ପ୍ରସାଦଙ୍କ ନାଁ କାଟିଲା କିଏ?

ରାଜ୍ୟ କଂଗ୍ରେସରେ ପ୍ରସାଦଙ୍କୁ ନେଇ ପୁଣି ଏକ ନୁଆ ବିବାଦ।ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଆଉ କିଛି ଦିନ ବାକି ଥିବା ହେତୁ ବର୍ତ୍ତମାନ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି। ତେବେ ଏପରି ସ୍ଥଳେ କଂଗ୍ରେସ ଦଳରେ ବଡ଼ ବିବାଦ ଦେଖିବାକୁ ମିଳିଛି। କଂଗ୍ରେସ ଗୋଷ୍ଠୀ କନ୍ଦଳ ଚଳିତ ନିର୍ବାଚନରେ ଭୟାନକ ମୋଡ ନେବାର ଆଭାସ ଏବେଠୁ ମିଳିଲାଣି।ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ ଡାକି ଯେଉଁଭଳି କ୍ଷୋଭ ପ୍ରକାଶ କରୁଛନ୍ତି ସେଥିରୁ ସଂକେତ ମିଳୁଛି ଯେ ଆଗକୁ କଂଗ୍ରେସ ବିବାଦ ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିବ। ପୂର୍ବତନ ପ୍ରଦେଶ କଂଗ୍ରେସ (ପିସିସି) ସଭାପତି ତଥା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନଙ୍କୁ ନେଇ ରାଜ୍ୟ ରାଜନୀତିରେ ହଟଚମକ ସୃଷ୍ଟି ହୋଇଛି। ଏବେ ପ୍ରଚାର ତାଲିକାରେ ପ୍ରସାଦଙ୍କ ହରିଚନ୍ଦନଙ୍କ ନାଁ ନ ରହିବା ପ୍ରସଙ୍ଗ ରାଜ୍ୟ କଂଗ୍ରେସ ପାଇଁ ଭାରି ପଡିବା ନେଇ ଚର୍ଚ୍ଚା ହେଉଛି।

ପ୍ରସାଦ ହରିଚନ୍ଦନ
ପ୍ରସାଦଙ୍କ ପ୍ରତି ଏତେ ଅବିଚାର କାହିଁକି?
ଆଉ ମାତ୍ର ହାତ ଗଣତି କେତୋଟି ଦିନ ପରେ ଆସୁଛି ପଂଚାୟତ ଭୋଟ ।ବିଭିନ୍ନ ଦଳ ତରଫରୁ ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇସାରିଛି। କଂଗ୍ରେସ ମଧ୍ୟ ୨୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରିଛି। ମାତ୍ର ତା ମଧ୍ୟରୁ ବାଦ ପଡିଛନ୍ତି ପ୍ରସାଦ ହରିଚନ୍ଦନ। ପଂଚାୟତ ଭୋଟ ହାତେଇବାକୁ ଜୋରଦାର ପ୍ରୟାସ ଚଳାଇଛି ରାଜ୍ୟ କଂଗ୍ରେସ। ରାଜ୍ୟ ରାଜନୀତିରେ ତୃତୀୟ ସ୍ଥାନକୁ ଠେଲି ହେଇ ଯାଇଥବା ଏହି ସର୍ବ ପୁରାତନ ଦଳ ଏବେ ଉପରକୁ ଉଠିବାକୁ ଚେଷ୍ଟା କରୁଛି।ପଞ୍ଚାୟତ ଭୋଟ୍ ହାତେଇବାକୁ ପବ୍ଲିକ୍ ଫିଗରଙ୍କୁ ଆଗକୁ ଆଣୁଛି। ବର୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସଭାପତି ଜୟଦେବ ଜେନା, ଶରତ ପଟନାୟକ, ଓଡିଶା କଂଗ୍ରେସ ପ୍ରଭାରୀ ଚେଲା କୁମାର, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସାଂସଦ ସପ୍ତଗିରି ଉଲାକାତ, ବିଧାୟକ ସୁର ରାଉତରାୟ, ତାରା ବାହିନୀ ପତି , ସନ୍ତୋଷ ସିଂ ସଲୋଯା, ମହମ୍ମଦ ମୁକିମ ପ୍ରମୁଖ ୨୦ ଜଣିଆ ତାଲିକାରେ ରହିଛନ୍ତି।ତାଲିକାରେ ବହୁ ପୁରାତନ ପିସିସି ସଭାପତିଙ୍କ ନାମ ଥିବା ବେଳେ ପୂର୍ବତନ ପିସିସି ସଭାପତି ଶ୍ରୀ ହରିଚନ୍ଦନଙ୍କୁ ସ୍ଥାନ ନ ମିଳିବା ଅଯୁକ୍ତିକର ପ୍ରସଙ୍ଗ ପାଲଟିଛି। ଯାହାକୁ ନେଇ ଏବେ ଚର୍ଚା ଜୋର ଧରିଛି।

