ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ସରକାର ଗଢ଼ି ସାରିଲେଣି।୪୨ଟି ବିଧାନସଭା ଆସନରେ ଭୋଟ ହୋଇନାହିଁ,ନବୀନ ପଟ୍ଟନାୟକ କହିଲେଣି ସେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେଉଛନ୍ତି।ମତଦାନ ହୋଇଥିବା ୧୦୫ଟି ଆସନରୁ ବିଜେଡିକୁ ବହୁମତ ମିଳି ସାରିଛି ବୋଲି ନବୀନ କହୁଛନ୍ତି।ଅର୍ଥାତ ସରକାର ଗଢ଼ିବା ଆବଶ୍ୟକ୭୪ବିଧାୟକ ବିଜେଡିର ଜିତି ସାରିଲାଣି ବୋଲି ଶାସକ ଦଳ ଦମ୍ଭୋକ୍ତି ଦେଖାଉଛି।ସେଥିପାଇଁ ନବୀନ,ନିର୍ବାଚନୀ ସଭାରେ ବିଜେପିକୁ ଛିଗୁଲାଇଛନ୍ତି।ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାର ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ନବୀନ।ପୂର୍ବରୁ କେନ୍ଦ୍ରାପଡ଼ା ଆସି ମୋଦି କହିଥିଲେ,ଏଥର ନବୀନ ବାବୁଙ୍କ ସରକାର ଯାଉଛି।ମୋଦିଙ୍କ ଠାରୁ ବଳ ପାଇ ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ରାଜ୍ୟରେ ବିଜେପି ସରକାର ଗଠନ କରିବ।ହେଲେ ଉଭୟ ନବୀନ ଏବଂ ଧର୍ମେନ୍ଦ୍ର ଭୋଟରଙ୍କୁ ପ୍ରଭାବିତ କରିବାକୁ ଏକଥା କହୁଛନ୍ତି ଏଥିରେ ସନ୍ଦେହ ନାହିଁ।କାରଣ ବାସ୍ତବିକତା ହେଲା୨୦୦୯ ଓ ୨୦୧୪ ନିର୍ବାଚନରେ ୧୦୩ ଏବଂ ୧୧୭ ଆସନ ଜଣିଥିବା ବିଜେଡିର କ୍ରେଜ କମିଛି।ଅପରପକ୍ଷରେ ମୋଦିଙ୍କ ଲୋକପ୍ରିୟତା ବଢ଼ିଥିଲେ ମଧ୍ୟ ଓଡ଼ିଶାରେ ସହରାଞ୍ଚଳ ନୁହେ ଗ୍ରାମାଞ୍ଚଳରେ ବିଜେଡି ସଂଗଠନ ମଜଭୁତ ରହିଛି।ଏହାସହ ଓଡ଼ିଶାରେ ସରକାର ଗଠନ କରିବାରେ ନିର୍ଣ୍ଣାୟକ ଭୂମିକା ନେଉଥିବା ବିଧାନସଭା କ୍ଷେତ୍ର ମାହାଙ୍ଗାର ନିର୍ବାଚନ ହୋଇନାହିଁ।
ନବକୃଷ୍ଣଙ୍କ ଠାରୁ ନବୀନ
କଟକ ଜିଲ୍ଲାର ମାହାଙ୍ଗା ରାଜନୀତିର ଇତିହାସ କହୁଛି ଏଠାରୁ ଯେଉଁ ଦଳ ଜିତିଛି,ସେହି ଦଳ ରାଜ୍ୟର ଶାସନ ଗାଦିରେ ବସିଛି।ଶରତ କରଙ୍କ ଠାରୁ ପ୍ରତାପ ଜେନାଙ୍କ ପର୍ଯ୍ୟନ୍ତ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରାଇଛନ୍ତି।ଜେବି ପଟ୍ଟନାୟକଙ୍କୁ ୩ଥର ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ବେଳେ ମାହାଙ୍ଗାରୁ ଜିତୁଥିଲେ କଂଗ୍ରେସ ନେତା ସେକ୍ ମତଲୁବ ଅଲ୍ଲୀ।ଏଭଳି ସ୍ଥିତି ସ୍ୱାଧିନତା ପରେ ଓଡ଼ିଶାରେ ହୋଇଥିବା ପ୍ରଥମ ନିର୍ବାଚନରୁ ଦେଖା ଦେଇଛି।୧୯୫୨ରେ କଂଗ୍ରେସରେ ମହମ୍ମଦ ଅତହାର ମାହଙ୍ଗାରେ ଜିତିଥିଲେ।