ବର୍ତ୍ତମାନର ରାଷ୍ଟପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ। ବିରୋଧିଗୋଷ୍ଠି ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥି କରିଥିଲା ବେଳେ NDA ତରଫରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁ ପ୍ରାର୍ଥି ହୋଇଛନ୍ତି। ଆପାତତଃ ସିଏ ହିଁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବେ। ଯଦି ଏହା ସତ ହୁଏ ତେବେ ଓଡ଼ିଶାରୁ ଆଉ ଜଣେ ନେତା ରାଷ୍ଟ୍ରପତି ସାଜି ରେକର୍ଡ କରିବେ। ଦେଶର ଚତୁର୍ଥ ରାଷ୍ଟ୍ରପତି ବରାହଗିରି ଭେଙ୍କଟ ଗିରି ଅର୍ଥାତ୍ ଭି.ଭି.ଗିରି ପ୍ରଥମ ଓଡିଆା ଭାବେ ରାଷ୍ଟ୍ରପତି ସାଜି ରେକର୍ଡ କରିଥିଲେ। ତାଙ୍କର ଜନ୍ମ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବହ୍ମପୁର ସହରରେ। ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ହେବା ଆଗରୁ ୩ଟି ରାଜ୍ୟର ଗଭର୍ଣ୍ଣର ଭାବେ କ୍ୟାରିୟର୍ କରିଥିଲେ।ପ୍ରଥମେ ୧୯୫୬ ଜୁନରୁ ଉତ୍ତପ୍ରଦେଶରେ ୪ବର୍ଷ ରାଜ୍ୟପାଳ।ପରେ ୧୯୬୦ରୁ ୫ବର୍ଷ କେରଳ ରାଜ୍ୟପାଳ ହୋଇଥିଲେ।
ଫେଲ୍ ମାରିଛି ଆମେରିକା,ମାତ୍ର ସଫଳ ହୋଇଛି ଭାରତ
ବିଶ୍ୱର ସର୍ବପ୍ରଥମ ଗଣତାନ୍ତ୍ରୀକ ରାଷ୍ଟ୍ର ଆମେରିକା ନାରୀ ନେତୃତ୍ତ୍ୱକୁ ରାଷ୍ଟ୍ରପତି କରାଇବାରେ ଫେଲ୍ ହୋଇଛି। ୨୦୧୬ ରେ ରାଷ୍ଟ୍ରପତି ରେସରେ ଥାଇ ଲଢୁଥିବା ହିଲାରୀ କ୍ଲୀଣ୍ଟନ୍ ପରାସ୍ତ ହୋଇଥିଲେ। ବାଜିମାତ୍ କରିଥିଲେ ଡୋନାଲ୍ଡ ଟ୍ରମ୍ପ। ଆମେରୀକା ଏଯାବତ୍ କୌଣସି ମହିଳାଙ୍କୁ ସର୍ବୋଚ୍ଚ ଆସନରେ ବସାଇ ପାରିନାହିଁ। ମାତ୍ର ଦେଶର ସର୍ବବୃହତ ଗଣତାନ୍ତ୍ରୀକ ରାଷ୍ଟ୍ର ଭାରତରେ ଏହା ସମ୍ଭବ ହୋଇଛି। ୨୦୦୭ରେ ପ୍ରତିଭାଦେବୀ ସିଂ ପାଟିଲଙ୍କୁ ପ୍ରଥମ ମହିଳା ରାଷ୍ଟ୍ରପତି କରିବା ପରେ ଏବେ ପୁଣି ଥରେ ଇତିହାସ ଦୋହରାଇବାକୁ ଯାଉଛି। ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ସର୍ବବୃହତ ପଦବୀ ଅଳଙ୍କୃତ କରିବାକୁ ଯାଉଛନ୍ତି।
ଦ୍ରୌପଦୀ ମୁର୍ମୁ,ଯଶୱନ୍ତ ସିହ୍ନା
ସିହ୍ନାଙ୍କୁ ଟକ୍କର ଦେବେ ଦ୍ରୌପଦୀ
ବିରୋଧି ପକ୍ଷରୁ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ୮୪ ବର୍ଷୀୟ ସିହ୍ନା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅର୍ଥ ଓ ବୈଦେଶିକ ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ। ସେ ଜଣେ ଅଭିଜ୍ଞ ରାଜନେତା ହୋଇଥିବାରୁ ବିରୋଧୀ ମେଣ୍ଟ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ୧୯ ଦଳ ସହମତି କରିଛନ୍ତି। ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ଦ୍ରୌପଦୀ ଜୟଲାଭ କରିବା ଅନୁମାନ କରାଯାଉଥିଲେ ସୁଦ୍ଧା କଡା ଲଢ଼େଇ ବି ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ମୋଦୀଙ୍କ ମାଷ୍ଟରମାଇଣ୍ଡ:ବାଧ୍ୟହେବ ବିଜେଡି
ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଆ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବିଜେଡି। ସେ ପ୍ରଥମ ଓଡ଼ିଆ ମହିଳା ଭାବେ ରାଜ୍ୟପାଳ ଦାୟିତ୍ୱ ନିର୍ବାହ କରିଥିଲେ। ମୟୂରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୋପଦୀ ମୁର୍ମୁଙ୍କୁ ଜୁନ ୨୦୧୫ରେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।ଜଣେ ଓଡ଼ିଆ ନେତ୍ରୀ ଭାବେ ତାଙ୍କ ରେକର୍ଡ ଓଡିଶାକୁ ଗର୍ବିତ କରିଛି। ଦ୍ରୌପଦୀ ଓଡ଼ିଶାର ହୋଇଥିବାରୁ ଆଞ୍ଚଳିକତା ଦୃଷ୍ଟିରୁ ନବୀନ ତାଙ୍କୁ ସମର୍ଥନ କରିବେ।ମୋଦୀଙ୍କ ମାଷ୍ଟରମାଇଣ୍ଡ ପ୍ଲାନ୍ ଯୋଗୁଁ ଦେଶ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ପାଇବା ସହିତ ଓଡିଶାର ପ୍ରଥମ ଆଦିବାସୀ ମହିଲା ସର୍ବୋଚ୍ଚ ଆସନରେ ବସିବେ। ଦ୍ରୌପଦୀଙ୍କୁ ଗୁରୁତ୍ତ୍ୱ ଦେଇ ସରକାର ଏହା ପ୍ରମାଣ କରିଛନ୍ତି ଭାରତର ରାଜନୀତିରେ କେବଳ ସମ୍ଭ୍ରାନ୍ତ ଶ୍ରେଣୀଙ୍କ ପାଇଁ ନୁହେ ବରଂ ସଂଘର୍ଷମୟ ବ୍ୟକ୍ତିଙ୍କ ପାଇଁ ମଧ୍ୟ ସ୍ଥାନ ରହିଛି। ଦ୍ରୌପଦୀ ମୁର୍ମୁଙ୍କୁ ଏ ଗୁରୁତ୍ତ୍ୱ ସମ୍ବେଦନଶୀଳତା ନୁହେଁ ବରଂ ସେ ଉଚ୍ଚଶିକ୍ଷିତା, ଦକ୍ଷ ଓ ସଫଳ ଜନପ୍ରତିନିଧି ହୋଇଥିବାରୁ ଏହା ତାଙ୍କୁ ଉଚିତ ସମ୍ମାନ।