ପିସିସି ସଭାପତି- ନିରଞ୍ଜନ ପଟ୍ଟନାୟକ
ରାଗିଗଲେ କି ନିରଞ୍ଜନ
ବିଧାନସଭା ବାହାରେ ହେଉ କି ଭିତରେ ପ୍ରତିପକ୍ଷଙ୍କୁ ପରାହତ କରିବାରେ ପ୍ରସାଦ ହେଉଛନ୍ତି ଜଣେ ଧୂରୀଣ ରାଜନେତା। ତଥ୍ୟ ଭିତ୍ତିକ ଉପସ୍ଥାପନା କରି ପଲିଟିକାଲ୍ ଫିଲ୍ଡରେ ସେ ଖେଲିଥାଆନ୍ତି ମାଷ୍ଟର୍ ଷ୍ଟ୍ରୋକ। ୧୯୯୫ ରେ ପ୍ରଥମେ ସତ୍ୟବାଦୀରୁ ବିଧାୟକ ହୋଇ ଥିଲେ ।ସେ ସମୟରେ ସେ ନେତାଙ୍କ ଆସ୍ଥା ଜିତି ଗୃହ,ବିଜ୍ଞାନ,କାରୀଗରି ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସାଜିଥିଲେ । ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦଳର ମୁଖ୍ୟ ସଚେତକ ଭାବରେ ମଧ୍ୟ ସେ ଦାୟିତ୍ତ୍ବ ଲିଭାଇଛନ୍ତି। ପିସିସି ସଭାପତିର ଦାୟିତ୍ତ୍ୱ ମଧ୍ୟ ସମ୍ଭାଳିଛନ୍ତି ପ୍ରସାଦ। ବିଗତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟରେ ସେ ଅନୁପସ୍ଥିତ ରହୁଥିଲେ। ତାଙ୍କୁ ଦଳ ଉପଯୁକ୍ତ ଗୁରୁତ୍ତ୍ୱ ଦେଉନଥିବା ମଧ୍ୟ ଚର୍ଚ୍ଚା ପରିସରକୁ ଆସିଥିଲା। କିଛି ଦିନ ତଳେ ଶ୍ରୀ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଅଂଚଳ ଜିଲ୍ଲା ପରିଷଦ ପାର୍ଥି ନ ଦି ଯିବା ପ୍ରସଙ୍ଗରେ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ। ସିଧାସଳଖ କଂଗ୍ରେସର ପତନ ଓ ବର୍ତମାନ ପିସିସି ସଭାପତି ନିରଞ୍ଜନଙ୍କୁ ଟାର୍ଗେଟ କରିଥିଲେ ଶ୍ରୀ ହରିଚନ୍ଦନ। ହୁଏତ ଏହି କାରଣ ପାଇଁ ତାଙ୍କୁ ପ୍ରଚାର ତାଲିକାରୁ ବାଦ୍ କରାଯାଇଛି ବୋଲି ଚର୍ଚା ଧରିଛି। ପ୍ରକୃତ ସତ ଏ ଯାଏ ସାମ୍ନାକୁ ଆସିନାହିଁ ।
Connect With Us