ଆଉ ରାଜ୍ୟରେ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ହୋଇଥିଲା।ସେହିଭଳି ୧୯୬୧ରେ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ରନାଥ ପଟ୍ଟନାୟକ ବିଜୟୀ ହୋଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ହୋଇଥିଲେ ବିଜୁ ପଟ୍ଟନାୟକ।୧୯୬୭ରେ ହରେକୃଷ୍ଣ ମହତାବଙ୍କ ଆଞ୍ଚଳିକ ଦଳ ଜନକଂଗ୍ରେସର ସମର୍ଥନରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର ନେତା ଆର.ଏନ୍. ସିଂହଦେଓ ମୁଖ୍ୟମନ୍ତ୍ରୀ ହୋଇଥିଲେ।ସେହି ନିର୍ବାଚନରେ ମାହାଙ୍ଗା ଭୋଟର ପ୍ରଜା ସୋସିଆଲିଷ୍ଟ ପାର୍ଟିର ବିରଜା ପ୍ରସାଦ ରାୟଙ୍କୁ ଜିତାଇଥିଲେ।
୧୯୭୧ ନିର୍ବାଚନରେ ବିଜୁ ପଟ୍ଟନାୟକ,ଉତ୍କଳ କଂଗ୍ରେସ ଗଠନ କରିଥିଲେ।ମାହାଙ୍ଗା ଭୋଟର ବିଜୁଙ୍କ ପ୍ରାର୍ଥୀ ଶରତ କରଙ୍କୁ ବିଜୟୀ କରାଇଥିଲେ।ସେହି ସମୟରେ ଉତ୍କଳ କଂଗ୍ରେସ ଓ ସ୍ୱତନ୍ତ୍ର ପାର୍ଟିର ମେଣ୍ଟ ସରକାରକୁ,ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାଶ ନେତୃତ୍ୱ ପ୍ରଦାନ କରିଥିଲେ।ପରବର୍ତ୍ତୀ ନିର୍ବାଚନରେ ନନ୍ଦିନୀ ଶତପଥୀଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠନ ହୋଇଥିଲା।ମାହାଙ୍ଗା ଭୋଟର ମଧ୍ୟ କଂଗ୍ରେସ ପ୍ରାର୍ଥୀ ସେକ୍ ମତଲୁବ୍ ଅଲ୍ଲୀଙ୍କୁ ବିଜୟୀ କରାଇଥିଲେ।ଜରୁରୀକାଳୀନ ପରିସ୍ଥିତି ପରେ ୧୯୭୭ ନିର୍ବାଚନରେ ଓଡ଼ିଶାରେ ନୀଳମଣି ରାଉତରାୟଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା।ମାହାଙ୍ଗା ଭୋଟର ମଧ୍ୟ ନିଜ ମତଦାନ ଶୈଳୀକୁ ବଳବତ୍ତର ରଖି ଜନତା ପାର୍ଟିର ପ୍ରାର୍ଥୀ ପ୍ରଦୀପ୍ତ କିଶୋର ଦାଶଙ୍କୁ ବିଜୟୀ କରିଥିଲେ।ସେହିପରି ୧୯୮୦ ଓ ୧୯୮୫ରେ ମତଲୁବ୍ ଅଲ୍ଲୀ ମାହାଙ୍ଗାରୁ ଜିତିଥିଲେ ଓ ଜେବି ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ।କିନ୍ତୁ ୧୯୯୦ନିର୍ବାଚନରେ ଶରତ କର ମାହାଙ୍ଗାରୁ ବିଜୟୀ ହେଲେ।ଫଳରେ ଜନତା ଦଳର ନେତା ବିଜୁ ପଟ୍ଟନାୟକ ଦ୍ୱିତୀୟ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଲେ।ତେବେ ୧୯୯୫ରେ ଶରତ କରଙ୍କ ବଦଳରେ ମତଲୁବ ଅଲ୍ଲୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ।ଆଉ ରାଜ୍ୟରେ ସରକାର ହୋଇଥିଲା କଂଗ୍ରେସର।
