JAGANNATH MANDIR

ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ନେଇ ଅନେକ ରୋଚକ ତଥ୍ୟ ଲୁଚିରହିଛି ।ଆଧ୍ୟାତ୍ମିକତାବାଦର ସେ ଏକ ଅପୁର୍ବ ନିଦର୍ଶନ।  ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ରହସ୍ୟର ସମନ୍ୱୟ। ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରର ଅନେକ ରହସ୍ୟ ଓ କିମ୍ବଦନ୍ତୀ ରହିଛି। ଯେଉଁ ରହସ୍ୟ ଓ କିମ୍ବଦନ୍ତୀକୁ ଲୋକ ଲୋଚନକୁ ଆଣିବାକୁ ଅହରହ ଗବେଷଣା ଚାଲିଛି।ଏବେବି ଅନେକ ରହସ୍ୟ ନଜର ଆଢ଼ୁଆଳରେ ଆତ୍ମଗୋପନ କରିଛି।ଯାହା ଜାଣିବାକୁ ଭକ୍ତଙ୍କ ମନରେ କୌତୁହଳ ପ୍ରକାଶ ପାଏ।

ଭୋଗମଣ୍ଡପର ଶୀର୍ଷରେ ହଣ୍ଡା ଓ ବାଲ୍ଟି କାହିଁକି?
ଶ୍ରୀମନ୍ଦିର ଭୋଗମଣ୍ଡପକୁ ନେଇ  ଏକ ରହସ୍ୟ ଓ କିମ୍ବଦନ୍ତୀ ରହିଛି ।ଭୋଗମଣ୍ଡପ ଶୀର୍ଷରେ  ହଣ୍ଡା ଓ ବାଲ୍ଟି ଦେଖିବାକୁ ମିଳେ।ଏହାକୁ ନେଇ ଅନେକ ଲୋକ ଅନେକ ମତ ଦିଅନ୍ତି। ତା ମଧ୍ୟରେ ବହୁ ଦୁର୍ଲଭ ହୀରା,ଲୀଳା ଓ ମାଣିକ ରହିଥିବା ଅନେକ ମତ ପ୍ରକାଶ କରନ୍ତି। କିନ୍ତୁ ଏହାକୁ କେହି ଏଯାବତ ଦେଖି ନାହାନ୍ତି। ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମୁତାବକ ଏହି ହଣ୍ଡା ଓ ବାଲ୍ଟିକୁ ନେଇ ଏକ କାହାଣୀ ରହିଛି। ଯେଉଁ କାହାଣୀର ସ୍ମାରକୀ ସଦୃଶ ମନ୍ଦିର ଶୀର୍ଷରେ ହଣ୍ଡା ଓ ବାଲ୍ଟି ରଖାଯାଇଛି।
କେମିତି ଥିଲା ପ୍ରତାପଙ୍କ ବିଚାର?
ଗଜପତି ମହାରାଜ ପ୍ରତାପ ରୁଦ୍ର ଦେବଙ୍କ ଶାସନ ସମୟରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଜୋର ଧରିଥିଲା। ବୌଦ୍ଧ ଧର୍ମର ପ୍ରଚାରକଙ୍କ ମୁତାବକ ସେମାନଙ୍କ ଧର୍ମ ହେଉଛି ଶ୍ରେଷ୍ଠ ତେଣୁ ସେମାନଙ୍କୁ ମହାପ୍ରଭୁଙ୍କ ସେବକ ଭାବେ ଗ୍ରହଣ କରାଯିବାକୁ ସେ ଦାବି ରଖିଥିଲେ। କିଏ ଶ୍ରେଷ୍ଠ ଜାଣିବା ପାଇଁ ତତକାଳୀନ ଗଜପତି ମହାରାଜ ପ୍ରତାପ ରୁଦ୍ର ଦେବଙ୍କ ନିକଟକୁ ବୌଦ୍ଧ ପ୍ରଚାରକ ଓ ତାନ୍ତ୍ରିକ ମାନେ ଯାଇଥିଲେ। ମହାପ୍ରଭୁଙ୍କ ଶ୍ରେଷ୍ଠ ସେବକ  କିଏ ଜାଣିବାପାଇଁ ସେ ସମୟର ଗଜପତି ମହାରାଜ ଏକ ପରୀକ୍ଷା କରିଥିଲେ।
 
ଏକ ବଡ଼ ହଣ୍ଡା ମଧ୍ୟରେ ସାପ ରଖି ସେ ବିଚାର ପ୍ରକ୍ରିୟା ଆରମ୍ଭ କରିଥିଲେ। ସେ ସର୍ତ୍ତ ରଖିଥିଲେ ଯେ  ଯଦି ସଠିକ ଭାବେ ଏହାର ଉତ୍ତର ଦେଇଦେବେ ଯେ ହଣ୍ଡା ମଧ୍ୟରେ କଣ ଅଛି ତେବେ ସେ ମହାପ୍ରଭୁଙ୍କ ସେବକ ଭାବେ ସ୍ଥାନ ପାଇବେ। ବୌଦ୍ଧ ପ୍ରଚାରକ ଓ ତାନ୍ତ୍ରିକ ମାନେ ସଠିକ୍ ଉତ୍ତର ବି ଦେଇଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ଶ୍ରୀମନ୍ଦିରର ସେବାୟତ ଓ ବିଦ୍ୱାନ ମାନେ ମନ୍ତ୍ର ବଳରେ ହଣ୍ଡା ମଧ୍ୟରେ ଥିବା ସର୍ପ କୁ ଭସ୍ମରେ ପରିବର୍ତ୍ତନ କରିଦେଇଥିଲେ। ଯେତେବେଳେ ହଣ୍ଡା ଦେଖା ଯାଇଥିଲା ହଣ୍ଡା ମଧ୍ୟରେ ଭସ୍ମ ଥିଲା। ତେଣୁ କରି ତତକାଳୀନ ଗଜପତି ମହାରାଜ ପ୍ରତାପ ରୁଦ୍ର ଦେବ ବ୍ରାହ୍ମଣ ଓ ବିଦ୍ୱାନ ମାନଙ୍କୁ ଶ୍ରେଷ୍ଠ ସେବକ ଭାବେ ବିବେଚିତ କରିଥିଲେ। ଏହି ଘଟଣାର ନିଦର୍ଶନ ସ୍ୱରୂପ ଯୁଗ ଯୁଗ ପର୍ଯ୍ୟନ୍ତ ଏହାକୁ ସ୍ମରଣୀୟ କରିବା ପାଇଁ ଭୋଗ ମଣ୍ଡପର ଶୀର୍ଷରେ ଏହି ହଣ୍ଡାକୁ ସ୍ଥାନ ଦେବାକୁ ବିଦ୍ୱାନ ଓ ବ୍ରାହ୍ମଣମାନେ ନିବେଦନ କରିଥିଲେ। ସେବେଠାରୁ ଏହି ଅଲୌକିକ ଦୃଶ୍ୟ ଶ୍ରୀମନ୍ଦିରର ଭୋଗମଣ୍ଡପ ଶୀର୍ଷରେ ଦେଖିବାକୁ ମିଳୁଛି।