର ଅଧିକାରିଣୀ ହେବେ। ବିଜେଡି ମଧ୍ୟ ଆଞ୍ଚଳିକତା ଦୃଷ୍ଟିରୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିସାରିଛି। ଏପରିକି ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ୍ ମାଧ୍ୟମରେ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦଙ୍କ ସମର୍ଥନ ନିମନ୍ତେ ସହଯୋଗ ମାଗିଛନ୍ତି। ଏସବୁ ପରେ ଦ୍ୱନ୍ଦ୍ୱରେ ପଡିଯାଇଛି ରାଜ୍ୟ କଂଗ୍ରେସ। କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଆଗ ପାର୍ଟି ତା ପରେ ମାଟି। ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ସୁଦ୍ଧା ଭୋଟ୍ ଦେଇନପାରନ୍ତି ବୋଲି କହିଛନ୍ତି। ଯଶୱନ୍ତ ସିହ୍ନାଙ୍କୁ ଜିତାଇବା ପାଇଁ ଦଳ ନିଷ୍ପତ୍ତି ନେଇଛି। ଓଡ଼ିଆ ହେଲେ ବି ପାର୍ଟି କଥା ଶୁଣିବେ ବୋଲି ସୁର ରାଉରତାୟ କହିଛନ୍ତି।ଏ ନିଷ୍ପତିକୁ ଜନସାଧାରଣ ଏତେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏପରି ନିଷ୍ପତ୍ତି ଓଡିଶା କଂଗ୍ରେସ ପାଇଁ  ସମାଲୋଚନାର ସୁଅ ଆଣିପାରେ ବୋଲି ଚର୍ଚ୍ଚା ହେଉଛି।

କଳଙ୍କ ମୁଣ୍ଡାଇବନି ତ ରାଜ୍ୟ କଂଗ୍ରେସ..
ଇଲକ୍ଟୋରାଲ କଲେଜ ଦ୍ୱାରା ଦେଶର ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି। ଇଲକ୍ଟୋରାଲ କଲେଜର ମୋଟ ସଦସ୍ୟ ୪,୮୦୯। ୭୭୬ ସାଂସଦ ଓ ୪,୦୩୩ ବିଧାୟକ ଭୋଟ ଦେବେ। ପୂର୍ବାନୁମାନ ଅନୁସାରେ ଏନଡିଏ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ୧.୨% ଭୋଟ୍ ନିଅଣ୍ଟ ରହିଥିଲା। ମାତ୍ର ବିଜେପି ମହିଳା ଓ ଆଦିବାସୀ କାର୍ଡ ଖେଳିଲାପରେ କିଛି ବିରୋଧୀ ନିଜ ଆଭିମୁଖ୍ୟ ବଦଳାଇଛନ୍ତି। BSP, DMK ,JDU ଆଦି NDAପ୍ରାର୍ଥିଙ୍କୁ ବିରୋଧ କରୁଥିଲେ ସୁଦ୍ଧା ମହିଳା ଓ ଆଦିବାସୀ ବିରୋଧି ଆଭିମୁଖ୍ୟ ଦେଖାଇ ପାରିବେ ନାହିଁ JDUମୁଖ୍ୟ ନୀତିଶ କୁମାର ବାଧ୍ୟ ହୋଇ ସମର୍ଥନ ଘୋଷଣା କରିଛନ୍ତି।  ବିଜେଡି ମଧ୍ୟ ପୂର୍ଣ୍ଣ ସମର୍ଥନ ଯୋଗାଇ ଦେବା ପରେ ମୁର୍ମୁଙ୍କ ବିଜୟ ଏକପ୍ରକାର ସୁନିଶ୍ଚିନ୍ତ ହୋଇଯାଇଛି। ଏପରି ସ୍ଥଳେ ଓଡିଶା କଂଗ୍ରେସର ଜଣେ ସାଂସଦ (ସପ୍ତଗିରି ଶଙ୍କର ଉଲକା,କୋରାପୁଟ  )ଓ ନଅ ଜଣ ବିଧାୟକଙ୍କୁ ମିଶାଇ ଭୋଟ୍ ମୁଲ୍ୟ ରହିଛି ୨୦୪୬।ଓଡିଶାର କୌଣସି କଂଗ୍ରେସ ନେତା ଦ୍ରୌପଦୀଙ୍କୁ ସମର୍ଥନ ନ କଲେ ସୁଦ୍ଧା ସେ ଜିତିବା ସୁନିଶ୍ଚିନ୍ତ। ତେବେ ଏପରି ସ୍ଥଳେ ରାଜ୍ୟ କଂଗ୍ରେସ ଯଦି ମାଟିର ନେତାଙ୍କୁ ସମର୍ଥନ ନ କରେ ତେବେ ରାଜ୍ୟ କଂଗ୍ରେସ ମାଟି,ମହିଳା ଓ ଆଦିବାସୀ ବିରୋଧି ବୋଲି ପ୍ରମାଣିତ ହେବ । ଆଞ୍ଚଳିକ ଭାବାବେଗ ମଧ୍ୟ ରାଜନୀତିରେ ରାଜ୍ୟ କଂଗ୍ରେସକୁ ପ୍ରଭାବିତ କରିବ। ଦ୍ରୌପଦୀଙ୍କୁ ସମର୍ଥନ ନ କରି ମାଟି ବିରୋଧୀ ହେବାର କଳଙ୍କ ରାଜ୍ୟ କଂଗ୍ରେସକୁ ମୁଣ୍ଡାଇବାକୁ ପଡିପାରେ।

ଏ ଷ୍ଟୋରୀ ଲେଖିଛନ୍ତି -ରଶ୍ମିତା ବେହେରା

You Might Also Like

No Comments

Leave a Reply