ନବୀନଙ୍କୁ ଗ୍ରୀନ୍ ସିଗନାଲ୍
ଅପରପକ୍ଷରେ ୨୦୦୦ରୁ ଲାଗୁଛି ମାହାଙ୍ଗା ଭୋଟର ଯେପରି ଫତଓ୍ୱା ଜାରି କରିଛନ୍ତି।ସେବେଠୁ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ରାଜ୍ ଚାଲିଛି।ପ୍ରଥମେ ଶରତ କର ବିଜୟୀ ହୋଇ ବାଚସ୍ପତି ହେଲେ।୨୦୦୪ ନିର୍ବାଚନରେ ତାଙ୍କ ଟିକେଟ୍ କଟିବା ପରେ ମଧ୍ୟ ମତଲୁବ୍ ଅଲ୍ଲୀ,ବିଜେଡିର ବିକ୍ରମ କେଶରୀ ବର୍ମାଙ୍କ ଠାରୁ ପରାସ୍ତ ହୋଇଥିଲେ।ପରେ ପ୍ରତାପ ଜେନା ୨୦୦୯ରୁ ମାହାଙ୍ଗାକୁ ଲଗାତର ପ୍ରତିନିଧିତ୍ୱ କରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଉଛନ୍ତି।
ଲୋକସଭା-ବିଧାନସଭା ପ୍ରାର୍ଥୀଙ୍କ କଳି
ଏବେ ମାହାଙ୍ଗା ପଲଟିକ୍ସ ହଲଚଲ ହୋଇଛି।ବୈଜୟନ୍ତ ପଣ୍ଡା ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି।ତେବେ ବୈଜୟନ୍ତଙ୍କ ଷ୍ଟ୍ରଙ୍ଗ୍ ନେଟୱାର୍କ ମାହାଙ୍ଗାରେ ଥିବା ସତ୍ତ୍ୱେ ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନଙ୍କ ସହ ମତାନ୍ତର ରହିଛି।ତେବେ ୨୦୧୪ରେ ଶାରଦା ପ୍ରଧାନ ସ୍ୱାଧୀନ ଭାବେ ଲଢ଼ି ୬୧ହଜାର ୬୫୭ଭୋଟ୍ ପାଇ,ପ୍ରତାପ ଜେନାଙ୍କୁ କଡା ଟକ୍କର ଦେଇଥିଲେ।ସେପଟେଗତ ପଞ୍ଚାୟତ ନିର୍ବାଚନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ବିଜେପି ୫୦ହଜାର ୮୪୨ଭୋଟ୍ ପାଇଛି।ଶାରଦା ପ୍ରଧାନଙ୍କ ବିଜେପିରେ ମିଶିବା ପରେ ମାହାଙ୍ଗାରେ ବିଜେଡି ଜିତିବା,ସହଜ ହେବନି।ଅମିତ ଶାହ ମଧ୍ୟ ମାହାଙ୍ଗାରେ କର୍ମୀ ସମ୍ମିଳନୀ କରିଥିଲେ।
ଅନ୍ୟପଟେ ବିଜେଡିର ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଏକଲା ଚଲୋ ନୀତିକୁ ନେଇ ଅଡୁଆରେ ପଡୁଛନ୍ତି ପ୍ରତାପ ଜେନା। ନିର୍ବାଚନୀ ସଭାକୁ ଅନୁଭବ ଠିକ ସମୟରେ ପହଞ୍ଚୁ ନଥିବାରୁ ଅଡୁଆରେ ପଡୁଛନ୍ତି ପ୍ରତାପ। ଏଥର ମାହାଙ୍ଗାକୁ ଅକ୍ତିଆର କରି ଓଡ଼ିଶା ଶାସନ ଗାଦିକୁ ନିୟନ୍ତ୍ରଣ କରିବା ମୁଡରେ ବିଜେପି। ତାହେଲେ ଉଭୟ ନବୀନ ଏବଂ ଧର୍ମେନ୍ଦ୍ର ମାହାଙ୍ଗା ନିର୍ବାଚନ ଫଳାଫଳ ଆସିବା ଯାଏଁ ସେମାନଙ୍କ ଶପଥ ଗ୍ରହଣ ଉତ୍ସବ ଖବରରୁ ଦୂରେଇ ରହିବା କଥା!
ପଢ଼ନ୍ତୁ-ହିଂସାରେ ଥରୁଛି ଓଡ଼ିଶା:ବୈଜୟନ୍ତଙ୍କ ଅଭିଯୋଗ ‘ଅପରାଧିଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି CMଙ୍କ ବ୍ୟକ୍ତିଗତ ସଚିବ’